
ଅବହେଳିତ ବ୍ରାହ୍ମଣୀ ଗ୍ରାମର କିମ୍ବଦନ୍ତୀ ରାଣୀଡୁଙ୍ଗୁରି ପାହାଡ଼ର ଉନ୍ନତିକରଣ ପାଇଁ ମା’ ନବଦୁର୍ଗା ମନ୍ଦିର କମିଟି ଗଠିତ
ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଲଖନା ପଞ୍ଚାୟତ ବ୍ରାହ୍ମଣୀ ଗ୍ରାମ ରାଣୀଡୁଙ୍ଗୁରି ପାହାଡ଼ଠାରେ ଆଖପାଖ ଅଞ୍ଚଳର ୧୦ଖଣ୍ଡ ଗାଁ ଲୋକଙ୍କୁ ନେଇ ଏକ ବିରାଟ ସଭା ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରସିଦ୍ଧ ରାଣୀଡୁଙ୍ଗୁରି ଏକ କିମ୍ବଦନ୍ତୀ ପାହାଡ଼ । ଏହି ପାହାଡରେ ରହିଛି ରାଣୀପାହା(ପାଦ), ରାଣୀଚୁଆଁ (କୂଅ), ତଳେ ରାଣୀମୁଣ୍ଡା । ପାହାଡ଼ର ପଶ୍ଚିମକୁ ଲାଗି ପ୍ରାୟ ପଚିଶ ଏକରରୁ ବେଶୀ ଆୟତନର ଏକ ବିସ୍ତୀର୍ଣ୍ଣ ସମତଳ ପଡିଆ ରହିଛି । ଯାହାକି ଐତିହାସିକଙ୍କ ଗବେଷଣା ସାପେକ୍ଷ । ଆଜିକୁ ଶହେ ବର୍ଷ ପୂର୍ବେ ଏହାର ଶିଖରରେ ଶିବଙ୍କୁ ପୂଜା କରାଯାଉଥିଲା । ଏବେ ରାଣୀଡୁଙ୍ଗୁରି ଉପରେ ମା’ ନବଦୁର୍ଗା ଅନେକ ବର୍ଷ ହେଲା ପୂଜାପାଇ ଆସୁଛନ୍ତି । ପ୍ରତି ରବିବାର ଦିନ ମା’ ବରୁଆ ଦେହରେ ଆବିର୍ଭାବ ହୋଇଥାନ୍ତି । ପ୍ରତିବର୍ଷ ରୀତିନୀତି ଅନୁଯାୟୀ ମା’ଙ୍କ ଶାରଦ଼ୀୟ ଦୁର୍ଗାପୂଜା ସମ୍ପନ୍ନ ହୋଇଥାଏ । ଏଥିରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ପ୍ରବଳ ଜନସମାଗମ ହୋଇଥାଏ । ଏହି ମନ୍ଦିରର ପରିଚାଳନା, ପାହାଡ଼ର ଉନ୍ନତି ଓ ସୌନ୍ଦର୍ଯ୍ୟକରଣ ସକାଶେ ସମସ୍ତ ଗାଆଁକୁ ନେଇ ‘ରାଣୀଡୁଙ୍ଗୁରି ମା’ ନବଦୁର୍ଗା ମନ୍ଦିର କମିଟି, ବ୍ରାହ୍ମଣୀ’ ନାମରେ ଏକ ଏଗାର ଜଣିଆ କମିଟି ଗଠନ କରାଯାଇଥିଲା । ଏହି କମିଟିରେ ସଭାପତି ରୂପେ ବ୍ରାହ୍ମଣୀର ଫକୀର ମୋହନ ଖମାରୀ, ସାଧାରଣ ସମ୍ପାଦକ ବିଷମ କୁମାର ପଧାନ, କୋଷାଧ୍ୟକ୍ଷ ବୈକୁଣ୍ଠ ରଣା, ଉପସଭାପତି ରୂପେ ବିଜଘାଟର ସୁରୁ ଭୋଇ, କାର୍ଯ୍ୟକାରୀ ସଭାପତି ଡ଼ୁମେରପଡାର ଦୁଷ୍ମନ୍ତ ସାହୁ, ସଂପାଦକ ରୂପେ ବ୍ରାହ୍ମଣୀର ହେମରାଜ ରଣା, ସହ ସଂପାଦକ ପ୍ରଶାନ୍ତ ଭୋଇ, ସଭ୍ୟ ଭାବେ ସିଲେଟପଡ଼ାର କମଳ ରଣା, ଲଖନାର ଦେବାର୍ଚ୍ଚନ ଥପା, ବାହାଡୁକିର ସାଗର ସାହୁ ଓ ସିଙ୍ଗପାଲିର ଗୋପବନ୍ଧୁ ଭୋଇଙ୍କୁ ସର୍ବସମ୍ମତିକ୍ରମେ ଚୟନ କରାଯାଇଥିଲା । ଉପଦେଷ୍ଟା କମିଟିରେ ଫାଲଗୁନି ହାତି, ସୋପିନ୍ଦ୍ର ଜାନି, ଭୀମସେନ ଭୋଇ, ଧର୍ମରାଜ ପଧାନ, ନରେଶ ପଧାନ, ଶମ୍ଭୁ ରଣା, ମନୁ ଭୋଇ, କାର୍ତ୍ତିକ ରଣା, ନିଲାମ୍ବର ରଣା, ଅଙ୍ଗଦ ରଣା, ଚଇତନ ରଣା ଓ ସନ୍ତୋଷ ଭୋଇ ପ୍ରମୁଖ ରହିଥିଲେ । ଅତି ଶୀଘ୍ର ଏହି କମିଟି ନାମରେ ଏକ ଯୁଗ୍ମ ଜମା ଖାତା ଖୋଲିବାକୁ ସମସ୍ତେ ପରାମର୍ଶ ଦେଇଥିଲେ । ଏହା ସହିତ ଅର୍ଦ୍ଧନିର୍ମିତ ମନ୍ଦିର କାମ, ପାହାଡ଼ ଉପରକୁ ଯାଇଥିବା ଅସମ୍ପୂର୍ଣ୍ଣ କଂକ୍ରିଟ ରାସ୍ତା କାମକୁ ସଂପୂର୍ଣ୍ଣ କରିବା ସହ ପାହାଡ଼ର ପାରିପାର୍ଶ୍ୱିକ ଉନ୍ନୟନ ପାଇଁ ନୂତନ କମିଟିକୁ ଦାୟିତ୍ୱ ପ୍ରଦାନ କରାଯାଇଥିଲା । ଶେଷରେ ପୁଇନ ରଣା ଧନ୍ୟବାଦ ଦେଇଥିଲେ ।