
ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବାତ୍ୟା ‘ଅର୍ଣ୍ଣବ’ ପ୍ରଭାବରେ ଗଞ୍ଜାମ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଜଳ ଯୋଗାଣ ବ୍ୟବସ୍ଥା ଓ ବିଦ୍ୟୁତ ସେବା ବାଧାପ୍ରାପ୍ତ ହୋଇଛି । ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ପାଣି ଉଠା ପମ୍ପ ଏବଂ ଅନ୍ୟାନ୍ୟ ବୈଦ୍ୟୁତିକ ଉପକରଣ କ୍ଷତିଗ୍ରସ୍ତ ହୋଇ ଅକାମୀ ହୋଇପଡ଼ିଛି । ଏପରି ପରିସ୍ଥିତିରେ ଜିଲ୍ଲାର ୫ଟି ସରକାରୀ ଆଇ.ଟି.ଆଇ. ଓ ସରକାରୀ ଇଞ୍ଜିନିୟରିଂ କଲେଜର ଛାତ୍ରମାନେ ମରାମତି କାର୍ଯ୍ୟରେ ସକ୍ରିୟ ଭାବେ ସାମିଲ ହୋଇଛନ୍ତି । ଆସିକା ଉପଖଣ୍ଡ ଚିକିତ୍ସାଳୟରେ କ୍ଷତିଗ୍ରସ୍ତ ବୈଦ୍ୟୁତିକ ସାମଗ୍ରୀର ମରାମତି କାର୍ଯ୍ୟ ମଧ୍ୟ ସଫଳତାର ସହ ସମ୍ପନ୍ନ କରିଛନ୍ତି । ସରକାରୀ ଆଇ.ଟି.ଆଇ., ବ୍ରହ୍ମପୁର, ଶେରଗଡ଼, ପୁରୁଷୋତ୍ତମପୁର, ହିଞ୍ଜିଳିକାଟୁ ଓ ଛତ୍ରପୁର ସହିତ ଉମା ଚରଣ ପଟ୍ଟନାୟକ ଇଞ୍ଜିନିୟରିଂ ସ୍କୁଲ, ବ୍ରହ୍ମପୁରର ଛାତ୍ରମାନେ ଏହି କାର୍ଯ୍ୟରେ ଯୋଗଦେଇଛନ୍ତି । ସେମାନେ କ୍ଷତିଗ୍ରସ୍ତ ବୈଦ୍ୟୁତିକ ଉପକରଣ ଏବଂ ଜଳ ଯୋଗାଣ ବ୍ୟବସ୍ଥାର ମରାମତି କରି ସାଧାରଣ ଜୀବନଯାତ୍ରା ସ୍ୱାଭାବିକ କରିବାକୁ ଉଦ୍ୟମ କରୁଛନ୍ତି । ଜିଲ୍ଲା ପ୍ରଶାସନର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ପରିଚାଳିତ ଏହି ପୁନରୁଦ୍ଧାର କାର୍ଯ୍ୟରେ ପ୍ରତ୍ୟେକ ଶିକ୍ଷାନୁଷ୍ଠାନର ଛାତ୍ରଦଳଙ୍କୁ ଜଣେ ଲେଖାଏଁ ସୁପରଭାଇଜର ତଦାରଖ କରୁଛନ୍ତି । ବୈଷୟିକ ଶିକ୍ଷାକୁ ସାମାଜିକ ସେବା ସହ ଯୋଡ଼ି ଏହି ଯୁବ ଛାତ୍ରଛାତ୍ରୀମାନେ ବିପର୍ଯ୍ୟୟ ପରବର୍ତ୍ତୀ ପୁନର୍ବାସ ଓ ପୁନରୁଦ୍ଧାର କାର୍ଯ୍ୟରେ ନିଜ ଦକ୍ଷତାର ସଫଳ ପରିଚୟ ପ୍ରଦାନ କରିଛନ୍ତି ।