jayashree

ଗାଈଗୋରୁ ଚାଲାଣ ବେଳେ ରାଷ୍ଟ୍ରିୟ ବଜରଙ୍ଗ ଦ୍ୱାରା ଉଦ୍ଧାର : ୬ ଗୋରୁ ଉଦ୍ଧାର, ୨ ଅଟକ, ଅନ୍ୟ ୨ ଫେରାର

ବାଲିଗୁଡ଼ା, (ସଞ୍ଜୟ କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲାରେ ଗୋରୁ ଚାଲାଣକୁ ନେଇ ପୁଣି ଏକ ଘଟଣା ସାମ୍ନାକୁ ଆସିଛି । ଏକ ଛୋଟ ପିକ୍‌ଅପ୍‌ ଗାଡ଼ିରେ ଅତ୍ୟନ୍ତ ଅମାନବୀୟ ଭାବେ ୬ଟି ଗାଈଗୋରୁଙ୍କୁ ବୋଝେଇ କରି ଚାଲାଣ କରାଯାଉଥିବା ବେଳେ ରାଷ୍ଟ୍ରୀୟ ବଜରଙ୍ଗ ଦଳର କର୍ମୀମାନେ ଗାଡ଼ିକୁ ଅଟକାଇ ଗୋରୁଗୁଡ଼ିକୁ ଉଦ୍ଧାର କରିଛନ୍ତି । ଏଥିସହ ଗାଡ଼ିରେ ଥିବା ଦୁଇଜଣଙ୍କୁ ଧରି ବାଲିଗୁଡ଼ା ପୋଲିସର ଜିମା ଦେଇଥିବା ବେଳେ ଅନ୍ୟ ଦୁଇଜଣ ଫେରାର ହୋଇଯାଇଥିବା ଜଣାପଡ଼ିଛି । ଘଟଣାରୁ ପ୍ରକାଶ ଯେ, ଏକ ପିକ୍‌ଅପ୍‌ ଗାଡ଼ିରେ ୬ଟି ଗାଈଗୋରୁଙ୍କୁ ବୋଝେଇ କରି ବାଲିଗୁଡ଼ା ଦେଇ ତୁମୁଡ଼ିବନ୍ଧ ରାସ୍ତାରେ ନିଆଯାଉଥିଲା । ଏହି ସମୟରେ ଗୋରୁ ବୋଝେଇ ଗାଡ଼ିକୁ ରାଷ୍ଟ୍ରୀୟ ବଜରଙ୍ଗ ଦଳର କର୍ମୀମାନେ ଦେଖି ସନ୍ଦେହ ପ୍ରକାଶ କରିଥିଲେ । ଗାଡ଼ିଟିକୁ ଅଟକାଇବା ପାଇଁ ପିଛା କରିବା ସହ ବାଟାଗୁଡ଼ା ମଣ୍ଡଳର କର୍ମୀମାନଙ୍କୁ ମଧ୍ୟ ଫୋନ୍‌ ଯୋଗେ ସୂଚନା ଦେଇଥିଲେ । ସୂଚନା ପାଇ ବାଟାଗୁଡ଼ା ଠାରେ ବଜରଙ୍ଗ ଦଳର କର୍ମୀମାନେ ଗାଡ଼ିକୁ ଅଟକାଇବା ପାଇଁ ଅପେକ୍ଷା କରିଥିଲେ । ତେବେ ଦ୍ରୁତଗତିରେ ଆସୁଥିବା ପିକ୍‌ଅପ୍‌ ଗାଡ଼ିର ଆଗ ଚକା ଫାଟିଯିବାରୁ ଗାଡ଼ିଟି ରାସ୍ତାରେ ଅଟକି ଯାଇଥିଲା । ଏହାପରେ ବଜରଙ୍ଗ ଦଳର କର୍ମୀମାନେ ଗାଡ଼ି ନିକଟରେ ପହଞ୍ଚି ଯାଞ୍ଚ କରିବାରୁ ଗୋଟିଏ ଛୋଟ ପିକ୍‌ଅପ୍‌ ଗାଡ଼ିରେ ୬ଟି ଗାଈଗୋରୁଙ୍କୁ ଅତ୍ୟନ୍ତ ଅସ୍ୱାଭାବିକ ଓ କଷ୍ଟଦାୟକ ଭାବେ ଗୋଡ଼ ଓ ମୁହଁ ବାନ୍ଧି ରଖାଯାଇଥିବା ଦେଖିଥିଲେ । ଗାଡ଼ିରେ ଥିବା ଚାରିଜଣଙ୍କ ମଧ୍ୟରୁ ଦୁଇଜଣ ସୁଯୋଗ ଦେଖି ଫେରାର ହୋଇଯାଇଥିବା ବେଳେ ଅନ୍ୟ ଦୁଇଜଣଙ୍କୁ ବଜରଙ୍ଗ ଦଳର କର୍ମୀମାନେ ଧରିଥିଲେ । ପରେ ୬ଟି ଗାଈଗୋରୁ ଓ ପିକ୍‌ଅପ୍‌ ଗାଡ଼ି ସହ ଦୁଇଜଣଙ୍କୁ ବାଲିଗୁଡ଼ା ଥାନାକୁ ନେଇ ପୋଲିସର ଜିମା ଦିଆଯାଇଥିଲା । ଏହି ଘଟଣାକୁ ନେଇ ବାଲିଗୁଡ଼ା ଥାନାରେ କେଶ ନଂ. ୨୯୬/୨୬ ପ୍ରକାରେ ଏକ ମାମଲା ରୁଜୁ ହୋଇଛି । ଏ ସମ୍ପର୍କରେ ରାଷ୍ଟ୍ରୀୟ ବଜରଙ୍ଗ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ବିଶ୍ୱଜିତ ପାତ୍ର କହିଛନ୍ତି ଯେ, ଉକ୍ତ ଗାଡ଼ିଟି କନ୍ଧମାଳ ଜିଲ୍ଲାରୁ ରାୟଗଡ଼ା ଅଭିମୁଖେ ଯାଉଥିଲା । ଗୋମାତାଙ୍କୁ ଏକ ଛୋଟ ଗାଡ଼ିରେ ଏଭଳି ଅମାନବୀୟ ଭାବେ ବାନ୍ଧି ନେବା ଅତ୍ୟନ୍ତ ନିନ୍ଦନୀୟ ଓ କଷ୍ଟଦାୟକ ବୋଲି ସେ ମତ ପ୍ରକାଶ କରିଛନ୍ତି । ତେବେ ଏହି ଗୋରୁ ଚାଲାଣ ପଛରେ କିଏ ଅଛନ୍ତି ? କେଉଁ ଉଦ୍ଦେଶ୍ୟରେ ଗୋରୁଗୁଡ଼ିକୁ ନିଆଯାଉଥିଲା ଏବଂ ଚାଲାଣ ସମ୍ପର୍କିତ ଅନ୍ୟ କେଉଁମାନଙ୍କ ସମ୍ପୃକ୍ତି ରହିଛି, ସେ ଦିଗରେ ପୋଲିସ ତଦନ୍ତ କରୁଥିବା ଜଣାପଡ଼ିଛି ।

Leave A Reply

Your email address will not be published.