jayashree

ସମ୍ଭାବ୍ୟ ବାତ୍ୟା ‘ମୁରାସୁ’ ମୁକାବିଲା ପାଇଁ ସରକାର ସଜାଗ, ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି ପ୍ରସ୍ତୁତି

  • ଅର୍ଣ୍ଣବ ବାତ୍ୟାରେ ୩ ଜିଲ୍ଲାର ୨ ଲକ୍ଷରୁ ଅଧିକ ଲୋକ ପ୍ରଭାବିତ, ୧.୪୧ ଲକ୍ଷ ସ୍ଥାନାନ୍ତରିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ରାଜ୍ୟକୁ ପୁଣି ଘାରିଲା ବାତ୍ୟା ଭୟ । ଗୋଟିଏ ପଟେ ବାତ୍ୟା ‘ଅର୍ଣ୍ଣବ’ର ପ୍ରଭାବରୁ ଦକ୍ଷିଣ ଓଡ଼ିଶା ଏବେବି ସମ୍ପୂର୍ଣ୍ଣ ମୁକୁଳି ନଥିବା ବେଳେ, ଅନ୍ୟପଟେ ସମ୍ଭାବ୍ୟ ଆଉ ଏକ ବାତ୍ୟା ‘ମୁରାସୁ’କୁ ନେଇ ବଢ଼ିଛି ଚିନ୍ତା । ଏହାର ମୁକାବିଲା ପାଇଁ ରାଜ୍ୟ ସରକାର ଓ ପ୍ରଶାସନ ପକ୍ଷରୁ ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଛି । ସମ୍ଭାବ୍ୟ ବିପଦକୁ ଦୃଷ୍ଟିରେ ରଖି ଉଦ୍ଧାର, ରିଲିଫ୍ ଓ ପୁନରୁଦ୍ଧାର କାର୍ଯ୍ୟକୁ ଅଧିକ ତ୍ୱରାନ୍ୱିତ କରାଯାଇଛି । ଏନେଇ ରାଜୀବ ଭବନସ୍ଥିତ ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ କାର୍ଯ୍ୟାଳୟରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ହୋଇଥିଲା । ବୈଠକରେ ବିଭାଗୀୟ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀ ଏବଂ ସ୍ୱତନ୍ତ୍ର ରିଲିଫ୍ କମିଶନର ରାଜେଶ ପ୍ରଭାକର ପାଟିଲଙ୍କ ସମେତ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ । ସମ୍ଭାବ୍ୟ ବାତ୍ୟାର ଗତିପଥ, ପ୍ରଭାବିତ ହେବାକୁ ଥିବା ଜିଲ୍ଲା ଏବଂ ବର୍ତ୍ତମାନର ବିପର୍ଯ୍ୟୟ ପରବର୍ତ୍ତୀ ସ୍ଥିତି ଉପରେ ବିସ୍ତୃତ ଆଲୋଚନା ହୋଇଥିଲା । ଲୋକେ ଭୟଭୀତ ନହୋଇ ସଚେତନ ରହିବା ସହ ସରକାରୀ ନିର୍ଦ୍ଦେଶ ପାଳନ କରିବାକୁ ମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ସୂଚନା ଅନୁସାରେ, ସମ୍ଭାବ୍ୟ ବାତ୍ୟା ‘ମୁରାସୁ’ ବଙ୍ଗୋପସାଗରରେ ଗଭୀର ଅବପାତର ରୂପ ନେଇଛି । ଏହା ନେଲୋରଠାରୁ ୧୬୦ କିଲୋମିଟର, ଚେନ୍ନାଇଠାରୁ ୧୮୦ କିଲୋମିଟର ଏବଂ ମଛଲିପାଟନମଠାରୁ ୨୪୦ କିଲୋମିଟର ଦୂରରେ ରହିଛି । ସ୍ଥଳଭାଗ ଛୁଇଁବା ସମୟରେ ଘଣ୍ଟାପ୍ରତି ୧୦୦ରୁ ୧୧୦ କିଲୋମିଟର ବେଗରେ ପବନ ବହିବା ଆଶଙ୍କା ରହିଛି । ଏହାର ପ୍ରଭାବରେ ଗଞ୍ଜାମ, ଗଜପତି, କୋରାପୁଟ, ରାୟଗଡ଼ା, ମାଲକାନଗିରି, କନ୍ଧମାଳ, କଳାହାଣ୍ଡି ସମେତ ପୁରୀ ଭଳି ଜିଲ୍ଲା ପ୍ରଭାବିତ ହେବାର ଆଶଙ୍କା କରାଯାଉଛି । ଅନ୍ୟପଟେ ବାତ୍ୟା ‘ଅର୍ଣ୍ଣବ’ ଓ ପରବର୍ତ୍ତୀ ପ୍ରବଳ ବର୍ଷା ଦକ୍ଷିଣ ଓଡ଼ିଶାରେ ବ୍ୟାପକ କ୍ଷୟକ୍ଷତି ଘଟାଇଛି । ଗଞ୍ଜାମ, ଗଜପତି ଓ କନ୍ଧମାଳର ୪୧ଟି ବ୍ଲକର ୪୮୮ଟି ପଞ୍ଚାୟତ ଏବଂ ୨୧୩୭ଟି ଗ୍ରାମ ପ୍ରଭାବିତ ହୋଇଛି । ୨୩ଟି ସହରାଞ୍ଚଳର ୩୦୭ଟି ୱାର୍ଡ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି । ମୋଟ ୨ ଲକ୍ଷ ୧୦ ହଜାର ୯୨୦ ଜଣ ଲୋକ ବିପର୍ଯ୍ୟୟର ଶିକାର ହୋଇଥିବା ବେଳେ ୧ ଲକ୍ଷ ୪୧ ହଜାର ୭୯୭ ଜଣଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି । ସେଥିମଧ୍ୟରେ ୫୭୯ ଜଣ ଗର୍ଭବତୀ ମହିଳା ଅଛନ୍ତି । ଏହି ବିପର୍ଯ୍ୟୟରେ ଗଞ୍ଜାମ ଜିଲ୍ଲାର ୩ ଜଣଙ୍କ ଜୀବନ ଯାଇଥିବା ସୂଚନା ମିଳିଛି । ପ୍ରଭାବିତ ଲୋକଙ୍କୁ ରିଲିଫ୍ କ୍ୟାମ୍ପରେ ଶୁଖିଲା ଖାଦ୍ୟ, ଚାଉଳ, ଚୁଡ଼ା, ଗୁଡ଼ ଓ ପଶୁଖାଦ୍ୟ ଯୋଗାଇ ଦିଆଯାଉଛି । ଏଥିସହ ୫୪୫୮ଟି ପଲିଥିନ୍ ସିଟ୍ ବଣ୍ଟନ କରାଯାଇଛି । ରାସ୍ତାଘାଟରୁ ମାଟି ଓ ଆବର୍ଜନା ହଟାଇବା ସହ କ୍ଷତିଗ୍ରସ୍ତ ରାସ୍ତା ଓ ପୋଲର ମରାମତି କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି । ଗଞ୍ଜାମ, ଗଜପତି, କନ୍ଧମାଳ ଓ ରାୟଗଡ଼ା ଜିଲ୍ଲାରେ ଭୂସ୍ଖଳନ ଓ ରାସ୍ତା କ୍ଷୟକ୍ଷତିର ପୁନରୁଦ୍ଧାର କାର୍ଯ୍ୟ ଜାରି ରହିଛି । ବିଦ୍ୟୁତ୍ ସେବା ପୁନଃସ୍ଥାପନ କ୍ଷେତ୍ରରେ ମଧ୍ୟ ଉଲ୍ଲେଖନୀୟ ଅଗ୍ରଗତି ହୋଇଛି । ଟିପିଏସ୍‌ଓଡିଏଲ୍ ପକ୍ଷରୁ ପ୍ରଭାବିତ ଅଞ୍ଚଳର ୯୯.୦୫ ପ୍ରତିଶତ ଗ୍ରାହକଙ୍କୁ ବିଦ୍ୟୁତ୍ ସେବା ଯୋଗାଣ ସ୍ୱାଭାବିକ କରାଯାଇଛି । ମୋଟ ୧୭ ଲକ୍ଷ ୮୮ ହଜାର ୯୪୨ ଜଣ ପ୍ରଭାବିତ ଗ୍ରାହକଙ୍କ ମଧ୍ୟରୁ ୧୭ ଲକ୍ଷ ୭୨ ହଜାର ୨୮ ଜଣଙ୍କୁ ପୁନର୍ବାର ବିଦ୍ୟୁତ୍ ସେବା ମିଳିଛି । ସେହିପରି ପାନୀୟ ଜଳ ଯୋଗାଣ ସ୍ୱାଭାବିକ କରିବାକୁ ନଳକୂପ ମରାମତି, ଜଳ ବିଶୋଧନ ଓ ଟ୍ୟାଙ୍କର ଯୋଗେ ପାଣି ଯୋଗାଣ କରାଯାଉଛି । ପ୍ରଭାବିତ ଅଞ୍ଚଳରେ ୨୩୫ଟି ଜଳ ଟ୍ୟାଙ୍କର ଏବଂ ମୋବାଇଲ୍ ଜଳ ବିଶୋଧନ ୟୁନିଟ୍ ନିୟୋଜିତ ହୋଇଛି । ଏଥିସହ ଡାଏରିଆ, ମ୍ୟାଲେରିଆ ଓ ଡେଙ୍ଗୁ ଭଳି ରୋଗର ମୁକାବିଲା ପାଇଁ ସ୍ୱାସ୍ଥ୍ୟ ବିଭାଗର ରାପିଡ୍ ରେସପନ୍ସ ଟିମ୍ ଓ ମୋବାଇଲ୍ ହେଲ୍ଥ ଟିମ୍ ନିୟୋଜିତ ଅଛନ୍ତି । ବିଭିନ୍ନ ଜିଲ୍ଲାରେ ଓଡ୍ରାଫ୍ ଓ ଏନ୍‌ଡିଆର୍‌ଏଫ୍ ଟିମ୍ ମୁତୟନ କରାଯାଇଛି । ଗଞ୍ଜାମରେ ୩୨ଟି ଓଡ୍ରାଫ୍ ଓ ୩ଟି ଏନ୍‌ଡିଆର୍‌ଏଫ୍ ଟିମ୍ ସମେତ ଅନ୍ୟ ପ୍ରଭାବିତ ଜିଲ୍ଲାଗୁଡ଼ିକରେ ମଧ୍ୟ ଉଦ୍ଧାରକାରୀ ଦଳ ସଜାଗ ରହିଛନ୍ତି । କ୍ଷୟକ୍ଷତିର ଆକଳନ ପାଇଁ କେନ୍ଦ୍ରୀୟ ଟିମ୍ ଗଞ୍ଜାମ ଓ ଗଜପତି ଜିଲ୍ଲା ଗସ୍ତ କରିବେ । ଏପରି ସ୍ଥିତିରେ ସମସ୍ତ ଜନସାଧାରଣଙ୍କୁ ନିକଟସ୍ଥ ରିଲିଫ୍ ସେଣ୍ଟର, ସ୍କୁଲ୍ କିମ୍ବା କଲେଜକୁ ଯାଇ ସୁରକ୍ଷିତ ରହିବାକୁ ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି । ଆଶା ଓ ଅଙ୍ଗନବାଡ଼ି କର୍ମୀମାନେ ମଧ୍ୟ ଗାଁ ଗାଁରେ ସଚେତନତା ସୃଷ୍ଟି କରୁଛନ୍ତି । ସମ୍ଭାବ୍ୟ ବାତ୍ୟା ‘ମୁରାସୁ’ର ମୁକାବିଲା ପାଇଁ ସରକାର ସମ୍ପୂର୍ଣ୍ଣ ସଜାଗ ଥିବା ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି । ତେବେ ଲୋକେ ଭୟଭୀତ ନହୋଇ ସତର୍କ ରହିବା ସହ ପ୍ରଶାସନର ନିର୍ଦ୍ଦେଶକୁ ପାଳନ କରିବା ଜରୁରୀ ।

Leave A Reply

Your email address will not be published.