
- ଉନ୍ନତ ଚାଷୀ ଓ ମହିଳାଙ୍କୁ ସବସିଡି ଅର୍ଥ ସହ ସ୍ଵତନ୍ତ୍ର ରୂପେ ସମ୍ବର୍ଦ୍ଧନା
ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ସଦର ମହକୁମା ପଞ୍ଚାୟତି ଉଚ୍ଚ ବିଦ୍ୟାଳୟ ଖେଳପଡିଆରେ ସୋମବାର ବ୍ଲକସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା-୨୦୨୬ ଅନୁଷ୍ଠିତ ହୋଇଯାଇଛି । ଗ୍ରାମାଞ୍ଚଳର ଲୋକଙ୍କ ପାଇଁ ମତ୍ସ୍ୟଚାଷ, ପ୍ରାଣୀପାଳନ ଓ ଏହି ସମ୍ବନ୍ଧିତ କାର୍ଯ୍ୟକଳାପକୁ ଏକ ସ୍ଥାୟୀ ଜୀବିକାର ମାଧ୍ୟମ ଭାବେ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ଏହି ବ୍ଲକସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା ଆୟୋଜିତ ହୋଇଥିଲା । ମୁଖ୍ୟ ଅତିଥିଙ୍କ ଦ୍ୱାରା ମେଳାକୁ ଉଦଘାଟନ ପରେ ପ୍ରଥମେ ଚାରା ରୋପଣ, ଗୋପୂଜନ ଓ ଖୋଲିଥିବା ବିଭିନ୍ନ ଷ୍ଟଲ ପରିଦର୍ଶନ କରାଯାଇଥିଲା । ମୁରିବାହାଲ ବ୍ଲକ ଭାରପ୍ରାପ୍ତ ପ୍ରାଣୀ ଚିକିତ୍ସା ଅଧିକାରୀ ଡ. ଭୋଗେନ୍ଦ୍ର ନାଥ ମେହେରଙ୍କ ତତ୍ତ୍ୱାବଧାନରେ ତଥା ଅତିରିକ୍ତ ପ୍ରାଣୀ ଚିକିତ୍ସା ଅଧିକାରୀ ଡ.ମୌସୁମୀ ବର୍ଷା ବନାନୀ ମାଝୀଙ୍କ ସଭା ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଟିଟିଲାଗଡ ଉପଖଣ୍ଡ ପ୍ରାଣୀ ଚିକିତ୍ସା ଅଧିକାରୀ ଡ. ଶୁଭେନ୍ଦୁ ସୁଧା ଷଢ଼ଙ୍ଗୀ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ କଣ୍ଟାବାଞ୍ଜି ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଲକ୍ଷ୍ମଣ ବାଗ ମୁଖ୍ୟ ଅତିଥି, ବ୍ଲକ ଅଧ୍ୟକ୍ଷ ହରିବନ୍ଧୁ ମେହେର, ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ମିଥିଳା ମାଝୀ, ବିଡ଼ିଓ ବାସନ୍ତୀ ସେଠୀ, ତହସିଲଦାର ଜଗଦୀଶ କର୍ତ୍ତାମୀ, ସାଂସଦ ପ୍ରତିନିଧି ଶ୍ରୀବତ୍ସ ବେହେରା, ମୁଖ୍ୟ ଜିଲ୍ଲା ପ୍ରାଣୀ ଚିକିତ୍ସା ଅଧିକାରୀ ଡ. ସାରଦା ପ୍ରସାଦ ସିଂ ବରିହା, ମୁଖ୍ୟ ଜିଲ୍ଲା ମତ୍ସ୍ୟ ଅଧିକାରୀ ରେଶମାରାଣୀ ସିଂ, ମୁରିବାହାଲ ସରପଞ୍ଚ ବିଶ୍ୱବିହାରୀ ଯୋଶୀ ଓ ବିଧାୟକ ପ୍ରତିନିଧି ଗଙ୍ଗାଧର ହେର୍ଣ୍ଣା ସମ୍ମାନିତ ଅତିଥି ରୂପେ ଯୋଗଦେଇ ଚାଷୀଙ୍କୁ ଉନ୍ନତ ମତ୍ସ୍ୟଚାଷ ଓ ପଶୁସମ୍ପଦ ପାଳନ ସମ୍ପର୍କରେ ମତବ୍ୟକ୍ତ କରିଥିଲେ । ଏହି ମେଳା ମତ୍ସ୍ୟଚାଷ ଓ ପ୍ରାଣୀପାଳନ କ୍ଷେତ୍ରରେ ରହିଥିବା ଅପାର ସମ୍ଭାବନାକୁ ଲୋକଲୋଚନକୁ ଆଣିବା ସହ ଗ୍ରାମୀଣ ଅର୍ଥନୀତିକୁ ସୁଦୃଢ଼ କରିବା, ସ୍ୱାବଲମ୍ବୀ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ଓ ଚାଷୀମାନଙ୍କ ଆୟ ବୃଦ୍ଧି କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ମଞ୍ଚ ଭାବେ କାର୍ଯ୍ୟ କରିଥିଲା । ଏଥିରେ ବରିଷ୍ଠ ଅଧିକାରୀ ଓ ଜନପ୍ରତିନିଧିମାନଙ୍କ ଯୋଗଦାନ ମତ୍ସ୍ୟଚାଷ ଓ ପ୍ରାଣୀପାଳନ କ୍ଷେତ୍ରର ବିକାଶ ପ୍ରତି ସମ୍ପୃକ୍ତ ବିଭାଗଗୁଡ଼ିକର ପ୍ରତିବଦ୍ଧତାକୁ ପ୍ରତିଫଳିତ କରିଥିଲା । ଏହି କାର୍ଯ୍ୟକ୍ରମରେ ବ୍ଲକର ଉନ୍ନତ ମତ୍ସ୍ୟ ଚାଷୀ, ଗୋପାଳକ, ମହିଳାଚାଷୀ ଓ ମହିଳା ଏସ୍ଏଚ୍ଜିଗୁଡିକୁ ସବସିଡି ଅର୍ଥ ସହ ସ୍ଵତନ୍ତ୍ର ରୂପେ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ମେଳାରେ ତୁରେକେଲା ବ୍ଲକ ପ୍ରାଣୀ ଚିକିତ୍ସା ଅଧିକାରୀ ଡ. ପ୍ରତାପ ପ୍ରଧାନ, ଡ. ଦୀପ ପ୍ରତୀକ, ବଙ୍ଗୋମୁଣ୍ଡାର ପ୍ରାଣୀ ଚିକିତ୍ସା ଅଧିକାରୀ ଡ. ନିହାର ରଞ୍ଜନ ଦେବତା ଓ କଣ୍ଟାବାଞ୍ଜିର ପ୍ରାଣୀ ଚିକିତ୍ସା ଅଧିକାରୀ ଡ. ଅଞ୍ଜଳି ପଧାନଙ୍କ ସହ ମୁରିବାହାଲ ପ୍ରାଣୀ ଚିକିତ୍ସା ବିଭାଗର ସମସ୍ତ କର୍ମଚାରୀ, ଓଏଲ୍ଏମ୍ର ପ୍ରାଣୀମିତ୍ରମାନେ ଉପସ୍ଥିତ ରହି ସହଯୋଗ କରିଥିଲେ । ବ୍ଲକ ଅତିରିକ୍ତ ମତ୍ସ୍ୟ ଅଧିକାରୀ ସୀମା ପଧାନ ଧନ୍ୟବାଦ ଦେଇଥିଲେ ।