jayashree

ଓଡ଼ିଶାରୁ ଛତିଶଗଡ଼କୁ ବେଆଇନ କାଠ ଚାଲାଣ : କାଠ ବୋଝେଇ ଟ୍ରକ୍‌ ଜବତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଓଡ଼ିଶାରୁ ପଡ଼ୋଶୀ ଛତିଶଗଡ଼ ରାଜ୍ୟକୁ ବେଆଇନ ଭାବେ କାଠ ଚାଲାଣ ହେଉଥିବା ଘଟଣା ପୁଣି ସାମ୍ନାକୁ ଆସିଛି । ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଲକର ସୀମାନ୍ତବର୍ତ୍ତୀ ବେହେରାଡୁବୁରୀ ଗ୍ରାମ ନିକଟରେ ଜଙ୍ଗଲ ବିଭାଗ ଚଢ଼ାଉ କରି କାଠ ବୋଝେଇ ଟ୍ରକ୍‌ ସହ ଏକ ନମ୍ବର ବିହୀନ ଟ୍ରାକ୍ଟର ଜବତ କରିଛି । ସୂଚନା ଅନୁଯାୟୀ, ବେହେରାଡୁବୁରୀ ଗ୍ରାମରୁ ଓଡ଼ିଶା ନମ୍ବର ଥିବା ଟ୍ରକ୍‌ (ଓଆର୍‌ ୧୭ ଏଏଫ୍‌ ୬୭୯୩) ଯୋଗେ ବିପୁଳ ପରିମାଣର ଅର୍ଜୁନ କାଠ ଛତିଶଗଡ଼ ଅଞ୍ଚଳକୁ ଚାଲାଣ କରାଯାଉଥିଲା । ତେବେ କାଠ ବୋଝେଇ ଟ୍ରକ୍‌ଟି ରାସ୍ତାର ଏକ କାଦୁଅ ସ୍ଥାନରେ ଫସି ଯାଇଥିଲା । ଏହାପରେ ଟ୍ରକ୍‌ରୁ କିଛି କାଠ ଓହ୍ଲାଇ ଏକ ନମ୍ବର ବିହୀନ ଟ୍ରାକ୍ଟର ସାହାଯ୍ୟରେ ବାହାର କରାଯାଉଥିବା ବେଳେ ସ୍ଥାନୀୟ କିଛି ଲୋକ ଏହା ଦେଖି ଜଙ୍ଗଲ ବିଭାଗକୁ ଖବର ଦେଇଥିଲେ । ଖବର ପାଇ ଝାରବନ୍ଧ ଫରେଷ୍ଟର ଗିରିରାଜ କୁମ୍ଭାର ନିଜେ ବନ କର୍ମଚାରୀଙ୍କ ସହ ଘଟଣାସ୍ଥଳରେ ପହଞ୍ଚି ଚଢ଼ାଉ କରିଥିଲେ । ବିଭାଗୀୟ ଟିମ୍‌ କାଠ ବୋଝେଇ ଟ୍ରକ୍‌ ସହ ଟ୍ରାକ୍ଟରକୁ ଜବତ କରି ପାଇକମାଲ ରେଞ୍ଜ କାର୍ଯ୍ୟାଳୟରେ ଜମା କରିଥିବା ଜଣାପଡ଼ିଛି । ଜବତ ଟ୍ରକ୍‌ଟି ଓଡ଼ିଶା ପଞ୍ଜୀକୃତ ହୋଇଥିବା ବେଳେ ଏହାର ଚାଳକ ଛତିଶଗଡ଼ର ସରାଇପାଲି ଅଞ୍ଚଳର ସୁରେନ୍ଦ୍ର ଯାଦବ ବୋଲି ଜଣାପଡ଼ିଛି । ତେବେ ଏହି ବେଆଇନ କାଠ ଚାଲାଣ ପଛରେ କେଉଁମାନଙ୍କ ହାତ ରହିଛି, କାଠ କେଉଁଠାରୁ ସଂଗ୍ରହ କରାଯାଇଥିଲା ଏବଂ ଏହି କାରବାରରେ ଆଉ କେଉଁମାନେ ସମ୍ପୃକ୍ତ ଅଛନ୍ତି, ତାହା ତଦନ୍ତ ପରେ ସ୍ପଷ୍ଟ ହେବ । ସୀମାନ୍ତ ଅଞ୍ଚଳ ଦେଇ ଏଭଳି ବେଆଇନ କାଠ ଚାଲାଣ ହେବା ଘଟଣା ଜଙ୍ଗଲ ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠାଇଛି । ଏହି ଘଟଣାର ନିରପେକ୍ଷ ତଦନ୍ତ କରି କାଠ ଚାଲାଣର ମୁଖ୍ୟ କାର୍ପଟଦାରଙ୍କୁ ଚିହ୍ନଟ କରିବା ସହ ସମ୍ପୃକ୍ତ ସମସ୍ତଙ୍କ ବିରୋଧରେ କଠୋର ଆଇନଗତ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହେଉଛି ।

Leave A Reply

Your email address will not be published.