
ପାରଳାଖେମୁଣ୍ଡି : ବହୁଚର୍ଚ୍ଚିତ ଏସିଏଫ୍ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ନୂଆ ମୋଡ଼ । ଦୀର୍ଘଦିନର ଆଇନଗତ ଲଢ଼େଇ ପରେ ପାରଳାଖେମୁଣ୍ଡି ଏସଡିଜେଏମ୍ କୋର୍ଟରେ ଆତ୍ମସମର୍ପଣ କରିଛନ୍ତି ପତ୍ନୀ ବିଦ୍ୟାଭାରତୀ ପଣ୍ଡା। ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ ଖାରଜ ହେବା ପରେ ତାଙ୍କ ପାଇଁ ଗିରଫଦାରୀ ଆଶଙ୍କା ବଢ଼ିଥିଲା । ସୂଚନା ଅନୁଯାୟୀ, ୨୦୨୧ ଜୁଲାଇ ୧୨ ତାରିଖ ରାତିରେ ପାରଳାଖେମୁଣ୍ଡିସ୍ଥିତ ସରକାରୀ ବାସଭବନରେ ନିଆଁରେ ପୋଡ଼ି ଗୁରୁତର ହୋଇଥିଲେ ଏସିଏଫ୍ ସୌମ୍ୟରଞ୍ଜନ । ପରଦିନ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା । ପରିବାର ପକ୍ଷରୁ ଏହି ଘଟଣାରେ ପତ୍ନୀ ବିଦ୍ୟାଭାରତୀ, ତତ୍କାଳୀନ ଡିଏଫ୍ଓ ଓ ରୋଷେୟାଙ୍କ ସମ୍ପୃକ୍ତି ନେଇ ଅଭିଯୋଗ ହୋଇଥିଲା । ୨୦୨୩ ଏପ୍ରିଲ ୧୨ରେ ପାରଳାଖେମୁଣ୍ଡି ଏସଡିଜେଏମ୍ କୋର୍ଟ ତିନିଜଣଙ୍କ ବିରୋଧରେ ହତ୍ୟା ଓ ଅପରାଧିକ ଷଡ଼ଯନ୍ତ୍ର ଦଫାରେ କଗ୍ନିଜାନ୍ସ ଗ୍ରହଣ କରିଥିଲେ । ଏହାପରେ ବିଦ୍ୟାଭାରତୀଙ୍କ ଆଗୁଆ ଜାମିନ ଆବେଦନ ହାଇକୋର୍ଟରେ ଖାରଜ ହେବା ପରେ ଏବେ ତାଙ୍କ ଆତ୍ମସମର୍ପଣ ଘଟଣା ମାମଲାକୁ ପୁଣି ଚର୍ଚ୍ଚାକୁ ଆଣିଛି ।