
- ୪୫ ପ୍ରତିଯୋଗୀଙ୍କୁ ପଛରେ ପକାଇ ହାସଲ କଲେ ଶ୍ରେଷ୍ଠ ମୁକୁଟ, ବରଗଡ଼ ଜିଲ୍ଲା ପାଇଁ ଆଣିଲେ ଗୌରବ
ପଦ୍ମପୁର, (ନିରୋଜ କୁମାର ପାଣୀ) : ଜାତୀୟ ସ୍ତରରେ ଚମକିଲେ ପଶ୍ଚିମ ଓଡ଼ିଶାର ଝିଅ । ସମ୍ମାନଜନକ ‘ମିସ୍ ଟିନ୍ ଇଣ୍ଡିଆ–୨୦୨୬’ ଟାଇଟଲ୍ ହାସଲ କରି ପଦ୍ମପୁର ସମେତ ସମଗ୍ର ବରଗଡ଼ ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି ଆକାଂକ୍ଷା ଆକୃତି ବାରିକ । ତାଙ୍କର ଏହି ଉଲ୍ଲେଖନୀୟ ସଫଳତାରେ ଅଞ୍ଚଳବାସୀଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି । ପଦ୍ମପୁରସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ଷଷ୍ଠ ଶ୍ରେଣୀର ଛାତ୍ରୀ ଆକାଂକ୍ଷା ୪୫ ଜଣ ପ୍ରତିଯୋଗୀଙ୍କ ମଧ୍ୟରେ ନିଜର ପ୍ରତିଭା ଓ ଦକ୍ଷତା ବଳରେ ଶ୍ରେଷ୍ଠ ବିବେଚିତ ହୋଇ ଏହି ଟାଇଟଲ୍ ହାସଲ କରିଛନ୍ତି । ଅଳ୍ପ ବୟସରେ ଜାତୀୟସ୍ତରର ଏହି ସଫଳତା ହାସଲ କରି ସେ ନିଜ ପରିବାର, ବିଦ୍ୟାଳୟ ଓ ଜନ୍ମମାଟି ପଦ୍ମପୁରର ଗୌରବ ବୃଦ୍ଧି କରିଛନ୍ତି । ଏକ ଛୋଟ ସହରରୁ ନିଜର ଯାତ୍ରା ଆରମ୍ଭ କରି ଜାତୀୟ ମଞ୍ଚରେ ସଫଳତାର ମୁକୁଟ ପିନ୍ଧିବା ଆକାଂକ୍ଷାଙ୍କ ଏହି ସଫଳତା ଅନ୍ୟ ଯୁବ ପ୍ରତିଭାଙ୍କ ପାଇଁ ଏକ ପ୍ରେରଣାଦାୟକ ଉଦାହରଣ । ପ୍ରତିଭା, ଆତ୍ମବିଶ୍ୱାସ ଓ ଦୃଢ଼ ଇଚ୍ଛାଶକ୍ତି ଥିଲେ ଛୋଟ ସହରରୁ ମଧ୍ୟ ଜାତୀୟସ୍ତରରେ ନିଜର ପରିଚୟ ସୃଷ୍ଟି କରିହୁଏ ବୋଲି ତାଙ୍କର ଏହି କୃତିତ୍ୱ ପ୍ରମାଣିତ କରିଛି । ଆକାଂକ୍ଷାଙ୍କ ଏହି ସଫଳତାରେ ତାଙ୍କ ପିତା ଧରଣୀଧର ବାରିକ ଓ ମାତା ରଶ୍ମିତା ବାରିକଙ୍କ ସମେତ ପରିବାରବର୍ଗ, ବିଦ୍ୟାଳୟର ଶିକ୍ଷକ-ଶିକ୍ଷୟିତ୍ରୀ, ସହପାଠୀ ଓ ପଦ୍ମପୁରବାସୀ ଆନନ୍ଦ ପ୍ରକାଶ କରିଛନ୍ତି । ଆକାଂକ୍ଷାଙ୍କ ଏହି ସଫଳତା ଆଗାମୀ ଦିନରେ ଅଞ୍ଚଳର ଅନେକ ନୂତନ ପ୍ରତିଭାଙ୍କୁ ନିଜ ସ୍ୱପ୍ନ ପୂରଣ ପାଇଁ ଉତ୍ସାହିତ କରିବ ବୋଲି ଆଶା ପ୍ରକାଶ ପାଇଛି ।