
- ୨୫ରୁ ୨୯ ଜାନୁଆରୀ ୨୦୨୭ ପର୍ଯ୍ୟନ୍ତ ପାଞ୍ଚଦିନ ଧରି ମହାଆଡ଼ମ୍ବରରେ ଆୟୋଜିତ ହେବ ଶିକେରପାଟ୍ ମହୋତ୍ସବ
- ରାଜ୍ୟ ତଥା ରାଜ୍ୟ ବାହାରର ବିଭିନ୍ନ ପ୍ରାନ୍ତରୁ ଯୋଗଦେବେ ଲୋକକଳାକାର, ସାଂସ୍କୃତିକ ଦଳ ଓ କଳାପ୍ରେମୀ
ବଲାଙ୍ଗିର, (କେପିଏନ୍ଏସ୍) : ଖଡ଼ଙ୍ଗା ଅଞ୍ଚଳର କଳା, ସାହିତ୍ୟ, ସଂସ୍କୃତି, ପରମ୍ପରା ଓ ଐତିହ୍ୟର ସଂରକ୍ଷଣ ସହ ଆଞ୍ଚଳିକ ଏକତା ଓ ଭାଇଚାରାର ବାର୍ତ୍ତା ପ୍ରସାର ଲକ୍ଷ୍ୟରେ ଆସନ୍ତା ୨୦୨୭ ଜାନୁଆରୀ ୨୫ରୁ ୨୯ ତାରିଖ ପର୍ଯ୍ୟନ୍ତ ଘୁନାସ୍ଥିତ ମହୋତ୍ସବ ପଡ଼ିଆରେ ପାଞ୍ଚଦିନିଆ ଶିକେରପାଟ୍ ମହୋତ୍ସବ ୨୦୨୬–୨୭ ମହାଆଡ଼ମ୍ବରରେ ଆୟୋଜିତ ହେବ । ଏଥିରେ ଓଡ଼ିଶା ସମେତ ରାଜ୍ୟ ବାହାରର ବିଭିନ୍ନ ପ୍ରାନ୍ତରୁ ଲୋକକଳାକାର, ସାଂସ୍କୃତିକ ଦଳ ଓ କଳାପ୍ରେମୀ ଯୋଗଦେବେ । ଏନେଇ ରବିବାର ଘୁନାସ୍ଥିତ ମହୋତ୍ସବ ପଡ଼ିଆରେ ଶିକେରପାଟ୍ ମହୋତ୍ସବ କମିଟି, ଖଡ଼ଙ୍ଗା ଅଞ୍ଚଳ ପକ୍ଷରୁ ସଭାପତି ରୋହିତ ମାଝୀଙ୍କ ଅଧ୍ୟକ୍ଷତାରେ ଏକ ସାମ୍ବାଦିକ ସମ୍ମିଳନୀ ହୋଇଥିଲା । ଏଥିରେ ମହୋତ୍ସବର ଉଦ୍ଦେଶ୍ୟ, ଆୟୋଜନ ଓ ପ୍ରସ୍ତାବିତ କାର୍ଯ୍ୟକ୍ରମ ସମ୍ପର୍କରେ କମିଟି ପକ୍ଷରୁ ସୂଚନା ଦିଆଯାଇଥିଲା । କମିଟି ପକ୍ଷରୁ କୁହାଯାଇଛି ଯେ, ଘୁନା, ବିରାମୁଣ୍ଡା, ଜାମୁଟ ଓ ଗମ୍ଭାରୀଗୁଡ଼ା ଗ୍ରାମପଞ୍ଚାୟତର ୩୨ଟି ମୌଜାର ଆରାଧ୍ୟ ଦେବତା ପ୍ରଭୁ ଶିକେରପାଟ୍ ଅଞ୍ଚଳବାସୀଙ୍କ ଆସ୍ଥା, ବିଶ୍ୱାସ ଓ ଏକତାର ପ୍ରତୀକ । ଆଷାଢ଼ ଓ ପୌଷ ମାସର ଶୁକ୍ଳପକ୍ଷ ଦ୍ୱିତୀୟା ତିଥିରେ ପ୍ରଭୁଙ୍କ ପାରମ୍ପରିକ ଯାତ୍ରା ପାଳିତ ହୋଇଥାଏ । ଏହି ଐତିହାସିକ ଓ ଧାର୍ମିକ ପରମ୍ପରାକୁ ଆଧାର କରି ଏହି ମହୋତ୍ସବର ପରିକଳ୍ପନା କରାଯାଇଛି । ମହୋତ୍ସବରେ ଲୋକନୃତ୍ୟ, ଲୋକସଙ୍ଗୀତ, ପାରମ୍ପରିକ କଳା, ମୀନାବଜାର, ପଲ୍ଲିଶ୍ରୀ ମେଳା, ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା, ରକ୍ତଦାନ ଶିବିର, ଛାତ୍ରଛାତ୍ରୀଙ୍କ ପ୍ରତିଯୋଗିତା ଓ ସାହିତ୍ୟ-ସଂସ୍କୃତି ଆଲୋଚନା ଆୟୋଜନର ପ୍ରସ୍ତାବ ରହିଛି । ପଲ୍ଲିଶ୍ରୀ ମେଳା ମାଧ୍ୟମରେ ଗ୍ରାମୀଣ କାରିଗର, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଓ କ୍ଷୁଦ୍ର ଉଦ୍ୟୋଗୀଙ୍କୁ ନିଜ ଉତ୍ପାଦର ପ୍ରଦର୍ଶନ ଓ ବିକ୍ରୟ ପାଇଁ ସୁଯୋଗ ମିଳିବ । ଏହି ମହୋତ୍ସବକୁ ସଫଳ କରିବା ପାଇଁ ଚାରୋଟି ପଞ୍ଚାୟତର ଜନପ୍ରତିନିଧି, ବୁଦ୍ଧିଜୀବୀ, ଶିକ୍ଷାବିତ୍, କଳାକାର, ଯୁବଗୋଷ୍ଠୀ, ମହିଳା ସଂଗଠନ ଓ ସମସ୍ତ ଅଞ୍ଚଳବାସୀଙ୍କ ସହଯୋଗ କାମନା କରାଯାଇଛି । ଜାତି, ଧର୍ମ ଓ ରାଜନୈତିକ ମତଭେଦର ଊର୍ଦ୍ଧ୍ୱରେ ରହି ଏକତା ଓ ଭାଇଚାରାର ସେତୁ ଗଢ଼ିବା ହେଉଛି ଏହାର ମୂଳ ଉଦ୍ଦେଶ୍ୟ । ସମ୍ମିଳନୀରେ ଉପସଭାପତି ସୁରେନ୍ଦ୍ର ମାଝୀ, କୋଷାଧ୍ୟକ୍ଷ ଚିନ୍ତାମଣି ରଣା, ସହସମ୍ପାଦକ ଲକ୍ଷ୍ମଣ ସାହୁ, ଦାଶରଥି ପଧାନ, ବଳିଆର୍ ସିଂ ହରପାଲ, ଶଙ୍କରଷଣ କର୍ମୀ ଓ ତ୍ରିଲୋଚନ ରଣା ଉପସ୍ଥିତ ଥିଲେ । ସମ୍ପାଦକ ଲମ୍ବୋଦର ମନହିରା ସ୍ୱାଗତ ଭାଷଣ ଦେଇଥିବାବେଳେ ନାରାୟଣ ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।