
ରାଉରକେଲା, (ସସ୍ମିତା ପ୍ରଧାନ) : ସଚ୍ଚିଦାନନ୍ଦ ସ୍ମୃତି ସମିତିର ଦଶମ ବାର୍ଷିକ ଉତ୍ସବ ଛେଣ୍ଡ ସ୍ଥିତ ଚିନ୍ମୟ ଇଂରାଜୀ ମାଧ୍ୟମ ବିଦ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି । ଛଅ ପର୍ଯ୍ୟାୟ ବିଶିଷ୍ଟ ଦ୍ୱିଦିବସୀୟ ଏହି କାର୍ଯ୍ୟକ୍ରମର ଉଦଘାଟନୀ ଉତ୍ସବରେ ଉଦଘାଟକ ଭାବେ ପ୍ରାକ୍ତନ ଅତିରିକ୍ତ ଜିଲ୍ଲାପାଳ ମହେନ୍ଦ୍ର କୁମାର ପଟ୍ଟନାୟକ, ବିଶିଷ୍ଟ ଅତିଥି ଭାବେ ପ୍ରଫେସର ପ୍ରଫୁଲ୍ଲ କୁମାର ମହାନ୍ତି ଓ ସଭା ମୁଖ୍ୟ ଭାବେ ଶର୍ମିଷ୍ଠା କବି ଶତପଥୀ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କ ସହ ବାର୍ତ୍ତାଳାପ କରି ସେମାନଙ୍କ ସଂଶୟ ଦୂର କରିଥିଲେ । ଦ୍ୱିତୀୟ ପର୍ଯ୍ୟାୟ ଅଶୋକ ରାଉତଙ୍କ ସଂଯୋଜନାରେ ଡା ଗୀତାଞ୍ଜଳି ପତ୍ରି ସଭାପତିତ୍ୱ କରିଥିଲା ବେଳେ ମୁଖ୍ୟଅତିଥି ଭାବେ ଡା. କୃପାସିନ୍ଧୁ ନାୟକ ଓ କବିତା ଆବୃତ୍ତିରେ କୁଞ୍ଜବିହାରୀ ରାଉତ, ବିଜୟ ରାୟ, ବଳରାମ ରାଉଳ, ତ୍ରିଲୋଚନ ସ୍ୱାଇଁ, ବ୍ରଜେନ୍ଦ୍ର ଦାଶ, ଗୌତମ ଦାସ ପ୍ରମୁଖ କବିତା ପାଠ କରିଥିଲେ । ତୃତୀୟ ପର୍ଯ୍ୟାୟ ପ୍ରଜ୍ଞା ପୁରୁଷଙ୍କ ପ୍ରଜ୍ଞା ପ୍ରବାହ ଆଲୋଚ୍ୟ ପ୍ରସଙ୍ଗ ବିଶ୍ୱ ସାହିତ୍ୟର ମହାଦିଗନ୍ତରେ ଓଡ଼ିଆ ସାହିତ୍ୟର ସ୍ୱର ଓ ସ୍ୱାକ୍ଷର କାର୍ଯ୍ୟକ୍ରମରେ ସଭାମୁଖ୍ୟ ଭାବେ ଅରବିନ୍ଦ ମିଶ୍ର, ବିଶିଷ୍ଟ ଅତିଥି ଭାବେ ପ୍ରଫେସର ପ୍ରଫୁଲ୍ଲ କୁମାର ମହାନ୍ତି ଓ ଶର୍ମିଷ୍ଠା କବିଶତପଥୀ ପ୍ରାକ୍ ସୂଚନା ପ୍ରଦାନ କରିଥିଲେ । ପ୍ରଫେସର ମହାନ୍ତି ଆଲୋଚ୍ୟ ପ୍ରସଙ୍ଗରେ ମତ ରଖି କହିଲେ ଯେ, ସାହିତ୍ୟ ଲେଖାଯାଏ ବିଶ୍ୱାସ ଓ ଏକ ସଂସ୍କୃତି ମଧ୍ୟରେ । କବି ହେଉଛନ୍ତି ସୃଷ୍ଟିଶୀଳ ଆତ୍ମା । ସାହିତ୍ୟରେ ଲାଳିତ୍ୟ, ଗୀତିମୟତା ଓ ସମର୍ପଣ ଭାବ ରହିଲେ ଭଲ ସାହିତ୍ୟ/କବିତା ସୃଷ୍ଟି ହୋଇପାରିବ । ମଣିଷର ଜୟଗାନ କରି କବିତା ଲେଖିଲେ ଭଲ ସାହିତ୍ୟ ସୃଷ୍ଟି ହେବ । ଶେଷରେ ନିହାରିକା ବସ୍ତିଆ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ଶିକ୍ଷା କ୍ଷେତ୍ରରେ ବିଶେଷ ଅବଦାନ ପାଇଁ ଲୀନା ମଲ୍ଲିକ ଓ ସଂଯୁକ୍ତା ଦାସଙ୍କୁ ସଚ୍ଚିଦାନନ୍ଦ ସ୍ମୃତି ଆଦର୍ଶ ଶିକ୍ଷକ ସମ୍ମାନରେ ସମ୍ମାନିତ କରାଯାଇଥିଲା । ଚତୁର୍ଥ ପର୍ଯ୍ୟାୟ ଶବ୍ଦ, ଛନ୍ଦ ଓ ଅନୁଭବର ସମାବେଶ କାର୍ଯ୍ୟକ୍ରମରେ ସୁସ୍ମିତା ମହାପାତ୍ରଙ୍କ ସଂଯୋଜନା ଓ ରଶ୍ମିବାଳା ରାଉତରାୟଙ୍କ ସଭାପତିତ୍ୱରେ ପରେଶ ବିଶ୍ୱାଳ, ସୁଶାନ୍ତ ନାୟକ, କିଶୋରୀ ମୋହନ କର, ଧରିତ୍ରୀ ପାଇକରାୟ, ସଂଜୀବ ଭୋଇ, ନିରୁପମା ପତି, ବବି ମହାଳିକ, ପ୍ରଦୀପ କୁମାର ପଣ୍ଡା, ଉପେନ୍ଦ୍ର ବସ୍ତିଆ, ଗୀତାରାଣୀ ବେହେରା ପ୍ରମୁଖ କବିତା ପାଠ କରିଥିଲେ । ଆଲୋକ ରଂଜନ ମଲ୍ଲିକ ଧନ୍ୟବାଦ ଅର୍ପଣ କରିଥିଲେ । ପଞ୍ଚମ ପର୍ଯ୍ୟାୟ କାବ୍ୟ କବିତାର ସହର ଇସ୍ପାତ ନଗରୀ କାର୍ଯ୍ୟକ୍ରମରେ ଅଧ୍ୟାପକ ଶଙ୍କର ପ୍ରସାଦ ତ୍ରିପାଠୀ ସଭାମୁଖ୍ୟ ଭାବେ ଓ ଆଲୋଚକ ଭାବେ ଡ. ଅଶ୍ୱିନୀ କୁମାର ରାୟ ୧୯୬୦ରୁ ୨୦୦୦ ଓ ଅଧ୍ୟାପକ କରୁଣାକର ପାଟ୍ଟଶାଣୀ ୨୦୦୧ରୁ ୨୦୨୬ ମସିହା ମଧ୍ୟରେ କାବ୍ୟ କବିତା ସୃଷ୍ଟି କରିଥିବା କବି ସାହିତ୍ୟିକଙ୍କ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ । ଷଷ୍ଠ ପର୍ଯ୍ୟାୟ ତଥା ଉଦଯାପନୀ ଉତ୍ସବରେ କବି ବିଜୟଲକ୍ଷ୍ମୀ ପଟ୍ଟନାୟକଙ୍କ ସଂଯୋଜନାରେ ରାଜୀବ ପାଣି ସଭା ମୁଖ୍ୟ ଓ ମୁଖ୍ୟଅତିଥି ଭାବେ ପ୍ରାକ୍ତନ ଜିଏସ୍ଟି ଅଧିକାରୀ ପ୍ରକାଶ ଚନ୍ଦ୍ର ଦୋରା ତଥା ସମ୍ମାନିତ ଅତିଥି ଭାବେ ଗୋକର୍ଣ୍ଣିକା ପତ୍ରିକାର ସମ୍ପାଦକ ରମାକାନ୍ତ ଜେନା ଯୋଗଦେଇଥିଲେ । ମୁଖ୍ୟଅତିଥି ଶ୍ରୀ ଦୋରା ତାଙ୍କ ବକ୍ତବ୍ୟରେ କହିଲେ ଯେ, ଯେଉଁ ସାହିତ୍ୟ ଜୀବନ ସହ ଜଡ଼ିତ, ସେ ସାହିତ୍ୟ ମରିବ ନାହିଁ । ସମ୍ମାନିତ ଅତିଥି ଶ୍ରୀ ଜେନା ତାଙ୍କ ବକ୍ତବ୍ୟରେ କହିଲେ ଯେ, ସାହିତ୍ୟ ବଞ୍ଚିଲେ ସମାଜ ବଞ୍ଚିବ। ଓଡ଼ିଶାର ଭାଷା ସାହିତ୍ୟ ବିଶ୍ୱସ୍ତରୀୟ ହୋଇ ସାରିଲାଣି । ଯିଏ ମଣିଷକୁ ପଢିପାରି ନାହିଁ ସେ ଭଲ ସାହିତ୍ୟ ସୃଷ୍ଟି କରିପାରିବ ନାହିଁ । ସଭାପତି ଅଭିଭାଷଣରେ ଶ୍ରୀ ପାଣି କହିଲେ ଯେ, ଆମ ସାହିତ୍ୟ ବିଶ୍ବ ସାହିତ୍ୟ ପାଇଁ ଅମ୍ଳାନ ନକ୍ଷତ୍ର । ସାହିତ୍ୟ ଜୀବନର ମହୌଷଧି । ଅନ୍ତର୍ଭେଦୀ ହେଲେ ଭଲ ସାହିତ୍ୟ ସୃଷ୍ଟି ହେବ । ଏହି ଅବସରରେ କବି ବିଜୟ ରାୟଙ୍କୁ ସଚ୍ଚିଦାନନ୍ଦ ସ୍ମୃତି ସାରସ୍ଵତ ସମ୍ମାନ ଓ କବି ଶ୍ରୀଧର ସୁନା ଙ୍କୁ ସଚ୍ଚିଦାନନ୍ଦ ସ୍ମୃତି ସାରସ୍ଵତ ସେବା ସମ୍ମାନ ସହ ୧୦ ହଜାର ଟଙ୍କା ଆର୍ଥିକ ରାଶି ପ୍ରଦାନ କରାଯାଇଥିଲା । ଶେଷରେ କାର୍ଯ୍ୟକ୍ରମର ମୁଖ୍ୟ ଆବାହକ ଶର୍ମିଷ୍ଠା କବିଶତପଥୀ ସମସ୍ତଙ୍କୁ ଧନ୍ୟବାଦ ସହ କୃତଜ୍ଞତା ଜ୍ଞାପନ କରିଥିଲେ । ଏହି କାର୍ଯ୍ୟକ୍ରମରେ ସହରର ବହୁ ସଂଖ୍ୟାରେ ସାହିତ୍ୟିକ, କବି, ଶିକ୍ଷାବିତ, ସମାଲୋଚକ ତଥା ସାହିତ୍ୟପ୍ରେମୀ ଯୋଗ ଦେଇଥିଲେ ।