jayashree

ଶିକରପାଇ ଗାଁରେ ଦନ୍ତାହାତୀର ଆତଙ୍କ : ରାତିରେ ଗାଁ ଭିତରେ ପଶିଲା ଗଜରାଜ

ରାୟଗଡ଼ା, (ଅକ୍ଷୟ କୁମାର ପିଡ଼ିସିକା) : ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଶିକରପାଇ ସଦର ଗାଁରେ ଦନ୍ତାହାତୀକୁ ନେଇ ଆତଙ୍କ ଖେଳିଯାଇଛି । ଦିନ ଦ୍ୱିପ୍ରହରରୁ ଆରମ୍ଭ ହୋଇଥିବା ହାତୀର ଚଳପ୍ରଚଳ ରାତିରେ ଗାଁ ଭିତରେ ପହଞ୍ଚିବା ପରେ ଲୋକଙ୍କ ଚିନ୍ତା ବଢ଼ିଯାଇଛି । ସୂଚନା ଅନୁସାରେ, ଏକ ଦନ୍ତାହାତୀ ବୁଡ଼ାଗୁଡ଼ା ଗ୍ରାମପଞ୍ଚାୟତର କଦଳିଛୁଆଁ ନିକଟସ୍ଥ ଜଙ୍ଗଲରେ ବୁଲୁଥିବା ଦେଖିବାକୁ ମିଳିଥିଲା । ଖବର ପାଇ ବନ ବିଭାଗ କର୍ମଚାରୀ ହାତୀକୁ ଘଉଡ଼ାଇବାରୁ ଏହା କରପା ପଞ୍ଚାୟତର ପୋଡ଼ଛୁଆଁ ଗାଁ ନିକଟରେ ପହଞ୍ଚିଥିଲା। ସେଠାରେ ବନ ବିଭାଗ କର୍ମଚାରୀ ଓ ସ୍ଥାନୀୟ ଲୋକେ ବାଜା ବଜାଇ ହାତୀକୁ ଜଙ୍ଗଲ ଆଡ଼କୁ ଘଉଡ଼ାଇବାକୁ ଉଦ୍ୟମ କରିଥିଲେ । ହେଲେ ଦନ୍ତାହାତୀ କାହାରିକୁ ଖାତିର ନକରି ଗାଁ ନିକଟରେ ଅଟକି ରହିଥିଲା । ଅନ୍ୟପଟେ, ରାତି ହେବା ପରେ ହାତୀଟି ପଛକୁ ଫେରି ବୁଡ଼ାଗୁଡ଼ା ପଞ୍ଚାୟତର ଢେପଗୁଡ଼ା ଗାଁ ନିକଟ ସୁଣ୍ଡି ମଶାଣି ଅଞ୍ଚଳରେ ପହଞ୍ଚିଥିଲା । ହାତୀ ଗାଁ ଭିତରେ ପଶିଯିବା ଆଶଙ୍କାରେ ଗ୍ରାମବାସୀ ଗାଁ ଚାରିପାଖରେ ନିଆଁ ଓ ଲାଇଟ୍ ଜଳାଇ ସତର୍କ ରହିଥିଲେ । ଏହାପରେ ହାତୀଟି ଦିଗ ବଦଳାଇ ଶିକରପାଇ ସଦର ଗାଁ ଭିତରକୁ ପଶିଯାଇଥିଲା । ରାତି ପ୍ରାୟ ୮ଟା ସମୟରେ ମାର୍ଥା ସାହିରେ ପହଞ୍ଚି ଦନ୍ତାହାତୀ କଦଳୀ ଖାଇବା ସହ କିଛି ଟିଣ ଫିଙ୍ଗି ଦେଇଥିବା ଜଣାପଡ଼ିଛି। ଏପରିକି ଗାଁରେ ଥିବା ଗଜଲକ୍ଷ୍ମୀ ପୂଜା ମଣ୍ଡପ ନିକଟକୁ ମଧ୍ୟ ଯାଇଥିଲା ହାତୀ । ପରେ ମଝିଗୁଡ଼ା ପଞ୍ଚାୟତର କୁରାଡ଼ି ଓ କଟଲପାଡ଼ୁ ଅଞ୍ଚଳରେ ହାତୀଟି ଥିବା ସୂଚନା ମିଳିଛି । ଦନ୍ତାହାତୀର ଏଭଳି ଗାଁ ଭିତରେ ଚଳପ୍ରଚଳକୁ ନେଇ ଅଞ୍ଚଳବାସୀ ଭୟଭୀତ ହୋଇପଡ଼ିଥିବା ବେଳେ ବନ ବିଭାଗ ପକ୍ଷରୁ ହାତୀର ଗତିବିଧି ଉପରେ ନଜର ରଖିବା ସହ ଲୋକଙ୍କୁ ସତର୍କ ରହିବାକୁ ଆହ୍ୱାନ ଦେବା ଜରୁରୀ ହୋଇପଡ଼ିଛି ।

Leave A Reply

Your email address will not be published.