jayashree

ନଅଗାଁ ଠାରେ ଅନଲାଇନ୍ ସୁରକ୍ଷା ଅଭିଯାନ “ଟିଂ ଟଙ୍ଗ”ର ଶୁଭାରମ୍ଭ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଶିଶୁମାନଙ୍କୁ ଡିଜିଟାଲ୍ ଜଗତରେ ସୁରକ୍ଷିତ ରଖିବା ଏବଂ ସାଇବର ସୁରକ୍ଷା ସମ୍ପର୍କରେ ସଚେତନ କରିବା ଲକ୍ଷ୍ୟରେ ବଲାଙ୍ଗିର ଜିଲ୍ଲା ନଅଗାଁ(ଖ) ଠାରେ “କ୍ରାଏ”(Child Rights and You) ଏବଂ ପଲ୍ଲୀ ଆଲୋକ ପାଠାଗାରର ମିଳିତ ସହଯୋଗରେ ଜାତୀୟ ଅନଲାଇନ୍ ସୁରକ୍ଷା ଅଭିଯାନ “ଟିଁ ଟଙ୍ଗ” ର ଶୁଭାରମ୍ଭ ହୋଇଛି । ଏହି କାର୍ଯ୍ୟକ୍ରମରେ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ ଓ ରାଜ୍ୟସଭା ସାଂସଦ ସୁଜିତ କୁମାର ଯୋଗଦେଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ଶିଶୁ ଓ କିଶୋର କିଶୋରୀ ମାନଙ୍କ ମଧ୍ୟରେ ସାଇବର ସୁରକ୍ଷା ସମ୍ପର୍କିତ ସଚେତନତା ସୃଷ୍ଟି କରିବା, ଇଣ୍ଟରନେଟ୍ ଓ ସୋସିଆଲ୍ ମିଡିଆର ସକାରାତ୍ମକ ବ୍ୟବହାରକୁ ପ୍ରୋତ୍ସାହିତ କରିବା ଏବଂ ସାଇବର ବୁଲିଂ, ଅନଲାଇନ୍ ଠକେଇ, ଟ୍ରୋଲିଂ, ବ୍ୟକ୍ତିଗତ ତଥ୍ୟର ଅପବ୍ୟବହାର ଓ ଅନଲାଇନ୍ ଯୌନ ଶୋଷଣ ଭଳି ବିପଦରୁ ଶିଶୁମାନଙ୍କୁ ସୁରକ୍ଷା ଦେବା ତଥା ଶିଶୁ ମାନଙ୍କୁ ନିଜର ଡିଜିଟାଲ୍ ଅଧିକାର ଓ ସୁରକ୍ଷା ପ୍ରତି ସଚେତନ ଓ ଦାୟିତ୍ୱବାନ କରିବା ହେଉଛି ଏହି ଅଭିଯାନର ମୂଳ ଲକ୍ଷ୍ୟ । ପ୍ରାରମ୍ଭରେ ଗୋବିନ୍ଦଚନ୍ଦ୍ର ବିଶି ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବିଜେ ପଲ୍ଲୀ ଆଲୋକ ପାଠାଗାରର ବରିଷ୍ଠ କାର୍ଯ୍ୟକ୍ରମ ପରିଚାଳକ ହୀରାଲାଲ ମିଶ୍ର ଅଭିଯାନର ପୃଷ୍ଠଭୂମି, ଲକ୍ଷ୍ୟ, ଉଦ୍ଦେଶ୍ୟ ତଥା ବରଗଡ଼ ଓ ବଲାଙ୍ଗିର ଜିଲ୍ଲାରେ ଏହାର କାର୍ଯ୍ୟକାରିତା ସମ୍ପର୍କରେ ମତବ୍ୟକ୍ତ କରିଥିଲେ । ଡିଜିଟାଲ୍ ପ୍ରକ୍ରିୟାର ବ୍ୟବହାର ସମୟରେ ସତର୍କତା, ସଚେତନତା ଓ ଦାୟିତ୍ୱବୋଧ ରଖିବା ସହିତ ଶିଶୁମାନଙ୍କୁ ଅନଲାଇନ୍ ବିପଦରୁ ସୁରକ୍ଷା ଦେବାରେ ପରିବାର ଓ ସମାଜର ଭୂମିକା ରହିଥିବା ନେଇ ମନ୍ତ୍ରୀ ଡ. ମହାଲିଙ୍ଗ ଆଲୋକପାତ କରିଥିଲେ । ରାଜ୍ୟସଭା ସାଂସଦ ସୁଜିତ କୁମାର ଶିଶୁ ଓ କିଶୋର କିଶୋରୀମାନଙ୍କ ସହିତ ସିଧାସଳଖ ଆଲୋଚନା କରି ଇଣ୍ଟରନେଟ୍ ଓ ସୋସିଆଲ୍ ମିଡିଆର ସକାରାତ୍ମକ ଓ ନକାରାତ୍ମକ ପ୍ରଭାବ ବିଷୟରେ ମତ ବିନିମୟ କରିବା ସହିତ ଡିଜିଟାଲ୍ ଜ୍ଞାନ ଓ ସୁଯୋଗର ସଦୁପଯୋଗ କରି ଅନଲାଇନ୍ ବିପଦ ପ୍ରତି ସଚେତନ ରହିବାକୁ ପରାମର୍ଶ ଦେଇଥିଲେ । ଶିଶୁ ମାନଙ୍କ ପାଇଁ ଏକ ସୁରକ୍ଷିତ ଓ ଅନୁକୂଳ ଡିଜିଟାଲ ପରିବେଶ ଗଠନ କରିବା ସହିତ ଶିଶୁ ଅଧିକାର ଓ ସୁରକ୍ଷାକୁ ସୁଦୃଢ଼ କରିବା ଦିଗରେ କ୍ରାଏ ଓ ପଲ୍ଲୀ ଆଲୋକ ପାଠାଗାରର ଏହି ମିଳିତ ପ୍ରୟାସକୁ ପ୍ରଶଂସା କରାଯାଇଛି । କାର୍ଯ୍ୟକ୍ରମ ପରିଚାଳନାରେ ପଲ୍ଲୀ ଆଲୋକ ପାଠାଗାରର ପ୍ରଶାନ୍ତ କୁଅଁର, ପ୍ରହ୍ଲାଦ ପଧାନ, ସୁଶାନ୍ତ ସା ଆଶିଷ ବିଶ୍ୱାଳ ପ୍ରମୁଖ ସହଯୋଗ କରିଥିବା ବେଳେ ସଭାପତି ରମେଶ ପଧାନ ଧନ୍ୟବାଦ୍ ଅର୍ପଣ କରିଥିଲେ ।

Leave A Reply

Your email address will not be published.