
- ସାଧୁତା ଓ ସ୍ୱଚ୍ଛତାର ବାର୍ତ୍ତା ନେଇ ସାମିଲ ହେଲେ ମିଶନ ଶକ୍ତିର ମହିଳା
ବାରିପଦା, (ଦେବସ୍ମିତ ଚୌଧୁରୀ) : ଦୁର୍ନୀତି ବିରୋଧୀ ସାମାଜିକ ଆନ୍ଦୋଳନକୁ ତୃଣମୂଳସ୍ତରରେ ଅଧିକ ସୁଦୃଢ଼ କରିବା ସହ ମହିଳାମାନଙ୍କ ମଧ୍ୟରେ ସାଧୁତା ଓ ନୈତିକତାର ବାର୍ତ୍ତା ପ୍ରସାର ଲକ୍ଷ୍ୟରେ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ-୨୦୨୬ ପରିପ୍ରେକ୍ଷୀରେ ଜିଲ୍ଲା ମିଶନ ଶକ୍ତି ବିଭାଗ ପକ୍ଷରୁ ବାରିପଦାଠାରେ ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନଙ୍କୁ ନେଇ ଏକ ସଚେତନତା ପଦଯାତ୍ରା ଆୟୋଜିତ ହୋଇଥିଲା । ଅତିରିକ୍ତ ଜିଲ୍ଲାପାଳ ଦୁଃଖବନ୍ଧୁ ନାୟକ ଏବଂ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ଧର୍ମାନନ୍ଦ ବେହେରା ପତାକା ଦେଖାଇ ପଦଯାତ୍ରାର ଶୁଭାରମ୍ଭ କରିଥିଲେ । ଏହି ଅବସରରେ ସେମାନେ ଦୁର୍ନୀତି ନିରାକରଣରେ ସମାଜର ସମସ୍ତ ବର୍ଗର ଲୋକଙ୍କ ସକ୍ରିୟ ସହଭାଗିତାର ଆବଶ୍ୟକତା ଉପରେ ଗୁରୁତ୍ୱ ଦେଇଥିଲେ । ପଦଯାତ୍ରାରେ ସାମିଲ ମହିଳାମାନେ ସାଧୁତା, ସ୍ୱଚ୍ଛତା ଓ ଦୁର୍ନୀତିମୁକ୍ତ ସମାଜ ଗଠନର ବାର୍ତ୍ତା ପ୍ରସାର କରିଥିଲେ । ଦୈନନ୍ଦିନ ଜୀବନ ଓ ସାମାଜିକ କାର୍ଯ୍ୟକଳାପରେ ସଚ୍ଚୋଟତା ଓ ନୈତିକତା ଅବଲମ୍ବନ କରିବା ସହ ଦୁର୍ନୀତି ବିରୋଧରେ ସମସ୍ତେ ଏକଜୁଟ ହେବାକୁ ସେମାନେ ଆହ୍ୱାନ ଦେଇଥିଲେ । ତୃଣମୂଳସ୍ତରରେ ମହିଳାମାନଙ୍କ ସକ୍ରିୟ ଭୂମିକା ଏକ ସ୍ୱଚ୍ଛ ଓ ଦାୟିତ୍ୱସମ୍ପନ୍ନ ସମାଜ ଗଠନରେ ଗୁରୁତ୍ୱପୂର୍ଣ୍ଣ ବୋଲି ଏହି ପଦଯାତ୍ରା ମାଧ୍ୟମରେ ବାର୍ତ୍ତା ଦିଆଯାଇଥିଲା । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରିଣୀ ଶ୍ରୀମତୀ ସଂଯୁକ୍ତା ମହାରଣା, ଜିଲ୍ଲା ସୁରକ୍ଷା ଅଧିକାରୀ ଶ୍ରୀମତୀ ସସ୍ମିତା ମହାନ୍ତି ଏବଂ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀମତୀ ମମତାମୟୀ ବିଶ୍ୱାଳଙ୍କ ସମେତ ମିଶନ ଶକ୍ତି ବିଭାଗର ଅଧିକାରୀ ଓ ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନେ ଉପସ୍ଥିତ ଥିଲେ ।