jayashree

କୋଟିଆକୁ ନେଇ ତେଜିଲା ରାଜନୀତି, ସୁପ୍ରିମକୋର୍ଟ ଗଲେ କୋରାପୁଟ ଜିଲ୍ଲାପାଳ

ଭୁବନେଶ୍ୱର : କୋଟିଆକୁ ନେଇ ଓଡ଼ିଶା-ଆନ୍ଧ୍ର ମଧ୍ୟରେ ପୁଣି ତେଜିଲା ବିବାଦ । କୋଟିଆ ଗ୍ରାମପୁଞ୍ଜର କେତେକ ଅଞ୍ଚଳରେ ଆନ୍ଧ୍ର ସରକାର ପଞ୍ଚାୟତ ନିର୍ବାଚନ କରାଇବାକୁ ଉଦ୍ୟମ କରୁଥିବାରୁ ଓଡ଼ିଶାରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଏହାକୁ ନେଇ ବିଭିନ୍ନ ରାଜନୈତିକ ଦଳ ବିରୋଧ ଆରମ୍ଭ କରିଥିବା ବେଳେ ଏବେ ଆଇନଗତ ଲଢ଼େଇ ମଧ୍ୟ ଜୋରଦାର ହୋଇଛି । ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଙ୍କ ସୂଚନା ଅନୁସାରେ, କୋରାପୁଟ ଜିଲ୍ଲାପାଳ ମନୋଜ ସତ୍ୟବାନ୍‌ ମହାଜନ ଏହି ପ୍ରସଙ୍ଗରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । ମନ୍ତ୍ରୀଙ୍କ କହିବା ଅନୁଯାୟୀ, ଗତ ୧୦ ତାରିଖରେ ଆନ୍ଧ୍ରପ୍ରଦେଶ ପକ୍ଷରୁ ଜିଲ୍ଲା ପରିଷଦ ଓ ସମିତିସଭ୍ୟ ନିର୍ବାଚନ ପାଇଁ ବିଜ୍ଞପ୍ତି ଜାରି ହୋଇଥିଲା । ଏଥିରେ କୋଟିଆ ଗ୍ରାମପୁଞ୍ଜକୁ ସାମିଲ କରାଯାଇଥିବାରୁ ଏହା ସୁପ୍ରିମକୋର୍ଟଙ୍କ ସ୍ଥିତାବସ୍ଥା ନିର୍ଦ୍ଦେଶର ଉଲ୍ଲଂଘନ ବୋଲି ଓଡ଼ିଶା ପକ୍ଷରୁ ଅଭିଯୋଗ ହୋଇଛି । ଏହି ମାମଲାରେ ଆନ୍ଧ୍ରପ୍ରଦେଶର ରାଜ୍ୟ ନିର୍ବାଚନ କମିଶନର, ମୁଖ୍ୟ ଶାସନ ସଚିବ, ଗୃହ ସଚିବ ଓ ପାର୍ବତୀପୁରମ୍‌ ଜିଲ୍ଲାପାଳଙ୍କୁ ମଧ୍ୟ ପକ୍ଷଭୁକ୍ତ କରାଯାଇଛି । ମାମଲାର କେସ୍‌ ନମ୍ବର ୬୬୭୨୭ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି । ଅନ୍ୟପଟେ, କୋଟିଆ ପ୍ରସଙ୍ଗରେ ଏକ ସର୍ବଦଳୀୟ ବୈଠକ ଡାକିବାକୁ ମଧ୍ୟ ରାଜ୍ୟ ସରକାର ଯୋଜନା କରୁଛନ୍ତି । ଏନେଇ ମନ୍ତ୍ରୀ ସୁରେଶ ପୂଜାରୀ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସହ ଫୋନ୍‌ ଯୋଗେ ଆଲୋଚନା କରିଛନ୍ତି । ତେବେ ବୈଠକ ସମ୍ପର୍କରେ ଚୂଡ଼ାନ୍ତ ନିଷ୍ପତ୍ତି ହୋଇନାହିଁ । କୋଟିଆକୁ ନେଇ ରାଜନୈତିକ ତାତି ବଢ଼ୁଥିବା ବେଳେ ଏବେ ସମସ୍ତଙ୍କ ନଜର ସୁପ୍ରିମକୋର୍ଟଙ୍କ ପରବର୍ତ୍ତୀ ପଦକ୍ଷେପ ଉପରେ ।

Leave A Reply

Your email address will not be published.