
ଲୋଇସିଂହା, (ବିମଳେନ୍ଦୁ ସାହୁ) : ଗ୍ରାମାଞ୍ଚଳର ବିକାଶ ତଥା ଉନ୍ନତିକରଣ ହେଉଛି ସରକାରଙ୍କ ପ୍ରାଥମିକ କର୍ତ୍ତବ୍ୟ । ଏଥିପାଇଁ ପ୍ରତି ଗ୍ରାମକୁ ପାନୀୟ ଜଳ ଯୋଗାଣ ସାଙ୍ଗକୁ ଆବାସ ଯୋଜନାରେ ଗୃହ ପ୍ରଦାନ ଓ ଗାଁରେ ସହରୀ ସୁବିଧାକୁ ସରକାର ପ୍ରାଥମିକତା ଦେଉଛନ୍ତି । ଦେଶ ସ୍ୱାଧୀନତାର ଶତବାର୍ଷିକୀ ଅବସରରେ ଏକ ରୋଡ ମ୍ୟାପ ପ୍ରସ୍ତୁତି କରାଯାଇ ଓଡ଼ିଶାକୁ ଏକ ବିକଶିତ ରାଜ୍ୟ ଗଢି ତୋଳିବାରେ ଭିଜନ ୨୦୩୬-୪୭କୁ କାର୍ଯ୍ୟକାରୀ କରିବା ପାଇଁ ସରକାର ପ୍ରତିଶୃତିବଦ୍ଧ ବୋଲି ଲୋଇସିଂହା ବ୍ଲକ ବୁଢ଼ୀପଦର ଠାରେ ଅନୁଷ୍ଠିତ ଶିଳାନ୍ୟାସ ଓ ଉଦ୍ଘାଟନ କାର୍ଯ୍ୟକ୍ରମରେ ଅତିଥି ଭାବେ ଯୋଗଦେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ ପ୍ରକାଶ କରିଥିଲେ । ଅନ୍ୟତମ ଅତିଥି ଭାବେ ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତିରାଜ ମନ୍ତ୍ରୀ ରବିନାରାୟଣ ନାଏକ ଯୋଗଦେଇ ପିଏମ୍ ସୂର୍ଯ୍ୟଘର ଯୋଜନାରେ ପ୍ରତି ହିତାଧିକାରୀଙ୍କୁ ରାଜ୍ୟ ସରକାର ୫୦ ହଜାର ଟଙ୍କାର ମାଗଣା ବିଜୁଳି ଯୋଗାଇ ଦେଉଥିବା ବେଳେ ଗତ ଅଢେଇ ବର୍ଷରେ ୫୦ ହଜାର ଯୁବକଙ୍କୁ ନିଯୁକ୍ତି ଦେବା ସହିତ ଆହୁରି ଦେଢ଼ ଲକ୍ଷ ଯୁବକଙ୍କୁ ନିଯୁକ୍ତି ପ୍ରଦାନ ପାଇଁ ଲକ୍ଷ୍ୟ ଧାର୍ଯ୍ୟ ଥିବା ସୂଚନା ଦେଇଥିଲେ । ସ୍ଥାନୀୟ ସରପଞ୍ଚ ଲକ୍ଷ୍ମୀ ପଧାନଙ୍କ ସଭାପତିତ୍ୱରେ ଆୟୋଜିତ ଏହି ଶିଳାନ୍ୟାସ ଓ ଉଦ୍ଘାଟନ କାର୍ଯ୍ୟକ୍ରମରେ ବଲାଙ୍ଗିର ଅତିରିକ୍ତ ଜିଲ୍ଲାପାଳ ପବିତ୍ର ରାଉତ, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତରଣିସେନ୍ ସୁନା, ଲୋଇସିଂହା ବିଡ଼ିଓ ଅକ୍ଷୟ ପାଣି ଉଦ୍ଦୁ, ଆଗଲପୁର ବିଡ଼ିଓ ମହାପାତ୍ର କୁଲଦୀପ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ । ଏହି ଅବସରରେ ଲୋଇସିଂହା ନିର୍ବାଚନ ମଣ୍ଡଳୀର ୧୩ ଟି ନୂତନ ପ୍ରକଳ୍ପର ଶିଳାନ୍ୟାସ କରାଯାଇଥିବା ବେଳେ ୨୦ଟି ପ୍ରକଳ୍ପର ଶୁଭ ଉଦ୍ଘାଟନ କରାଯାଇଥିଲା । ଏଥିପାଇଁ ମୋଟ ୬୫ କୋଟି ବ୍ୟୟ ବରାଦ ହୋଇଥିବା ଜଣାଯାଇଛି । ପିଇଓ ସମାରୁ ଦଣ୍ଡସେନା ଓ ପୁଷ୍ପାଞ୍ଜଳି ସ୍ୱାଇଁ କାର୍ଯ୍ୟକ୍ରମ ସଂଯୋଜନା କରିଥିବା ବେଳେ ସହକାରୀ ଯନ୍ତ୍ରୀ ସିଦ୍ଧାର୍ଥ ପାଢ଼ୀ, ଏବିଡ଼ିଓ କିଶୋର ଚନ୍ଦ୍ର ମାନସିଂହ ସମାଜସେବୀ ଯୁଧିଷ୍ଠିର ପଧାନଙ୍କ ସମେତ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ତଥା ଗ୍ରାମ୍ୟ ଉନ୍ନୟନ ବିଭାଗର ସମସ୍ତ ଅଧିକାରୀ ଓ କର୍ମଚାରୀ ସହଯୋଗ କରିଥିଲେ ।