
- ସିସିଟିଭି ଯାଞ୍ଚ କଲା ସ୍ୱତନ୍ତ୍ର ଟିମ
ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ କଲେଜ ଛାତ୍ର ସଂସଦ ନିର୍ବାଚନରେ ଅନିୟମିତତା ଅଭିଯୋଗ କରି ଗତ ଶନିବାର ଛତ୍ରପୁର ଉପଜିଲ୍ଲାପାଳ ତଥା କଲେଜ ପରିଚାଳନା କମିଟି ସଭାପତି ଡଃ. ଶିବାଶିଷ ବରାଳଙ୍କୁ ବିଜୁ ଜନତା ଦଳ ସମର୍ଥିତ ପ୍ରାର୍ଥୀ ମାନେ ଲିଖିତ ଦାବି ପତ୍ର ପ୍ରଦାନ କରିଥିଲେ । ଦାବି ପତ୍ର ପ୍ରଦାନ ପରେ ଉପଜିଲ୍ଲାପାଳ ତଦନ୍ତ ଆରମ୍ଭ କରିବା ସହ ଉପଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ମଙ୍ଗଳବାର ଏକ ସ୍ୱତନ୍ତ୍ର ଟିମ କଲେଜରେ ପହଞ୍ଚି ସିସିଟିଭି ଯାଞ୍ଚ କରିଛନ୍ତି । ପ୍ରକାଶ ଯୋଗ୍ୟ ନିର୍ବାଚନ ଘୋଷଣା ଦିନ ଭୋଟ ଗଣତିରେ ଅନିୟମିତତା ହୋଇଥିବା ନେଇ ଦୀର୍ଘ ଦେଢ଼ ଘଣ୍ଟା ସମୟ ଧରି କଲେଜ ଗେଟ ଅବରୋଧ କରି ହୋ ହାଲା କରିବା ସହ ପ୍ରତିବାଦ କରିଥିଲେ ବିସିଜେଡି ସମର୍ଥିତ ଛାତ୍ର । ଯାହାକୁନେଇ ସେଠାରେ ଉତ୍ତେଜନା ମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା । ଖବର ପାଇ ଗଞ୍ଜାମ ଥାନା ଆଇଆଇସି ସୁମିତ୍ରା ପାତ୍ର, ଅତିରିକ୍ତ ଆଇଆଇସି ଶୁଭଲକ୍ଷ୍ମୀ କହଁର ପ୍ରମୁଖ କଲେଜ ଯାଇ ପରିସ୍ଥିତି ନିୟନ୍ତ୍ରଣ କରିଥିଲେ । ନିର୍ବାଚନ ଶେଷ ହେବା ପରେ ଗଣତି ସମୟରେ ଏଜେଣ୍ଟ ମାନଙ୍କୁ କାହିଁକି ୪୦ ମିନିଟ୍ ପର୍ଯ୍ୟନ୍ତ ବାହାରକୁ ବାହାର କରିଦିଆଯାଇଥିଲା । ସେ ସମୟରେ ବାଲାଟ ପେପରରେ ଏପଟ ସେପଟ କରିଦିଆଯାଇଥିବା ସେମାନେ ଅଭିଯୋଗ କରିଛନ୍ତି । ବିକ୍ଷୋଭକାରୀ ବିସିଜେଡି ଛାତ୍ରମାନେ ସେ ସମୟର ସି ସି ଟି ଭି ଫୁଟେଜ ଦେଖାଇବା ପାଇଁ ଦାବି କରିଥିଲେ । କଲେଜ କର୍ମଚାରୀମାନେ ଏକ ନିର୍ଦ୍ଧିଷ୍ଟ ଦଳ ପ୍ରାର୍ଥୀଙ୍କୁ ଜିତାଇବାକୁ ଛାତ୍ର ମାନଙ୍କ ସହ ନିର୍ବାଚନ ରଣନୀତି ପ୍ରସ୍ତୁତ କରୁଥିବା ନେଇ ଭିଡିଓ ଭାଇରାଲକୁ ହୋଇଥିବା ଉପଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଏନେଇ କଲେଜ ଅଧ୍ୟକ୍ଷା ଡଃ. ସ୍ମରଣିକା ହୋତାଙ୍କ ପ୍ରତିକ୍ରିୟା ନେବାରେ ସରକାରଙ୍କ ନୀତିନିୟମ ପ୍ରକାରେ ସମସ୍ତ ନିର୍ବାଚନ ହୋଇଛି ବୋଲି ସେ ପୂର୍ବରୁ ସୂଚନା ଦେଇଛନ୍ତି ।