jayashree

ଦାଦନ ଖଟିବାକୁ ଯାଇ ଚେନ୍ନାଇରେ ଯୁବକଙ୍କ ମୃତ୍ୟୁ, ବେସାହାରା ଗର୍ଭବତୀ ସ୍ତ୍ରୀ ଓ ବୃଦ୍ଧା ମା’

ରାୟଗଡ଼ା : ଦାଦନ ଦୁଃଖର କରୁଣ ପରିଣତି । ପରିବାରର ଅଭାବ ଅନଟନ ଦୂର କରିବାକୁ ଦାଦନ ଖଟିବାକୁ ଯାଇଥିଲେ । ହେଲେ ଚେନ୍ନାଇରେ ଚାଲିଗଲା ଜୀବନ । ଏବେ ଘରେ ବୃଦ୍ଧା ମା’ ଓ ଗର୍ଭବତୀ ସ୍ତ୍ରୀଙ୍କ ମୁଣ୍ଡ ଉପରେ ଛିଣ୍ଡିପଡ଼ିଛି ଦୁଃଖର ପାହାଡ଼ । ମୃତଦେହକୁ ଗାଁକୁ ଫେରାଇ ଆଣିବା ପାଇଁ ପରିବାର ଲୋକେ ପ୍ରଶାସନର ସହାୟତା ଲୋଡ଼ିଛନ୍ତି । ମୃତ ଯୁବକ ହେଉଛନ୍ତି ରାୟଗଡ଼ା ଜିଲ୍ଲା ବିଷମକଟକ ବ୍ଲକ୍‌ କୁମ୍ଭାରଧାମୁଣି ଗାଁର ୨୫ ବର୍ଷୀୟ ବିଜୟ ବାଥେଲିଆ । ପରିବାରର ଆର୍ଥିକ ସ୍ଥିତି ସୁଧାରିବା ଆଶାରେ ସେ ଚେନ୍ନାଇକୁ ଦାଦନ ଖଟିବାକୁ ଯାଇଥିଲେ । ତେବେ କିଛି ଦିନ ଧରି ଜ୍ୱରରେ ପୀଡ଼ିତ ହେବା ପରେ ତାଙ୍କୁ ଚେନ୍ନାଇର ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ଆଜି ତାଙ୍କର ମୃତ୍ୟୁ ହୋଇଛି । ବିଜୟଙ୍କ ମୃତ୍ୟୁ ଖବର ଗାଁରେ ପହଞ୍ଚିବା ପରେ କୁମ୍ଭାରଧାମୁଣିରେ ଶୋକର ଛାୟା ଖେଳିଯାଇଛି । ଘରେ ଥିବା ୭୦ ବର୍ଷୀୟ ବୃଦ୍ଧା ମା’ ଓ ଗର୍ଭବତୀ ସ୍ତ୍ରୀ ଏବେ ସମ୍ପୂର୍ଣ୍ଣ ବେସାହାରା ହୋଇପଡ଼ିଛନ୍ତି । ଅନ୍ୟପଟେ ଦୂର ଚେନ୍ନାଇରୁ ମୃତଦେହକୁ ଗାଁକୁ ଆଣିବା କିପରି ସମ୍ଭବ ହେବ, ସେହି ଚିନ୍ତାରେ ଭାଙ୍ଗିପଡ଼ିଛନ୍ତି ପରିବାର ଲୋକେ । ମୃତଦେହକୁ ନିଜ ଗାଁକୁ ଫେରାଇ ଆଣିବା ପାଇଁ ସେମାନେ ପ୍ରଶାସନକୁ ସହାୟତା ନିବେଦନ କରିଛନ୍ତି ।

Leave A Reply

Your email address will not be published.