jayashree

ଜାତୀୟ ପରିବାର ମଙ୍ଗଳ ଯୋଜନାରୁ ବଞ୍ଚିତ ଅସହାୟ ମହିଳା

  • ୨ ବର୍ଷରେ ୬୩୮ ଆବେଦନ ନାକଚ, ୩୧ଟି ପଡ଼ିରହିଛି

ନବରଙ୍ଗପୁର : ଗରିବ ପରିବାରକୁ ଆର୍ଥିକ ସହାୟତା ଯୋଗାଇଦେବା ପାଇଁ ସରକାରଙ୍କ ଯୋଜନା ରହିଛି। ହେଲେ ଯୋଜନାର ଲାଭ ପାଇବା ପାଇଁ ଆବେଦନ କରି ଦୀର୍ଘ ବର୍ଷ ଅପେକ୍ଷା କରୁଛନ୍ତି ଅନେକ ଅସହାୟ ମହିଳା। ତନଖି ଓ ଯାଞ୍ଚ ନାଁରେ ସେମାନଙ୍କ ଆବେଦନ ନାକଚ ହେଉଥିବା ଅଭିଯୋଗ ହୋଇଛି। ଜାତୀୟ ପରିବାର ମଙ୍ଗଳ ଯୋଜନା ଅନୁଯାୟୀ, ଦାରିଦ୍ର୍ୟ ସୀମାରେଖା ତଳେ ଥିବା ପରିବାରର ରୋଜଗାରକ୍ଷମ ମୁଖ୍ୟ ବ୍ୟକ୍ତିଙ୍କ ମୃତ୍ୟୁ ହେଲେ ସମ୍ପୃକ୍ତ ପରିବାରକୁ ୨୦ ହଜାର ଟଙ୍କାର ଏକକାଳୀନ ଆର୍ଥିକ ସହାୟତା ମିଳିବାର ବ୍ୟବସ୍ଥା ରହିଛି। କିନ୍ତୁ ନବରଙ୍ଗପୁର ଜିଲ୍ଲାରେ ଏହି ସହାୟତା ପାଇଁ ଆବେଦନ କରି ଅନେକ ମହିଳା ନିରାଶ ହେଉଥିବା ଜଣାପଡ଼ିଛି। ପରିସଂଖ୍ୟାନ ଅନୁଯାୟୀ, ଗତ ଦୁଇ ବର୍ଷ ମଧ୍ୟରେ ଜିଲ୍ଲାରେ ମୋଟ ୧୧୪୧ଟି ଆବେଦନ ହୋଇଥିବା ବେଳେ ୪୭୨ ଜଣଙ୍କୁ ସହାୟତା ମିଳିଛି। ୬୩୮ଟି ଆବେଦନ ନାକଚ ହୋଇଥିବା ବେଳେ ୩୧ଟି ଆବେଦନ ଏବେ ବି ବିଚାରାଧୀନ ରହିଛି। ସେହିପରି ୨୦୨୫-୨୬ ଆର୍ଥିକ ବର୍ଷରେ ୮୭୩ଟି ଆବେଦନ ମଧ୍ୟରୁ ୩୪୮ଟି ଅନୁମୋଦନ ହୋଇଥିବା ବେଳେ ୫୨୫ଟି ଆବେଦନ ନାକଚ ହୋଇଛି। ଅନ୍ୟପକ୍ଷରେ, ୨୦୨୬-୨୭ ଆର୍ଥିକ ବର୍ଷର ଜୁଲାଇ ମାସ ପର୍ଯ୍ୟନ୍ତ ୨୬୮ଟି ଆବେଦନ ମଧ୍ୟରୁ ୧୨୪ଟି ଅନୁମୋଦନ, ୧୧୩ଟି ନାକଚ ହୋଇଥିବା ବେଳେ ୩୧ଟି ଆବେଦନ ଅଟକି ରହିଛି। ଏହି ତଥ୍ୟ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରୁ ମିଳିଥିବା ସୂଚନାରେ ଉଲ୍ଲେଖ ରହିଛି। ଯୋଜନାର ମାର୍ଗଦର୍ଶିକା ଅନୁଯାୟୀ, ମୃତ ରୋଜଗାରକ୍ଷମ ମୁଖ୍ୟ ବ୍ୟକ୍ତିଙ୍କ ବୟସ ୫୯ ବର୍ଷ ମଧ୍ୟରେ ହୋଇଥିବା ସହ ପରିବାର ଦାରିଦ୍ର୍ୟ ସୀମାରେଖା ତଳେ ଥିବା ଆବଶ୍ୟକ । ଏଥିସହ ସମ୍ପୃକ୍ତ ବ୍ୟକ୍ତି ଭତ୍ତା ପାଉନଥିବା ମଧ୍ୟ ଜରୁରୀ । ବିପିଏଲ୍ କାର୍ଡ ନଥିଲେ ଆବେଦନକାରୀ ରାଜସ୍ୱ ନିରୀକ୍ଷକଙ୍କଠାରୁ ଆୟ ପ୍ରମାଣପତ୍ର ଆଣି ଆବେଦନ କରିପାରିବେ। ଆରଆଇଙ୍କ ଯାଞ୍ଚ ପରେ ତହସିଲଦାରଙ୍କ ଜରିଆରେ ଆବେଦନ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀଙ୍କ ନିକଟକୁ ପଠାଯାଏ। ତେବେ ଆବେଦନ ସମୟରେ ଯୋଜନାର ସର୍ତ୍ତାବଳୀ ସ୍ପଷ୍ଟ କରାଯାଉନଥିବାରୁ ଅନେକ ଆବେଦନକାରୀ ବର୍ଷ ବର୍ଷ ଧରି ସହାୟତା ମିଳିବା ଆଶାରେ ଅପେକ୍ଷା କରୁଛନ୍ତି । ପରେ ହଠାତ୍ ଆବେଦନ ନାକଚ ହେବାରୁ ସେମାନେ ନିରାଶ ହେଉଛନ୍ତି । ଏତେ ସଂଖ୍ୟକ ଆବେଦନ ନାକଚ ହେବା ପଛରେ କାରଣ କ’ଣ, ତାହାର ସ୍ୱଚ୍ଛ ତଦନ୍ତ ସହ ଆବେଦନକାରୀଙ୍କୁ ନାକଚର କାରଣ ଜଣାଇବା ପାଇଁ ବୁଦ୍ଧିଜୀବୀ ମହଲରେ ଦାବି ହେଉଛି ।

Leave A Reply

Your email address will not be published.