jayashree

ଭାଇ ଜିଉନ୍ତିଆରେ ଡାଲଖାଇର ଧୁମ୍, ଲୋକନୃତ୍ୟରେ ମହକୁଛି ଖପ୍ରାଖୋଲ ଅଞ୍ଚଳ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ଆଜି ଭାଇ ଜିଉନ୍ତିଆ ପାଇଁ ଚଳଚଞ୍ଚଳ ହୋଇପଡ଼ିଛି ଖପ୍ରାଖୋଲ ବ୍ଲକ ଅଞ୍ଚଳ। ଗାଁ ଗାଁରେ ଡାଲଖାଇ ନାଚ ପାଇଁ କୁଆଁରୀ ଝିଅମାନେ ଉତ୍ସାହିତ ହୋଇ ଉଠିଛନ୍ତି ବିଶେଷକରି ପଶ୍ଚିମ ଓଡ଼ିଶାରେ ଏହି ଡାଲଖାଇ ନାଚ ଦେଖିବାକୁ ମିଳିଥାଏ। ପଶ୍ଚିମ ଓଡ଼ିଶାର ଲୋକ ସଂସ୍କୃତି ଓ ଜୀବନର ଗାଥା ଏହି ପ୍ରସିଦ୍ଧ ଗଣପର୍ବ। ଏଥିରେ ବିଶେଷକରି କୁଆଁରୀ ମାନେ ହିଁ ପରିବେଷଣ କରିଥାଆନ୍ତି। ବର୍ତ୍ତମାନ ସମୟରେ ଏହି ଡାଲଖାଇ ନାଚର ବିଶେଷତ୍ଵ ଲୋପ ପାଇଯାଉଥିବା ଦେଖାଯାଉଛି। ଖପ୍ରାଖୋଲ, ଲାଠୋର, ରେଙ୍ଗାଲି ଅଞ୍ଚଳରେ ଏହି ପାରମ୍ପାରିକ ନାଚକୁ ଏବେ ମଧ୍ୟ ବଞ୍ଚାଇ ରଖିଛନ୍ତି। ଆଶ୍ୱିନ ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥିରେ ଭଉଣୀ ମାନେ ନିଜର ଭାଇଙ୍କ ସୁଖସମୃଦ୍ଧିକାମନା ପାଇଁ ମା’ ଦୁର୍ଗାଙ୍କଠାରେ ପୂଜା କରି ଭାଇ ଜିଉନ୍ତିଆ ପାଳନ କରିଥାନ୍ତି। ଏହି ପୂଜା ପୂର୍ବରୁ ଗାଁରେ ଗୋଟିଏ ଜାଗାରେ ଏକାଠି ହୋଇ ସମସ୍ତେ ବାଜା ବଜାଇ ପ୍ରଥମେ ଗ୍ରାମ ଦେବୀଙ୍କ ନିକଟରେ ପୂଜା କରିବା ପରେ ରାସ୍ତା ଉପରେ ଡାଲଖାଇ ନାଚ ପରିବେଶଣ କରି ଦର୍ଶକ ମାନଙ୍କୁ ମଜା ଦେଇଥାନ୍ତି। ସେହି ବାଟରେ ଯାଉଥିବା ବାଟୋଇ ଓ ଯାନବାହନକୁ ଅଟକାଇ ଟଙ୍କା ଆଦାୟ କରିଥାନ୍ତି। ପରେ ସେମାନେ ସନ୍ଧ୍ୟାରେ ନଦୀକୁ ଯାଇ ଗାଧୋଇ ସାରି ପ୍ରଥମେ ବାଲି ଶଯ୍ୟା କରି ସେଠାରେ ପୂଜା କରିଥାନ୍ତି। ପରେ ଘରକୁ ଫେରି ପୁଣି ଦୁର୍ଗାଙ୍କ ପୀଠରେ ଭାଇଙ୍କ ଦୀର୍ଘାୟୁ କାମନା କରି ପୂଜା କରିଥାନ୍ତି। ଏହି ଡାଲଖାଇ ନାଚ ଦେଖିବାକୁ ସହରର ବହୁ ଜନସାଧାରଣ ଯାଇଥାନ୍ତି ।

Leave A Reply

Your email address will not be published.