
- ସଂରକ୍ଷିତ ଜଙ୍ଗଲରୁ ବେଆଇନ ଭାବେ କାଠ ଚାଲାଣ ଅଭିଯୋଗରେ ଏହି କାର୍ଯ୍ୟାନୁଷ୍ଠାନ ନେଇଛି ବନ ବିଭାଗ ।
ରାୟଗଡ଼ା, (କେପିଏନ୍ଏସ୍) : ରାୟଗଡ଼ା ବନଖଣ୍ଡ ଅଧିକାରୀ ସଚିନ ଆନ୍ନା ସାହେବ ଆହୋଲଙ୍କ ନିର୍ଦ୍ଦେଶକ୍ରମେ ଟିକିରି ଓ ରାୟଗଡ଼ା ବନାଞ୍ଚଳର କର୍ମଚାରୀମାନେ ମିଳିତ ଭାବେ ପେଟ୍ରୋଲିଂ କରୁଥିବା ସମୟରେ ଏକ କାଠ ବୋଝେଇ ପିକଅପ୍ ଭ୍ୟାନ୍କୁ ଅଟକାଇଥିଲେ । ଗାଡ଼ିରୁ ୭୪ ଖଣ୍ଡ ଶାଳ କାଠ ଜବତ କରିବା ସହ ତିନି ଜଣଙ୍କୁ ଅଟକ ରଖିଛି ବନ ବିଭାଗ । ପଚରାଉଚରା ବେଳେ ଖରକା ଗ୍ରାମ ନିକଟସ୍ଥ ଖରକା ସଂରକ୍ଷିତ ଜଙ୍ଗଲରୁ ଏହି କାଠ ନିଆଯାଉଥିବା ଜଣାପଡ଼ିଛି । ଅଟକ ତିନି ଜଣ ହେଲେ ଲିମ୍ ଅଡ଼ାର ଗ୍ରାମର ମିଥୁନ ନାଏକ, ଦାସ ମାଝୀ ଓ ଗଣପତି ମାଝୀ । ଏହି କାଠ ଚାଲାଣ ଘଟଣାରେ ଆଉ କେଉଁମାନେ ସମ୍ପୃକ୍ତ ଅଛନ୍ତି, ସେନେଇ ବନ ବିଭାଗ ତଦନ୍ତ ଜାରି ରଖିଛି । ଚଢ଼ାଉ ସମୟରେ ରେଞ୍ଜର ଅନିଲ ପାଣିଗ୍ରାହୀ, ଫରେଷ୍ଟର ରବିଚନ୍ଦ୍ର ପାତ୍ରଙ୍କ ସମେତ ଅନ୍ୟ ବନ କର୍ମଚାରୀ ଉପସ୍ଥିତ ଥିଲେ ।