jayashree

ସିନାପାଲି କଲେଜରେ ନବନିର୍ବାଚିତ ଛାତ୍ର ପ୍ରତିନିଧିଙ୍କ ଶପଥ ଗ୍ରହଣ ଓ ସମ୍ବର୍ଦ୍ଧନା ଉତ୍ସବ

  • ସଭାପତି ସଚିନ୍ଦ୍ର କାଣ୍ଡ ଓ ସାଂସ୍କୃତିକ ସମ୍ପାଦିକା ବରୁଣୀ ସୁନାନୀଙ୍କ ଦାୟିତ୍ୱ ଗ୍ରହଣ, କଲେଜ ପରିସରରେ ଉତ୍ସାହର ମାହୋଲ

ନୂଆପଡ଼ା, (କେପିଏନ୍‌ଏସ୍‌) : ନୂଆପଡ଼ା ଜିଲ୍ଲାର ଅନ୍ୟତମ ପ୍ରମୁଖ ଶିକ୍ଷାନୁଷ୍ଠାନ ସିନାପାଲି ମହାବିଦ୍ୟାଳୟରେ ନବଗଠିତ ଛାତ୍ର ସଂସଦର ପ୍ରତିନିଧିମାନଙ୍କ ଶପଥ ଗ୍ରହଣ, ଦାୟିତ୍ୱ ଗ୍ରହଣ ଓ ସମ୍ବର୍ଦ୍ଧନା ଉତ୍ସବ ଉତ୍ସାହ ଓ ଉଦ୍ଦୀପନାର ସହ ଅନୁଷ୍ଠିତ ହୋଇଯାଇଛି । ନବନିର୍ବାଚିତ ଛାତ୍ର ପ୍ରତିନିଧିମାନଙ୍କୁ ସମର୍ଥନ ପତ୍ର ପ୍ରଦାନ ସହ ସେମାନଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ ଓ ସମ୍ବର୍ଦ୍ଧନା ଜଣାଯାଇଥିଲା । ଏହି ଅବସରରେ କଲେଜ ପରିସରରେ ଉତ୍ସବମୁଖର ପରିବେଶ ସୃଷ୍ଟି ହୋଇଥିଲା । ଗୁରୁବାର ଦିନ ମହାବିଦ୍ୟାଳୟରେ ଛାତ୍ର ସଂସଦ ଗଠନ ନିମନ୍ତେ ମନୋନୟନ ପ୍ରକ୍ରିୟା ଶାନ୍ତିଶୃଙ୍ଖଳାର ସହ ସମାପ୍ତ ହୋଇଥିଲା । ଏହାପରେ ନବନିର୍ବାଚିତ ପ୍ରତିନିଧିମାନେ ଆନୁଷ୍ଠାନିକ ଭାବେ ନିଜ ନିଜର ଦାୟିତ୍ୱ ଗ୍ରହଣ କରିଥିଲେ । ମହାବିଦ୍ୟାଳୟର ଅଧ୍ୟକ୍ଷା ଏ. ବି. ଡୁଙ୍ଗଡୁଙ୍ଗଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଶପଥ ଗ୍ରହଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଏହି ପ୍ରକ୍ରିୟାରେ ବିଜେଡି ସମର୍ଥିତ ଛାତ୍ର ସଂସଦର ସଭାପତି ଭାବେ ସଚିନ୍ଦ୍ର କାଣ୍ଡ ନିର୍ବାଚିତ ହୋଇ ଆନୁଷ୍ଠାନିକ ଭାବେ ସମର୍ଥନ ପତ୍ର ଗ୍ରହଣ କରିଥିଲେ । ସେହିପରି ସାଂସ୍କୃତିକ ସମ୍ପାଦିକା ଭାବେ ବରୁଣୀ ସୁନାନୀ ଦାୟିତ୍ୱ ଗ୍ରହଣ କରିଥିଲେ । ଏହି ଅବସରରେ ବିଜେଡି ନେତା ରାଜା ପାଣିଗ୍ରାହୀଙ୍କ ନେତୃତ୍ୱରେ ନବନିର୍ବାଚିତ ଛାତ୍ର ପ୍ରତିନିଧିମାନଙ୍କୁ ଉତ୍ସାହିତ କରାଯାଇଥିଲା । ସମ୍ବର୍ଦ୍ଧନା ଉତ୍ସବରେ ମହାବିଦ୍ୟାଳୟର ଶହ ଶହ ଛାତ୍ରଛାତ୍ରୀ ଯୋଗଦେଇ ନବନିର୍ବାଚିତ ପ୍ରତିନିଧିମାନଙ୍କୁ ପୁଷ୍ପଗୁଚ୍ଛ ଓ ଶୁଭେଚ୍ଛା ଜଣାଇଥିଲେ । ସମର୍ଥନ ପତ୍ର ପ୍ରଦାନ ଓ ଦାୟିତ୍ୱ ଗ୍ରହଣ ପରେ କଲେଜ ଗେଟ୍ ସମ୍ମୁଖରେ ଉତ୍ସବର ମାହୋଲ ଦେଖିବାକୁ ମିଳିଥିଲା । ଡିଜେର ତାଳେ ତାଳେ ନାଚଗୀତ, ପରସ୍ପରକୁ ଅବିର ଲଗାଇ ଶୁଭେଚ୍ଛା ଜଣାଇବା ଏବଂ ଆତସବାଜି ମାଧ୍ୟମରେ ଛାତ୍ରଛାତ୍ରୀମାନେ ନିଜ ଖୁସି ପ୍ରକାଶ କରିଥିଲେ । ଏଥିଯୋଗୁଁ ସମଗ୍ର କଲେଜ ପରିସର ଉତ୍ସବମୁଖର ହୋଇଉଠିଥିଲା । ଅନ୍ୟପକ୍ଷରେ, ମହାବିଦ୍ୟାଳୟ ପରିସରରେ ଶାନ୍ତିଶୃଙ୍ଖଳା ବଜାୟ ରଖିବା ଓ କାର୍ଯ୍ୟକ୍ରମକୁ ସୁରୁଖୁରୁରେ ସମାପନ କରିବା ପାଇଁ ପୁଲିସ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା । ଏହି ଉତ୍ସବରେ ମହାବିଦ୍ୟାଳୟର ଅଧ୍ୟକ୍ଷାଙ୍କ ସମେତ ଅଧ୍ୟାପକ, ଅଧ୍ୟାପିକା ଓ ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ । ନୂତନ ଦାୟିତ୍ୱ ଗ୍ରହଣ କରିବା ପରେ ନବନିର୍ବାଚିତ ଛାତ୍ର ପ୍ରତିନିଧିମାନେ ମହାବିଦ୍ୟାଳୟର ଶିକ୍ଷାଗତ ପରିବେଶର ଉନ୍ନତି, ଛାତ୍ରଛାତ୍ରୀଙ୍କ ବିଭିନ୍ନ ସମସ୍ୟାର ସମାଧାନ ଏବଂ କଲେଜର ବିକାଶମୂଳକ କାର୍ଯ୍ୟରେ ସକ୍ରିୟ ଭୂମିକା ଗ୍ରହଣ କରିବାକୁ ସଙ୍କଳ୍ପବଦ୍ଧ ଥିବା ପ୍ରକାଶ କରିଛନ୍ତି । ଛାତ୍ର ସଂସଦ ମାଧ୍ୟମରେ ଛାତ୍ରଛାତ୍ରୀଙ୍କ ସ୍ୱରକୁ ଉପଯୁକ୍ତ ମଞ୍ଚ ମିଳିବା ସହ ମହାବିଦ୍ୟାଳୟର ଶୈକ୍ଷିକ ଓ ସାଂସ୍କୃତିକ ବିକାଶରେ ନୂତନ ପ୍ରତିନିଧିମାନେ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେବେ ବୋଲି ଆଶା ପ୍ରକାଶ ପାଇଛି ।

Leave A Reply

Your email address will not be published.