
ରାଉରକେଲା, (ସସ୍ମିତା ପ୍ରଧାନ) : ନବରାତ୍ର ଉପଲକ୍ଷେ ସେକ୍ଟର ୭ ସ୍ଥିତ ଚିନ୍ମୟ ବିଦ୍ୟାଳୟ (ଓଡ଼ିଆ ମାଧ୍ୟମ)ଠାରେ ମାତୃପୂଜା ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଶର୍ମିଳା କବିଶତପଥୀଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ସମେତ ସେମାନଙ୍କ ମା’ମାନେ ଯୋଗଦେଇଥିଲେ । ସ୍ଵାମୀ ଅରୁପାନନ୍ଦ ଜୀଙ୍କ ମାର୍ଗଦର୍ଶନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀମାନେ ସେମାନଙ୍କ ମା’ମାନଙ୍କୁ ପୂଜାର୍ଚ୍ଚନା କରିବା ପରେ ସେମାନଙ୍କଠାରୁ ଆଶିର୍ବାଦ ନେଇଥିଲେ । ସମ୍ପ୍ରତି ପିଲାମାନଙ୍କୁ ସଂସ୍କାରିତ କରିବା ଓ ପିତାମାତାଙ୍କ ପ୍ରତି ସେମାନଙ୍କ ଦାୟିତ୍ଵ ତଥା ସମ୍ମାନବୋଧ ପାଇଁ ଏଭଳି କାର୍ଯ୍ୟକ୍ରମର ଆୟୋଜନ ବୋଲି ସ୍ୱାମୀ ଅରୁପାନନ୍ଦ ଜୀ ଓ ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ କବିଶତପଥୀ ସୂଚନା ଦେଇଥିଲେ । ବିଦ୍ୟାଳୟର ସମ୍ପାଦକ ରମାକାନ୍ତ ପଣ୍ଡା ଉପସ୍ଥିତ ରହି ଚିନ୍ମୟ ମିଶନର ୭୫ ତମ ବର୍ଷ ପାଳନ ଉପଲକ୍ଷେ ଏଭଳି କାର୍ଯ୍ୟକ୍ରମର ପରିକଳ୍ପନା ସହ ଛାତ୍ରଛାତ୍ରୀଙ୍କୁ ଆଶ୍ରିବଚନ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରବନ୍ଧକ ଜୀବନାନନ୍ଦ ନାୟକଙ୍କ ସହ ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ । ଶେଷରେ ସମସ୍ତଙ୍କ ମଧ୍ୟରେ ପ୍ରସାଦ ବିତରଣ କରାଯାଇଥିଲା । କାର୍ଯ୍ୟକ୍ରମର ସଫଳତା ପାଇଁ ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ କବିଶତପଥୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।