jayashree

ଏନଆଇଟି ରାଉରକେଲାରେ ଗବେଷଣା ମହାକୁମ୍ଭ, ୩୦୦ରୁ ଅଧିକ ଗବେଷକଙ୍କ ସମାଗମ

ରାଉରକେଲା, (ସସ୍ମିତା ପ୍ରଧାନ) : ଗବେଷଣା, ନବସୃଜନ ଓ ଶିଳ୍ପ ସହଯୋଗକୁ ନୂଆ ଦିଗ ଦେବା ଲକ୍ଷ୍ୟରେ ଏନଆଇଟି ରାଉରକେଲାରେ ଆରମ୍ଭ ହୋଇଛି ଦୁଇଦିନିଆ ANRF+NIT ରିସର୍ଚ୍ଚ ଏକ୍ସ ଇମ୍ପାକ୍ଟ କନକ୍ଲେଭ୍ ୨୦୨୬ । ଅକ୍ଟୋବର ୧୫ ଓ ୧୬ ତାରିଖରେ ଆୟୋଜିତ ଏହି ସମ୍ମିଳନୀରେ ଦେଶର ବିଭିନ୍ନ ଅନୁଷ୍ଠାନରୁ ୩୦୦ରୁ ଅଧିକ ଅଧ୍ୟାପକ ଓ ଗବେଷକ ଯୋଗ ଦେଇଛନ୍ତି । ଏହି ବର୍ଷର ମୁଖ୍ୟ ବିଷୟବସ୍ତୁ ରହିଛି ‘ସିନର୍ଜି ଫର ସଷ୍ଟେନେବିଲିଟି’ । ଉଦଘାଟନୀ ଉତ୍ସବରେ ANRFର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଡକ୍ଟର ଶିବକୁମାର କଲ୍ୟାଣରମଣ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଗବେଷଣାର ସାମାଜିକ ଉପଯୋଗିତା ଉପରେ ଗୁରୁତ୍ୱ ଦେଇଥିଲେ । ଗବେଷଣା କେବଳ ଲାବୋରେଟୋରୀ କିମ୍ବା ପ୍ରକାଶନ ମଧ୍ୟରେ ସୀମିତ ନରହି ସାଧାରଣ ଲୋକଙ୍କ ଜୀବନରେ ପରିବର୍ତ୍ତନ ଆଣିବା ଆବଶ୍ୟକ ବୋଲି ସେ କହିଥିଲେ । ଏନଆଇଟି ରାଉରକେଲାର ନିର୍ଦ୍ଦେଶକ ପ୍ରଫେସର କେ. ଉମାମହେଶ୍ୱର ରାଓ ଏବଂ ଆୟୋଜନ ଅଧ୍ୟକ୍ଷ ପ୍ରଫେସର ହିମାଂଶୁ ଭୂଷଣ ସାହୁ ଆନ୍ତଃଶାଖୀୟ ଗବେଷଣା ଓ ଶିଳ୍ପ-ଏକାଡେମିଆ ସହଭାଗିତାର ଗୁରୁତ୍ୱ ବୁଝାଇଥିଲେ । କୃଷି, ସ୍ୱାସ୍ଥ୍ୟ, ଶକ୍ତି, ପରିବେଶ ଓ ଜଳବାୟୁ ସମ୍ବନ୍ଧୀୟ ସମସ୍ୟାର ସମାଧାନ ପାଇଁ ସମନ୍ୱିତ ଗବେଷଣା ଜରୁରୀ ବୋଲି ମତ ପ୍ରକାଶ ପାଇଥିଲା । ସମ୍ମିଳନୀରେ ୩୦ ଜଣ ANRF ଅନୁଦାନପ୍ରାପ୍ତ ଗବେଷକ ନିଜ ଗବେଷଣାର ଫଳାଫଳ ପ୍ରଦର୍ଶନ କରିଥିଲେ । ଏଥିସହ ବିଭିନ୍ନ ଶିଳ୍ପ ସଂସ୍ଥାର ପ୍ରତିନିଧିମାନେ ଗବେଷକଙ୍କ ସହ ମିଶି ନୂତନ ପ୍ରଯୁକ୍ତି ବିକାଶ ଓ ପାଇଲଟ୍ ପ୍ରକଳ୍ପରେ ସହଯୋଗ ପାଇଁ ଆଗ୍ରହ ପ୍ରକାଶ କରିଥିଲେ । ଅନ୍ୟପକ୍ଷରେ SARAL AI ମାଧ୍ୟମରେ ବହୁଭାଷୀ ଗବେଷଣାକୁ ସରଳ କରିବା ନେଇ ସ୍ୱତନ୍ତ୍ର କର୍ମଶାଳା ଆୟୋଜନ କରାଯାଇଥିଲା । ସ୍ଥାୟୀ କୃଷି, ସ୍ୱାସ୍ଥ୍ୟ ଓ ଚିକିତ୍ସା ପ୍ରଯୁକ୍ତି, ଶକ୍ତି ଏବଂ ପରିବେଶ ସ୍ଥାୟୀତ୍ୱ ଉପରେ ପୋଷ୍ଟର ପ୍ରଦର୍ଶନ ସହ ଶ୍ରେଷ୍ଠ ପୋଷ୍ଟରଗୁଡ଼ିକୁ ପୁରସ୍କୃତ କରାଯାଇଥିଲା । ଏହି ସମ୍ମିଳନୀ ଦେଶର ଗବେଷଣା କ୍ଷେତ୍ରରେ ନୂଆ ସହଯୋଗ ଓ ନବସୃଜନର ସମ୍ଭାବନା ସୃଷ୍ଟି କରିବ ବୋଲି ଆଶା କରାଯାଉଛି ।

Leave A Reply

Your email address will not be published.