jayashree

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଅନ୍ତ୍ୟୋଦୟ ଗୃହ ଯୋଜନାରେ ଆଉ ୨,୯୧,୬୬୬ ନୂଆ ଘର ନିର୍ମାଣ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି । ଏହା ସହିତ ଏହି ଯୋଜନାର କାର୍ଯ୍ୟକାଳ ମଧ୍ୟ ୨ ବର୍ଷ ବୃଦ୍ଧି ପାଇଛି । ୨୦୨୭ ପରିବର୍ତ୍ତେ ୨୦୨୯ ପର୍ଯ୍ୟନ୍ତ ଏହାର ଅବଧି ବୃଦ୍ଧି କରାଯାଇଛି । ଏହି ନିଷ୍ପତ୍ତି ନେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ରାଜ୍ୟରେ ସମସ୍ତଙ୍କ ପାଇଁ ଘର ଯୋଗାଇ ଦେବାର ଲକ୍ଷ୍ୟ ଖୁବ୍ ଶୀଘ୍ର ହାସଲ କରାଯିବ । ସୂଚନାଯୋଗ୍ୟ ଯେ, ଏହି ଯୋଜନାର ସମୁଦାୟ ପ୍ରକଳ୍ପ ଖର୍ଚ୍ଚ ୭,୫୫୦ କୋଟି ଟଙ୍କା ପୂର୍ବ ପରି ଅପରିବର୍ତ୍ତିତ ରହିବ । ତେବେ ଏହି ପ୍ରକଳ୍ପର ୩,୫୦୦ କୋଟି ଟଙ୍କା ରିପେୟାରିଙ୍ଗ୍ କମ୍ପୋନେଣ୍ଟକୁ ନୂଆ ଘର ନିର୍ମାଣ ପାଇଁ ନିଷ୍ପତ୍ତି କରାଯାଇଛି । ଏହି ଯୋଜନାରେ ଯେଉଁ ହିତାଧିକାରୀମାନେ ୪୮, ୫୦୦ ଟଙ୍କା କିମ୍ବା ତା ଠାରୁ କମ ପାଇଥିବେ ଏବଂ ଅନ୍ୟ ଯୋଗ୍ୟ ହିତାଧିକାରୀ ଏଥିରେ ସାମିଲ ହେବେ । ଏଥିପାଇଁ ନୂଆ ହିତାଧିକାରୀ ଚିହ୍ନଟ କରିବା ପାଇଁ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗକୁ ଶୀଘ୍ର ସର୍ଭେ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଏହି ଯୋଜନାରେ ପୂର୍ବ ନିର୍ଦ୍ଧାରିତ ପ୍ରୋତ୍ସାହନ ରାଶି ପରିମାଣରେ ମଧ୍ୟ ବୃଦ୍ଧି କରାଯାଇଛି । ପୂର୍ବରୁ ୪ ମାସରେ ଘର ଶେଷ କରୁଥିବା ହିତାଧିକାରୀଙ୍କୁ ୨୦ ହଜାର ଟଙ୍କା ମିଳୁଥିବା ବେଳେ ଏବେ ୫ ମାସରେ ଘର ଶେଷ କଲେ ୩୫ ହଜାର ଟଙ୍କା ପ୍ରୋତ୍ସାହନ ରାଶି ମିଳିବ । ସେହିପରି ୬ ମାସରେ ଘର ଶେଷ କରୁଥିବା ହିତାଧିକାରୀଙ୍କୁ ୧୦ ହଜାର ଟଙ୍କା ପ୍ରୋତ୍ସାହନ ରାଶି ମିଳୁଥିବା ବେଳେ ଏବେ ୭ ମାସରେ ଘର ଶେଷ କଲେ ୨୦ ହଜାର ଟଙ୍କା ମିଳିବ । ଏହାଦ୍ୱାରା ଆହୁରି ଅଧିକ ବ୍ୟକ୍ତି ଏହି ଯୋଜନାର ଲାଭ ପାଇପାରିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଏହି ଯୋଜନାରେ ୫ ଲକ୍ଷ ପରିବାରଙ୍କ ପାଇଁ ଘର ନିର୍ମାଣ କରିବାର ଲକ୍ଷ୍ୟ ରହିଥିଲା । ମୁଖ୍ୟତଃ ଯେଉଁମାନେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇନଥିବେ ତଥା ଗରିବ ଓ ଅସହାୟ ଥିବେ, ସେହିମାନଙ୍କ ପାଇଁ ଏହି ଯୋଜନା କାର୍ଯ୍ୟକାରୀ କରାଯାଉଛି ।

Leave A Reply

Your email address will not be published.