
ଆଗଲପୁର, (ବିମଳେନ୍ଦୁ ସାହୁ) : ବଲାଙ୍ଗିର ଜିଲ୍ଲା ଆଗଲପୁର ପଞ୍ଚାୟତ ସମିତି ମହାବିଦ୍ୟାଳୟ, ବାଣୀନିକେତନ, ରୋତର ଛାତ୍ର ସଂସଦ ନିର୍ବାଚନରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ପ୍ରାର୍ଥୀଙ୍କ ବିପୁଳ ବିଜୟ ହୋଇଛି । ଏହି ମହାବିଦ୍ୟାଳୟରେ ସମୁଦାୟ ପାଞ୍ଚଗୋଟି ପଦରେ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ସେଥିରୁ ଦୁଇଗୋଟି ପଦ ଯଥା- ସାଧାରଣ ସମ୍ପାଦକ ଓ ସାଂସ୍କୃତିକ ସମ୍ପାଦକ ପଦରେ ଯଥାକ୍ରମେ ରେସ୍ମାରାଣୀ ପଟେଲ ଓ ରିଲୁ ନାଗ ନିର୍ଦ୍ଵନ୍ଦରେ ମନୋନୀତ ହୋଇସାରିଥିଲେ । ଆଜି ସଭାପତି, ଉପସଭାପତି ଓ କ୍ରୀଡା ସମ୍ପାଦକ ପଦ ପାଇଁ ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ମହାବିଦ୍ୟାଳୟର ଉଭୟ କଳା ଓ ବିଜ୍ଞାନରେ ମୋଟ ୬୭୫ ଜଣ ଛାତ୍ରଛାତ୍ରୀ ଥିବାବେଳେ ସେଥିରୁ ୮୬ ପ୍ରତିଶତ ଅର୍ଥାତ ମୋଟ ୫୮୨ ଜଣ ମତଦାନ କରିଥିଲେ । ସକାଳ ଆଠଟାରୁ ଅପରାହ୍ନ ଦୁଇ ଘଟିକା ମଧ୍ୟରେ ମତଦାନ ଓ ପରେ ଭୋଟ ଗଣତି ସହ ଫଳ ପ୍ରକାଶ ହୋଇଥିଲା । ସଭାପତି ପଦ ପାଇଁ ତିନିଜଣ ପ୍ରାର୍ଥୀଙ୍କ ଭିତରୁ ଆକାଶ ସାହୁ-୨୬୮, ସୁମିତ ସାହୁ-୨୩୪ ଓ ସ୍ମିତ ରାଜପୁତ-୬୫ ଖଣ୍ଡ ଭୋଟ ପାଇଥିବା ବେଳେ ୧୫ଟି ଭୋଟ ବିଭିନ୍ନ କାରଣରୁ ନାକଚ ହୋଇଥିଲା । ସେହିପରି ଉପସଭାପତି ପଦରେ ଦୁଇଜଣଙ୍କ ମଧ୍ୟରୁ ଶ୍ୱେତାରାଣୀ ପଟେଲ-୩୨୩, ମାମିନା ସାହୁ-୨୪୨ ଓ ୧୭ଟି ନାକଚ ହୋଇଥିଲା । କ୍ରୀଡା ସମ୍ପାଦକ ପଦରେ ଦୁଇ ଜଣଙ୍କ ମଧ୍ୟରୁ ଶୁଭଦର୍ଶିନୀ ମହାରଣା-୨୮୨ ଓ ରାକ୍ଷୀ କନ୍ଧେର-୨୭୭ଟି ଭୋଟ ପାଇଥିବା ବେଳେ ୨୩ ଗୋଟି ଭୋଟ ନାକଚ ହୋଇଥିଲା । ସମୁଦାୟ ପାଞ୍ଚଟି ପଦରୁ ଚାରିଗୋଟି ପଦରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ପ୍ରାର୍ଥୀଙ୍କ ବିଜୟ ହୋଇଥିବା ଜଣାପଡିଛି । ଆସନ୍ତାକାଲି ୧୧ ଘଟିକା ସମୟରେ ସମସ୍ତ ପଦାଧିକାରୀଙ୍କ ଶପଥପାଠ ଉତ୍ସବ ରହିଛି । ଏଥିରେ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ ଓ କର୍ମଚାରୀଙ୍କ ସହ ପୋଲିସ ତଥା ପ୍ରଶାସନର ସହଯୋଗରେ ସଫଳତାର ସହ ସମାପ୍ତ ହୋଇଛି ।