jayashree

ମହାସମାରୋହରେ ହିନ୍ଦୀ ଦିବସ ପାଳିତ

  • ‘ଭାଷା ହେଉଛି ଏକ ଜାତିର ସଂସ୍କୃତିର ଦର୍ପଣ’ : ମୁଖ୍ୟ ବକ୍ତା

ବଲାଙ୍ଗିର, (କେପିଏନ୍‌ଏସ୍‌) : ହିନ୍ଦୀ କେବଳ ଏକ ଭାଷା ନୁହେଁ, ଏହା ଭାରତୀୟ ଭାବନା, ସଂସ୍କୃତି ଓ ଏକତାର ଏକ ସଶକ୍ତ ସେତୁ । ଭାଷା ମାଧ୍ୟମରେ ମଣିଷ ମଣିଷ ସହ ଯୋଡ଼ି ହୁଏ, ଭାବନାର ଆଦାନପ୍ରଦାନ ହୁଏ ଏବଂ ଜାତୀୟ ଏକତା ଅଧିକ ସୁଦୃଢ଼ ହୁଏ । ଏହି ମହାନ ଭାବନାକୁ ହୃଦୟରେ ଧାରଣ କରି ଜିଲ୍ଲା ହିନ୍ଦୀ ଶିକ୍ଷକ ସଂଘ ତରଫରୁ ହିନ୍ଦୀ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ସ୍ଥାନୀୟ ସରକାରୀ ଟାଉନ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ଆୟୋଜିତ ଏହି ଭବ୍ୟ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରବୀର କୁମାର ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗଦେଇ ହିନ୍ଦୀ ଦିବସର ଉଦ୍‌ଘାଟନ କରିଥିଲେ । ପ୍ରାରମ୍ଭରେ ସ୍ଥାନୀୟ ବିଦ୍ୟାଳୟର ଛାତ୍ରୀମାନେ ମଧୁର ସ୍ୱାଗତ ସଙ୍ଗୀତ ପରିବେଷଣ କରି ଅତିଥିମାନଙ୍କୁ ଭାବପୂର୍ଣ୍ଣ ସ୍ୱାଗତ ଜଣାଇଥିଲେ । ସଂଘର ସଭାପତି ସୁଶାନ୍ତ ନାୟକ ସ୍ୱାଗତ ଭାଷଣ ଦେଇ ହିନ୍ଦୀ ଭାଷାର ପ୍ରଚାର, ପ୍ରସାର ଓ ଶିକ୍ଷା କ୍ଷେତ୍ରରେ ହିନ୍ଦୀ ଶିକ୍ଷକମାନଙ୍କ ଭୂମିକା ସମ୍ପର୍କରେ ଆଲୋକପାତ କରିଥିଲେ । ସମ୍ପାଦକ ଜଗଦୀଶ ନାଗ ସଂଘର ବାର୍ଷିକ ବିବରଣୀ ପାଠ କରି ଗତ ବର୍ଷର ବିଭିନ୍ନ କାର୍ଯ୍ୟକଳାପ ଓ ଆଗାମୀ ଦିନର ଯୋଜନା ସମ୍ପର୍କରେ ସୂଚନା ଦେଇଥିଲେ । ମୁଖ୍ୟ ଅତିଥି ଏଡିଇଓ ପ୍ରବୀର କୁମାର ପଣ୍ଡା ନିଜ ବକ୍ତବ୍ୟରେ କହିଥିଲେ ଯେ, ଭାଷା ହେଉଛି ଜ୍ଞାନ ଓ ଭାବନାର ପ୍ରମୁଖ ମାଧ୍ୟମ । ହିନ୍ଦୀ ଭାଷା ଦେଶର ବିଭିନ୍ନ ଅଞ୍ଚଳ ଓ ଭାଷାଭାଷୀ ଲୋକଙ୍କ ମଧ୍ୟରେ ଏକ ଯୋଗସୂତ୍ର ଭାବେ କାର୍ଯ୍ୟ କରୁଛି । ଛାତ୍ରଛାତ୍ରୀମାନେ ହିନ୍ଦୀକୁ କେବଳ ପାଠ୍ୟ ବିଷୟ ଭାବେ ନ ନେଇ ଏହାର ସାହିତ୍ୟ, ସଂସ୍କୃତି ଓ ମାନବୀୟ ମୂଲ୍ୟବୋଧକୁ ବୁଝିବା ଆବଶ୍ୟକ । ହିନ୍ଦୀ ଭାଷାର ବିକାଶ ପାଇଁ ଶିକ୍ଷକ, ଛାତ୍ର ଓ ସମାଜ ସମସ୍ତଙ୍କର ସକ୍ରିୟ ଭୂମିକା ଆବଶ୍ୟକ ବୋଲି ସେ ମତପ୍ରକାଶ କରିଥିଲେ । ମୁଖ୍ୟବକ୍ତା ଜବାହାର ନବୋଦୟ ବିଦ୍ୟାଳୟ, ତରଭାର ହିନ୍ଦୀ ପ୍ରାଧ୍ୟାପକ ଗତିକୃଷ୍ଣ ପଟେଲ ହିନ୍ଦୀ ଭାଷାର ଐତିହ୍ୟ, ସାହିତ୍ୟିକ ସମୃଦ୍ଧି ଓ ଜାତୀୟ ଜୀବନରେ ଏହାର ଭୂମିକା ଉପରେ ବିସ୍ତୃତ ଆଲୋକପାତ କରିଥିଲେ । ସେ କହିଥିଲେ ଯେ, ଭାଷା ହେଉଛି ଏକ ଜାତିର ସଂସ୍କୃତିର ଦର୍ପଣ । ହିନ୍ଦୀ ସାହିତ୍ୟରେ ଭାରତର ବିବିଧତା, ମାନବୀୟ ସମ୍ବେଦନା, ତ୍ୟାଗ, ପ୍ରେମ ଓ ଦେଶପ୍ରେମର ଅନେକ ଅମୂଲ୍ୟ ଅଧ୍ୟାୟ ସଂରକ୍ଷିତ ହୋଇରହିଛି । ଆଜିର ଛାତ୍ର ସମାଜ ଯଦି ହିନ୍ଦୀ ସାହିତ୍ୟ ସହ ଯୋଡ଼ି ହେବେ, ତେବେ ସେମାନଙ୍କ ଚିନ୍ତନ ଓ ସୃଜନଶୀଳତା ଆହୁରି ସମୃଦ୍ଧ ହେବ ବୋଲି ସେ କହିଥିଲେ । ଏଡିଇଓ ରୀନା କୁମାରୀ ବେହେରା ହିନ୍ଦୀ ଶିକ୍ଷାର ଗୁଣାତ୍ମକ ବିକାଶ ଓ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଭାଷାପ୍ରତି ଆଗ୍ରହ ସୃଷ୍ଟି ଉପରେ ଗୁରୁତ୍ୱ ଦେଇଥିଲେ । ଶିକ୍ଷକମାନେ ନିଜର ସୃଜନଶୀଳ ଶିକ୍ଷଣ ପଦ୍ଧତି ମାଧ୍ୟମରେ ହିନ୍ଦୀକୁ ଛାତ୍ରଙ୍କ ପାଇଁ ଆନନ୍ଦଦାୟକ କରିବା ଉଚିତ ବୋଲି ସେ କହିଥିଲେ । ଏଡିଇଓ ସେବାଶ୍ରୀ ଭୋଇ ହିନ୍ଦୀ ଭାଷାର ସମୃଦ୍ଧ ସାହିତ୍ୟିକ ପରମ୍ପରା ଓ ଶିକ୍ଷା କ୍ଷେତ୍ରରେ ଏହାର ଗୁରୁତ୍ୱ ଉପରେ ମତ ରଖିଥିଲେ । ଛାତ୍ରଛାତ୍ରୀଙ୍କ ମନରେ ଭାଷାପ୍ରତି ଭଲପାଇବା ସୃଷ୍ଟି କରିବା ହିଁ ଶିକ୍ଷକଙ୍କ ପ୍ରମୁଖ ଦାୟିତ୍ୱ ବୋଲି ସେ ମତ ଦେଇଥିଲେ । ବଲାଙ୍ଗିର ବ୍ଲକ ଶିକ୍ଷା ଅଧିକାରୀ ଦିଲୀପ ଯୋଶୀ ହିନ୍ଦୀ ଭାଷା ଶିକ୍ଷାକୁ ଆହୁରି ଲୋକପ୍ରିୟ କରିବା ସହ ଛାତ୍ରଛାତ୍ରୀଙ୍କୁ ହିନ୍ଦୀ ସାହିତ୍ୟ ପଠନ ପ୍ରତି ଆକୃଷ୍ଟ କରିବା ଉପରେ ଗୁରୁତ୍ୱ ଦେଇଥିଲେ । ପୂର୍ବତନ ବଲାଙ୍ଗିର ବ୍ଲକ ଶିକ୍ଷା ଅଧିକାରୀ ନୀଳମଣି ପଟେଲ ହିନ୍ଦୀ ଶିକ୍ଷକମାନଙ୍କ ଅବଦାନକୁ ସ୍ମରଣ କରି ଶିକ୍ଷାଦାନ ସହିତ ଛାତ୍ରଛାତ୍ରୀଙ୍କ ଚରିତ୍ର ଗଠନରେ ଭାଷା ଶିକ୍ଷାର ଗୁରୁତ୍ୱ ବୁଝାଇଥିଲେ । ସ୍ଥାନୀୟ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ନମିତା ପାଣିଗ୍ରାହୀ ହିନ୍ଦୀ ଦିବସର ମହତ୍ତ୍ୱ ଉପରେ ମତ ରଖି ବିଦ୍ୟାଳୟରେ ଛାତ୍ରୀମାନଙ୍କ ଭାଷା ଓ ସାଂସ୍କୃତିକ ପ୍ରତିଭା ବିକାଶ ପାଇଁ ଏଭଳି କାର୍ଯ୍ୟକ୍ରମ ନିୟମିତ ଆୟୋଜନର ଆବଶ୍ୟକତା ଦର୍ଶାଇଥିଲେ । ଏହି ଅବସରରେ ଜିଲ୍ଲାର ଅବସରପ୍ରାପ୍ତ ହିନ୍ଦୀ ଶିକ୍ଷକ, ଶିକ୍ଷୟିତ୍ରୀଙ୍କୁ ସଂଘ ତରଫରୁ ଉତ୍ତରୀୟ, ମୋମେଣ୍ଟୋ ଓ ପୁଷ୍ପଗୁଚ୍ଛ ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା । ସଭା ଶେଷରେ ସ୍ଥାନୀୟ ବିଦ୍ୟାଳୟର ଛାତ୍ରୀମାନେ ମନୋଜ୍ଞ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । କାର୍ଯ୍ୟକ୍ରମକୁ ଶିକ୍ଷକ ଅଶ୍ୱିନୀ ଷଡ଼ଙ୍ଗୀ ସଂଯୋଜନା କରିଥିବା ବେଳେ ଶିକ୍ଷକ ଭକ୍ତ ଚରଣ ନାଏକ ଧନ୍ୟବାଦ ଅର୍ପଣ କରିଥିଲେ । ଜିଲ୍ଲାର ବହୁ ହିନ୍ଦୀ ଶିକ୍ଷକ, ଶିକ୍ଷାବିତ୍‌, ଭାଷାପ୍ରେମୀ ଯୋଗଦେଇଥିଲେ ।

Leave A Reply

Your email address will not be published.