
ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ହଳଦୀ ପଞ୍ଚାୟତ କଲ୍ୟାଣ ମଣ୍ଡପଠାରେ ଶନିବାର ଦିନ ବିଓଡି ସଦସ୍ୟା ନମିତା ତାଣ୍ଡିଙ୍କ ସଭାପତିତ୍ୱରେ ତଥା ମମତା ଭୋଇ ଓ ପ୍ରମୋଦିନୀ ସାହୁଙ୍କ ଉପସ୍ଥିତିରେ ମିଳିତ ଉତଥାନ ପ୍ରଡ୍ୟୁସର କମ୍ପାନୀ ଲିମିଟେଡ଼ର ଆର୍ଥିକ ବର୍ଷ ୨୦୨୫-୨୬ର ଷଷ୍ଠତମ ବାର୍ଷିକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏପିସି ପ୍ରକଳ୍ପ ଅନ୍ତର୍ଗତ ମୁରିବାହାଲ ବ୍ଲକର ୧୦ଟି ଗ୍ରାମ ପଂଚାୟତରୁ କମ୍ପାନୀର ଅଂଶୀଦାର ଓ ବିଓଡିମାନଙ୍କ ଉପସ୍ଥିତରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ମୁଖ୍ୟ ଅତିଥି ଭାବରେ ହଳଦୀ ପଞ୍ଚାୟତ ସରପଞ୍ଚ ସୌମିନା ସେଠ, ସମ୍ମାନିତ ଅତିଥି ଭାବରେ ଜନମୁକ୍ତି ଅନୁଷ୍ଠାନର ସମ୍ପାଦକ ଭଜରାମ ସାହୁ, ଏଓ ସସ୍ମିତା ବେହେରା ଓ ନିରୁପମା ନାଏକ ପ୍ରମୁଖ ମଞ୍ଚାସିନ ଥିଲେ । ଅତିଥିବୃନ୍ଦ କମ୍ପାନୀର କାର୍ଯ୍ୟକୁ ଉତ୍ସାହିତ କରିବା ସହିତ ତାହାର ଉଜ୍ଜଳ ଭବିଷ୍ୟତ କାମନା କରିଥିଲେ । ବିଓଡି ସଦସ୍ୟା ନମିତା ତାଣ୍ଡି ବାର୍ଷିକ ବିବରଣୀ ପଠନ କରି ଥିବାବେଳେ ହିସାବ ରକ୍ଷକ ବୈଷ୍ଣବୀ ମହାକୁର ବାର୍ଷିକ ଆୟବ୍ୟୟ ବିବରଣୀ ପାଠ କରିଥିଲେ । ଅନୁଷ୍ଠିତ ସଭାରେ ବାର୍ଷିକ ଯୋଜନା ୨୦୨୬-୨୭ ଉପସ୍ଥାପନ, ଅଡିଟର ନିଯୁକ୍ତି ଇତ୍ୟାଦି ବିଷୟରେ ଆଲୋଚନା କରାଯାଇ ତାହା ସର୍ବସମ୍ମତି କ୍ରମେ ଗୃହୀତ କରାଗଲା । ଏହି ଆର୍ଥିକ ବର୍ଷରେ ସଫଳତାର ସହିତ ଚାଷ, ବ୍ୟବସାୟ ଓ ଉତ୍ପାଦନ ବୃଦ୍ଧି ସହିତ କମ୍ପାନୀର ବିକାଶରେ ସହଯୋଗୀ ହୋଇଥିବା ମା’ ଦୁଆରସେନି ଉତ୍ପାଦକ ଗୋଷ୍ଠୀ, ମହିଳା ଚାଷୀ ପ୍ରମିଳା ଭଇଁସାଲ, ବିଓଡି ସଦସ୍ୟା ପ୍ରମୋଦିନୀ ସାହୁ, ଉତ୍ପାଦକ ଗୋଷ୍ଠୀ ଲିଡର ଯଶୋବନ୍ତି ବାଗ ଏବଂ ଜନମୁକ୍ତି ଅନୁଷ୍ଠାନର କର୍ମି ସଞ୍ଜିତା ହାତୀଙ୍କୁ ମାନପତ୍ର ଦେଇ ସମ୍ମାନିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଯୋଗଦାନ ଦେଇଥିବା କମ୍ପାନୀର ଅଂଶୀଦାରମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ କମ୍ପାନୀର ବିଭିନ୍ନ କାର୍ଯ୍ୟକ୍ରମକୁ ଉପସ୍ଥାପନ କରିଥିଲେ । ସଭାକୁ ରଶ୍ମିତା ଗହୀର ଓ ସଞ୍ଜିତା ହାତୀ ପରିଚାଳନା କରିଥିବା ବେଳେ ସଂଜୀବ କୁମାର ବାରିକ, ଲଳିତ ରଣା, ସୁଶୀଲ କୁମାର ସାହୁ, ପ୍ରକାଶ କୁମାର ବନ୍ଦୀଛୋର, ଚିତ୍ରଲେଖା ସାହୁ, କିରଣ ଜାଲ,ଛନ୍ଦାଚରଣ ସାହୁ, ସୁବର୍ଣ୍ଣି ବାଗ, ବିଦୁ ବାଗ ପ୍ରମୁଖ ସହଯୋଗ କରିଥିଲେ । କାର୍ଯ୍ୟକ୍ରମ ଶେଷରେ ଧର୍ମା ସାହୁ ଓ ନମିତା ତାଣ୍ଡି ଧନ୍ୟବାଦ ଦେଇଥିଲେ ।