
ବଲାଙ୍ଗିର, (କେପିଏନ୍ଏସ୍) : ଇନ୍ଷ୍ଟାଗ୍ରାମରୁ ପରିଚୟ, ପରେ ପ୍ରେମ ଓ ବିବାହ । କାମ ଦେବା ବାହାନାରେ ୟୁପି ଡାକି ନେଇ ଜୋରଜବରଦସ୍ତ ବିବାହ କରିବା ସହ ନିର୍ଯ୍ୟାତନା ଦେଇଥିବା ଅଭିଯୋଗ । ଏଭଳି ଅଭିଯୋଗ ନେଇ ବଲାଙ୍ଗିର ଲକ୍ଷ୍ମୀଯୋର ଥାନାର ଦ୍ୱାରସ୍ଥ ହୋଇଛନ୍ତି ଜଣେ ନାବାଳିକା । ନାବାଳିକାଙ୍କ ଅଭିଯୋଗ ଅନୁସାରେ, ଇନ୍ଷ୍ଟାଗ୍ରାମରେ ୟୁପି ମହାରାଜଗଞ୍ଜ ଜିଲ୍ଲାର ଜଣେ ଯୁବକଙ୍କ ସହ ତାଙ୍କର ପରିଚୟ ହୋଇଥିଲା । ପରେ ଉଭୟଙ୍କ ମଧ୍ୟରେ କଥାବାର୍ତ୍ତା ହେଉଥିଲା । କାମ ଦେବାର ପ୍ରତିଶୃତି ଦେଇ ମାଆଙ୍କ ସହ ତାଙ୍କୁ ୟୁପି ଡାକି ନିଆଯାଇଥିଲା । ସେଠାରେ ଜୋରଜବରଦସ୍ତ ଭାବେ ବିବାହ କରାଯିବା ସହ କୋର୍ଟରେ ତାଙ୍କୁ ସାବାଳିକା ଦର୍ଶାଇଥିବା ଅଭିଯୋଗ କରିଛନ୍ତି । ବିବାହ ପରେ ମାଆଙ୍କୁ ବଲାଙ୍ଗିର ଫେରିଯିବାକୁ କୁହାଯାଇଥିଲା । ଗର୍ଭବତୀ ହେବା ପରେ ତାଙ୍କୁ ପ୍ରବଳ ନିର୍ଯ୍ୟାତନା ଦିଆଯାଇଥିବା ସେ କହିଛନ୍ତି । ଶିଶୁ ଜନ୍ମ ପରେ ହସ୍ପିଟାଲ ଯିବା ବାହାନାରେ ସେଠାରୁ ଖସି ଟ୍ରେନ୍ ଯୋଗେ ବଲାଙ୍ଗିର ଫେରିଥିବା ନାବାଳିକା କହିଛନ୍ତି । ନ୍ୟାୟ ପାଇଁ ଲକ୍ଷ୍ମୀଯୋର ଥାନାରେ ଅଭିଯୋଗ କରିବା ସହ ଅଭିଯୁକ୍ତ ବିରୋଧରେ ତୁରନ୍ତ ଆଇନଗତ ପଦକ୍ଷେପ ନେବାକୁ ସେ ଦାବି କରିଛନ୍ତି । ଘଟଣାର ସତ୍ୟତା ପୋଲିସ ତଦନ୍ତ ପରେ ସ୍ପଷ୍ଟ ହେବ ।