
- ଝିଅମାନେ ନିଜ ଅଧିକାର ଓ ଆଇନ ସମ୍ପର୍କରେ ସଚେତନ ହେବାକୁ ଆହ୍ୱାନ
ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷ ଠାରେ ଯୌତୁକ ପ୍ରଥା ନିଷେଧ ଆଇନ, ୧୯୬୧ ଉପରେ ଏକ କର୍ମଶାଳା ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ଅଞ୍ଜଳୀନା ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ସୁବର୍ଣ୍ଣପୁର ଜିଲ୍ଲା ନ୍ୟାୟାଳୟର ସରକାରୀ ଓକିଲ ଶ୍ରୀମତୀ ମଧୁମିତା ଅମାତ୍ୟ ଏବଂ ଶିଶୁ କଲ୍ୟାଣ କମିଟିର ସଦସ୍ୟ ଶ୍ରୀମତୀ ରଂଜିତା ସାହୁ ପ୍ରମୁଖ ଯୋଗ ଦେଇଥିଲେ । ସେମାନେ ଯୌତୁକ ପ୍ରଥା ଏକ ସାମାଜିକ ଅଭିଶାପ, ଏହାକୁ ମୂଳୋତ୍ପାଟନ କରିବା ପାଇଁ ସମସ୍ତଙ୍କ ସହଯୋଗ ଆବଶ୍ୟକ ବୋଲି କହିଥିଲେ । ତାଲିମ ଶିବିରରେ ଯୌତୁକ ନିଷେଧ ଅଧିନିୟମ ୧୯୬୧ର ବିଭିନ୍ନ ଧାରା, ଦଣ୍ଡବିଧାନ ଏବଂ ଏହାର କାର୍ଯ୍ୟକାରିତା ସମ୍ପର୍କରେ ଆଲୋକପାତ କରାଇଥିଲେ । ବିଭିନ୍ନ ବିଦ୍ୟାଳୟରୁ ଆସିଥିବା ଛାତ୍ରୀମାନଙ୍କୁ ଯୌତୁକ ପ୍ରଥା ନିଷେଧ ଆଇନ ସମ୍ପର୍କରେ ବିସ୍ତୃତ ଭାବେ ବୁଝାଇଥିଲେ । ସମ୍ବିଧାନ, ଗଣତନ୍ତ୍ର, ଝିଅମାନଙ୍କ ଅଧିକାର ଏବଂ ଆଇନ ସମ୍ପର୍କରେ ଅବଗତ ହୋଇ ସେମାନେ କିପରି ସମାଜରେ ଘଟୁଥିବା ବିଭିନ୍ନ ପ୍ରକାରର ଅତ୍ୟାଚାରକୁ ପ୍ରତିରୋଧ କରିପାରିବେ ସେହି ବିଷୟରେ କର୍ମଶାଳାରେ ସୂଚନା ଦିଆଯାଇଥିଲା । କର୍ମଶାଳାରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ପ୍ରଧାନ କହିଥିଲେ ଯେ, ଯୌତୁକ ପ୍ରଥା ଏବେ ମଧ୍ୟ ସମାଜରେ ପ୍ରଚଳିତ ରହିଛି । ଝିଅମାନେ ଶିକ୍ଷିତ ହେବା ପରେ ମଧ୍ୟ ଯୌତୁକ ପ୍ରଥାର ଶିକାର ହେଉଛନ୍ତି । ତେଣୁ ଏହି ପ୍ରଥା ବିରୋଧରେ ସମସ୍ତଙ୍କୁ ନିଜର ସ୍ୱର ଉତ୍ତୋଳନ କରିବା ଆବଶ୍ୟକ । ଯୌତୁକର ଶୃଙ୍ଖଳକୁ ଭାଙ୍ଗିବା ପାଇଁ ଝିଅମାନଙ୍କୁ ଆଗକୁ ଆସିବାକୁ ପଡ଼ିବ ଏବଂ ଏଥିପାଇଁ ସେମାନେ ନିଜ ଅଧିକାର ଓ ଆଇନ ସମ୍ପର୍କରେ ସଚେତନ ହେବା ଆବଶ୍ୟକ ବୋଲି ସେ କହିଥିଲେ । ଏହାସହ ମହିଳା ଓ ଶିଶୁ ସୁରକ୍ଷା ପାଇଁ ଥିବା ବିଭିନ୍ନ ହେଲ୍ପ ଲାଇନ ନମ୍ବର ବିଷୟରେ ଅବଗତ କରାଯାଇଥିଲା । କିଛି ଅସୁବିଧା ହେଲେ ୧୮୧ – ମହିଳା ହେଲ୍ପ ଲାଇନ, ୧୦୯୮ – ଶିଶୁ ହେଲ୍ପ ଲାଇନ, ୧୧୨ – ଜରୁରୀକାଳୀନ ସହାୟତା, ୧୯୩୦ – ସାଇବର ଅପରାଧ ହେଲ୍ପ ଲାଇନରେ ତୁରନ୍ତ ଯୋଗାଯୋଗ କରିବା ପାଇଁ ଅନୁରୋଧ କରାଯାଇଥିଲା । କର୍ମଶାଳାରେ ବିଭିନ୍ନ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିବା ବେଳେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତୀ ବୀଣାପାଣି ମିଶ୍ର କର୍ମଶାଳା ଆରମ୍ଭରେ ସ୍ୱାଗତ ଭାଷଣ ରଖିଥିବା ବେଳେ ସୁରକ୍ଷା ତଥା କାର୍ଯ୍ୟକ୍ରମ ଅଧିକାରୀ ଅଞ୍ଜନା କିଷାନ କର୍ମଶାଳା ପରିଚାଳନା କରିଥିଲେ ।