jayashree

ପାଇକମାଲରେ ଘଡ଼ଘଡ଼ି ବିଜୁଳି ବର୍ଷା ସହ ମାରୁଛି ପବନ, ପାଞ୍ଚ ଦିନ ହେଲା ବିଦ୍ୟୁତ ସରବରାହ ଖେଳୁଛି ଲୁଚକାଲି ଖେଳ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକରେ ଗତ ପାଞ୍ଚଦିନ ହେଲା ବର୍ଷା ଲାଗିରହିଛି । ଘଡ଼ଘଡ଼ି ସହ ମାରୁଛି ବିଜୁଳି । ପ୍ରବଳ ବେଗରେ ବହୁଛି ପବନ । ରାସ୍ତାଘାଟରେ ଭାଙ୍ଗି ପଡୁଛି ବିରାଟ ବିରାଟ ଗଛ । ବିଦ୍ୟୁତ ସରବରାହ ଦେଉଛି ସବୁଠୁଁ ବେଶୀ ଦୁଃଖ । ସବୁଦିନ ଘଣ୍ଟା ଘଣ୍ଟା ଧରି ରାତିରେ ଦିନରେ ଅନାଇ ବସିଛନ୍ତି ଲୋକେ ଲାଇଟ କେତେବେଳେ ଆସିବ ବୋଲି । ଲାଇଟ ଆସିଗଲେ ଲୋକେ ବହୁତ ଖୁସି, କିଛିସମୟ ପରେ ପୁଣି ଅନ୍ଧାର । ବିଭାଗୀୟ କର୍ମଚାରୀଙ୍କୁ ପଚାରିଲେ ଉତ୍ତର ମିଳୁଛି ଲାଇନ ଉପରେ ଗଛ ପଡିଛି । କେତେବେଳେ କର୍ମଚାରୀଙ୍କ ମୋବାଇଲ ବନ୍ଦ ତ’ କେତେବେଳେ ସଠିକ ଉତ୍ତର ମିଳୁନି । ପାଞ୍ଚଦିନ ହେଲା ବର୍ଷା ଯୋଗୁଁ ଲୋକେ ଘରୁ ବାହାରି ପାରୁ ନାହାନ୍ତି । କେତେବେଳେ ଦୋକାନ ଗୁଡିକ ମାଲିକମାନେ ଖୋଲୁଛନ୍ତି ତ’ କେତେବେଳେ ବନ୍ଦ ରଖୁଛନ୍ତି । ରାତିରେ ଲାଇଟ ନ ଆସିଲେ ମଶା ମାନଙ୍କ ପ୍ରାଦୁର୍ଭାବ କହିଲେ ନ ସରେ । ବିଦ୍ୟୁତ ସରବରାହ ବ୍ୟତିକ୍ରମ ନେଇ ପାଇକମାଲ ଟାଟା ପାୱାର ଏସ୍‌ଡିଓ ମନୋରଞ୍ଜନ ନାୟକଙ୍କୁ ପଚାରିବାରୁ ସେ କହିଛନ୍ତି ଯେ, ବର୍ତମାନ ଲଘୁଚାପ ଜନିତ ବର୍ଷା, ପ୍ରବଳ ପବନ ଘଡଘଡି ଯୋଗୁଁ ବିଦ୍ୟୁତ ସରବରାହ ଅନବରତ ସପ୍ଲାଇ ହୋଇ ପାରୁନାହିଁ । ବିଭିନ୍ନ ସ୍ଥାନରେ ଗଛ ପଡି, ଲାଇନ ତାର ଛିଣ୍ଡି ଯାଉଛି । ବିଦ୍ୟୁତ ଖୁଣ୍ଟି ଭାଙ୍ଗି ଯାଉଛି, ପିନ, ଇନ୍ସୁଲେଟର ଗୁଡିକ ଲାଇଟିଂ ଯୋଗୁଁ ଖରାପ ହୋଇ ଯାଉଛି । ଇନ୍ସୁଲେଟର ଖରାପ ହଇଯାଇଥିଲେ ତାକୁ ବହୁତ କଷ୍ଟରେ ଖୋଜି ବାହାର କରିବା ପୁଣି ପାଣି ବର୍ଷା ହେଉଥିବା ବେଳେ ଲଗାଇବାକୁ ଆମର କର୍ମଚାରୀମାନେ ଏହାକୁ ବହୁତ ସତର୍କ ହୋଇ ଫିଟିଙ୍ଗ କରୁଛନ୍ତି, ଏସବୁ କାମ କଲା ବେଳକୁ ସମୟ ସାପେକ୍ଷ ବୋଲି କହିବା ସହ ଆମକୁ ଦମକଳ କର୍ମଚାରୀମାନେ ବହୁତ ସାହାଯ୍ୟ କରୁଛନ୍ତି ବୋଲି ଏସ୍‌ଡିଓ ଶ୍ରୀ ନାୟକ କହିଥିଲେ । ଏନେଇ ଦମକଳ ବାହିନୀର ମୁଖ୍ୟ ଭରତ କୁମାର ସିଂଙ୍କୁ ପଚାରିବାରୁ ଆମେ ପ୍ରାୟ ପ୍ରତିଦିନ ବିଭିନ୍ନ କାମ କରିବା ସହିତ ଇତି ମଧ୍ୟରେ ଖବର ପାଇଁ ଗୌଡ଼ଜୁରୀ, ହୀରାପୁର, ମାଲଦା, ପାଇକମାଲ ବ୍ଲକ ସମ୍ମୁଖ, ଆଦର୍ଶ ବିଦ୍ୟାଳୟ ରାସ୍ତା, ମନଭଙ୍ଗ, ଓ ବିକ୍ରମନଗର ନୃସିଂହନାଥ ରାସ୍ତା ପ୍ରମୁଖ ସ୍ଥାନ ମାନଙ୍କରେ ବଡ ବଡ ଗଛ ପଡି ଥିବାରୁ ତଥା ଲାଇନ ତାର ଉପରେ ପଡ଼ିଥିବା ଗଛ ଆମ କର୍ମଚାରୀମାନେ ଯାଇ ଦିନରେ ଓ ରାତିରେ ମଧ୍ୟ ପଡ଼ିଥିବା ଗଛକୁ କାଟି ରାସ୍ତା କ୍ଲିୟର କରିଛୁ ବୋଲି ପାଇକମାଲ ଦମକଳ କାର୍ଯ୍ୟାଳୟ ଇନଚାର୍ଜ ଶ୍ରୀ ସିଂ କହିଛନ୍ତି । ଦମକଳ ବାହିନୀ ଦିନରାତି ସବୁଆଡେ କାର୍ଯ୍ୟ କରୁଥିବାରୁ ବୁଦ୍ଧିଜୀବୀମାନେ ତାଙ୍କୁ ବହୁତ ପ୍ରଶଂସା କରୁଥିବାର ଦେଖାଯାଇଛି ।

Leave A Reply

Your email address will not be published.