jayashree

ସରକାରୀ ମହିଳା ମହାବିଦ୍ୟାଳୟରେ ବିଶ୍ୱ ଆତ୍ମହତ୍ୟା ନିରୋଧ ସଚେତନତା କାର୍ଯ୍ୟକ୍ରମ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସରକାରୀ ମହିଳା ମହାବିଦ୍ୟାଳୟରେ ମନୋବିଜ୍ଞାନ ବିଭାଗ ପକ୍ଷରୁ ବିଶ୍ୱ ଆତ୍ମହତ୍ୟା ନିରୋଧ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଆତ୍ମହତ୍ୟା ନିରୋଧ ଓ ମାନସିକ ସ୍ୱାସ୍ଥ୍ୟ ସମ୍ପର୍କରେ ସମାଜରେ ସଚେତନତା ସୃଷ୍ଟି କରିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଥିଲା । କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଅରବିନ୍ଦ କୁମାର ଓଝା ଅଧ୍ୟକ୍ଷତା କରିଥିବାବେଳେ ମୁଖ୍ୟ ଅତିଥି ଭାବେ କ୍ଲିନିକାଲ୍ ସାଇକୋଲୋଜିଷ୍ଟ ମିସ୍ ଅମରୀତା ପ୍ରୀତମ ଯୋଗ ଦେଇଥିଲେ । ଏହା ବ୍ୟତୀତ ମହାବିଦ୍ୟାଳୟର ପ୍ରମୁଖ ଅଧ୍ୟାପକ ବିଭୂତିଭୂଷଣ ସାହୁ, ଅର୍ଥନୀତି ବିଭାଗର ମୁଖ୍ୟ, ଶ୍ରୀମତୀ ରାନ୍ଥି ତିର୍କି, ମନୋବିଜ୍ଞାନ ବିଭାଗର ମୁଖ୍ୟ ଉପସ୍ଥିତ ଥିଲେ । ମୁଖ୍ୟ ଅତିଥି ମିସ୍ ଅମରୀତା ପ୍ରୀତମ ସମାଜରେ ଆତ୍ମହତ୍ୟାକୁ କିପରି ରୋକା ଯାଇପାରିବ, ମାନସିକ ଚାପ ଓ ଭାବନାତ୍ମକ ସମସ୍ୟାକୁ କିପରି ଚିହ୍ନଟ କରାଯିବ ଏବଂ ସଙ୍କଟ ସମୟରେ କିପରି ସହାୟତା ପ୍ରଦାନ କରାଯାଇପାରିବ, ସେ ସମ୍ପର୍କରେ ଗଭୀର ଆଲୋଚନା କରିବା ସହ ଛାତ୍ରୀମାନଙ୍କୁ ମାର୍ଗଦର୍ଶନ ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମରେ ମନୋବିଜ୍ଞାନ ବିଭାଗର ଛାତ୍ରୀମାନେ ଏକ ସୁନ୍ଦର ନାଟକ ମାଧ୍ୟମରେ ଆତ୍ମହତ୍ୟା ନିରୋଧ ସମ୍ପର୍କିତ ସଚେତନତାମୂଳକ ବାର୍ତ୍ତା ପ୍ରଦର୍ଶନ କରିଥିଲେ । ନାଟକଟି ଉପସ୍ଥିତ ଛାତ୍ରୀ ଓ ଅତିଥିମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିଥିଲା । ଏହି ଅବସରରେ ଛାତ୍ରୀମାନଙ୍କ ମଧ୍ୟରେ ଏକ ଚିତ୍ରାଙ୍କନ ପ୍ରତିଯୋଗିତା ମଧ୍ୟ ଆୟୋଜିତ ହୋଇଥିଲା । ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରୀମାନଙ୍କୁ ଅତିଥିମାନଙ୍କ ଦ୍ୱାରା ପୁରସ୍କାର ବିତରଣ କରାଯାଇଥିଲା । ସମଗ୍ର କାର୍ଯ୍ୟକ୍ରମକୁ ମନୋବିଜ୍ଞାନ ବିଭାଗର ଲିଲନ କୁମାର ପଟ୍ଟନାୟକ ସୁନ୍ଦର ଭାବେ ପରିଚାଳନା କରିଥିଲେ । ଶେଷରେ ଶ୍ରୀମତୀ ସୁପ୍ରିତା ସାହୁ ଧନ୍ୟବାଦ ଅର୍ପଣ କରିବା ସହ କାର୍ଯ୍ୟକ୍ରମର ସମାପନ ହୋଇଥିଲା ।

Leave A Reply

Your email address will not be published.