
ବଲାଙ୍ଗିର, (କେପିଏନ୍ଏସ୍) : ସ୍ଥାନୀୟ ବାଲାଜୀ କଲେଜ ଅଫ୍ ନର୍ସିଂ, ବଲାଙ୍ଗିରର ସଭା ଗୃହ ଠାରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ ଓ ଅରୁଣା ମିଳିତ ଉଦ୍ୟମରେ ଯଶୋଦା ଯୋଜନା ଉପରେ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବାଲାଜୀ କଲେଜ ଅଫ୍ ନର୍ସିଂର ଟିଉଟର ଜ୍ୟୋସ୍ନାମୟୀ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ସଭା ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ଅରୁଣାର ଜିଲ୍ଲା ପରାମର୍ଶଦାତା ପ୍ରମୋଦ ବଗର୍ତ୍ତୀ ସମସ୍ତଙ୍କୁ ସ୍ୱାଗତ ଜଣାଇ ଯଶୋଦା ଯୋଜନା ଉପରେ ରାଜ୍ୟ ସରକାରଙ୍କ ଲକ୍ଷ୍ୟ ଓ ଉଦ୍ଦେଶ୍ୟ ଉପରେ ଜଣାଇଥିଲେ । ପିତୃ, ମାତୃ ହୀନ ଶିଶୁ ଏହାର ଲାଭ ନେବାକୁ ସମସ୍ତ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ । କାର୍ଯ୍ୟକ୍ରମରେ ଯଶୋଦା ଯୋଜନାର ଆବେଦନ ପ୍ରଣାଳୀ ଉପରେ ଜଣାଇଥିଲେ ଯଥା – ଦରଖାସ୍ତ, ବାର୍ଷିକ ଆୟ ପ୍ରମାଣ ପତ୍ର, ପିତାମାତାଙ୍କ ମୃତ୍ୟୁ ପ୍ରମାଣ ପତ୍ର, ହିତାଧିକାରୀଙ୍କ ଆଧାର କାର୍ଡ, ମେଟ୍ରିକ ପାସ୍ ଏବଂ ବାଲାଜୀ କଲେଜ ଅଫ ନର୍ସିଂରେ ପାଠ ପଢୁଥିବା ପ୍ରମାଣ ପତ୍ର, ଫୋଟୋ, ଆଡ଼ମିଶନ ଓ ଅନ୍ୟାନ୍ୟ ଫିଜ୍ର ଓରିଜିନାଲ ବିଲ ଲାଗିବ ବୋଲି ସମସ୍ତ ଛାତ୍ର ଛାତ୍ରୀ ମାନଙ୍କୁ ଜଣାଇଥିଲେ । ଏହି ସଚେତନତା ଶିବିରରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ର ସାମାଜିକ କର୍ମୀ ଅରୁଣ ଖୁଆସ କିଶୋର ନ୍ୟାୟ ଆଇନ୍, ବାଲ୍ୟ ବିବାହ ଆଇନ, ପିସିପିଏନ୍ଡିଟି ଆଇନ୍ ଉପରେ ମତାମତ ଦେଇଥିଲେ । କାର୍ଯ୍ୟକ୍ରମରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ର କାଉନସେଲର ରାକେଶ କୁମାର ପଟେଲ, ଚାଇଲ୍ଡ ହେଲ୍ପ ଲାଇନ୍ର ଜିଲ୍ଲା ପ୍ରକଳ୍ପ ସଂଯୋଜକ ସୁବୋଧ କୁମାର ପଧାନ ପ୍ରମୁଖ ଉପସ୍ଥିତ ଥିଲେ । ପରିଶେଷରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ର ଅରୁଣ ଖୁଆସ୍ ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ ।