jayashree

ରାଜେନ୍ଦ୍ର କଲେଜର ପୂର୍ବ ଜମି ଫେରାଇବାକୁ ବିଜୁ ଛାତ୍ର ଜନତା ଦଳର ଦାବି

ବଲାଙ୍ଗିର, (କେପିଏନ୍‌ଏସ୍‌) : ରାଜେନ୍ଦ୍ର କଲେଜର ପୂର୍ବତନ ଜମିର ପୁନରୁଦ୍ଧାର କରି ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟକୁ ହସ୍ତାନ୍ତର କରିବା ସହ ବିଶ୍ୱବିଦ୍ୟାଳୟର ସାମଗ୍ରିକ ଭିତ୍ତିଭୂମି ଓ ଶିକ୍ଷା ବ୍ୟବସ୍ଥାର ବିକାଶ ପାଇଁ ବିଜୁ ଛାତ୍ର ଜନତା ଦଳ, ବଲାଙ୍ଗିର ପକ୍ଷରୁ ଦାବି କରାଯାଇଛି । ଗତକାଲି ବିଜୁ ଛାତ୍ର ଜନତା ଦଳ, ବଲାଙ୍ଗିରର ଜିଲ୍ଲା ସଭାପତି ସୁମନ କୁମାର ନନ୍ଦଙ୍କ ନିର୍ଦ୍ଦେଶକ୍ରମେ ଏକ ପ୍ରତିନିଧି ଦଳ ରାଜ୍ୟର ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜଙ୍କୁ ଭେଟି ବିଭିନ୍ନ ଦାବି ସମ୍ବଳିତ ଏକ ଦାବିପତ୍ର ପ୍ରଦାନ କରିଥିଲେ । ପ୍ରତିନିଧି ଦଳ ପକ୍ଷରୁ କୁହାଯାଇଛି ଯେ, ରାଜେନ୍ଦ୍ର କଲେଜ ଏକ ଐତିହାସିକ ଶିକ୍ଷାନୁଷ୍ଠାନ ଭାବେ ବଲାଙ୍ଗିର ତଥା ସମଗ୍ର ପଶ୍ଚିମ ଓଡ଼ିଶାର ଶିକ୍ଷା କ୍ଷେତ୍ରରେ ଏକ ବିଶେଷ ସ୍ଥାନ ଅଧିକାର କରିଛି । ରାଜେନ୍ଦ୍ର କଲେଜର ପ୍ରତିଷ୍ଠା ସମୟରେ ଥିବା ଜମିର ପରିମାଣ ଏବଂ ବର୍ତ୍ତମାନ ଉପଲବ୍ଧ ଜମିର ପରିମାଣ ମଧ୍ୟରେ ବଡ଼ ପାର୍ଥକ୍ୟ ରହିଥିବା ନେଇ ପ୍ରଶ୍ନ ଉଠାଯାଇଛି । ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠା ଦିବସ ଅବସରରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ରାଜେନ୍ଦ୍ର କଲେଜର ମୂଳ ଜମି ପ୍ରାୟ ୨୦୦ ଏକର ଥିବାବେଳେ ବର୍ତ୍ତମାନ ପ୍ରାୟ ୬୦ ଏକର ଜମି ରହିଥିବା କଥା ଉଲ୍ଲେଖ କରିଥିଲେ ବୋଲି ପ୍ରତିନିଧି ଦଳ କହିଛି । ତେଣୁ ଅବଶିଷ୍ଟ ଜମିର ସ୍ଥିତି ଯାଞ୍ଚ କରି, ଯଦି କୌଣସି ଜମି ଜବରଦଖଲ କିମ୍ବା ଅନ୍ୟାନ୍ୟ ଉପାୟରେ ବିଶ୍ୱବିଦ୍ୟାଳୟର ଅଧିକାରରୁ ବାହାରେ ରହିଥାଏ, ତାହାର ଆଇନଗତ ଯାଞ୍ଚ କରାଯାଇ ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟର ସ୍ୱାର୍ଥରେ ଉପଯୋଗ କରିବାକୁ ଦାବି କରାଯାଇଛି । ଏଥିସହ ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟର ଭିତ୍ତିଭୂମି ବିକାଶ ପାଇଁ ପର୍ଯ୍ୟାପ୍ତ ଆର୍ଥିକ ଅନୁଦାନ, ଗବେଷଣା କାର୍ଯ୍ୟକୁ ଅଧିକ ସୁଦୃଢ଼ କରିବା ପାଇଁ ସ୍ୱତନ୍ତ୍ର ଗବେଷଣା ଅନୁଦାନ, ଛାତ୍ରଛାତ୍ରୀଙ୍କ ଶିକ୍ଷା ଓ ଗବେଷଣାର ସୁଯୋଗ ବୃଦ୍ଧି ଏବଂ ଆବଶ୍ୟକତା ଅନୁଯାୟୀ ନୂତନ ବିଭାଗ ଖୋଲିବାକୁ ଅନୁମତି ପ୍ରଦାନ ପାଇଁ ମଧ୍ୟ ଦାବି ରଖାଯାଇଛି । ବିଜୁ ଛାତ୍ର ଜନତା ଦଳ ପକ୍ଷରୁ କୁହାଯାଇଛି ଯେ, ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟକୁ ଏକ ସୁଦୃଢ଼ ଉଚ୍ଚଶିକ୍ଷା ଓ ଗବେଷଣା କେନ୍ଦ୍ର ଭାବେ ବିକଶିତ କରିବା ପାଇଁ ଜମି, ଭିତ୍ତିଭୂମି, ଆର୍ଥିକ ସହାୟତା ଓ ନୂତନ ଶିକ୍ଷା ବିଭାଗ ଭଳି ମୌଳିକ ଆବଶ୍ୟକତାଗୁଡ଼ିକ ପ୍ରତି ସରକାର ଗୁରୁତ୍ୱ ଦେବା ଆବଶ୍ୟକ । ଏହି ପ୍ରତିନିଧି ଦଳରେ ଚିରଞ୍ଜୀବୀ ପ୍ରଧାନ, ମନୀଷ କୁମାର ସାଏ, ଆରିୟନ ପଟେଲ, ରୋଶନ ସାହୁ ଓ ପ୍ରତ୍ୟୁଷ ନାଏକ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.