
- ମୋହନ ମାଝୀ, ସୂର୍ଯ୍ୟବଂଶୀ ସୁରଜ ଓ କଳିକେଶଙ୍କୁ ଧନ୍ୟବାଦ ଦେଲେ ଅଞ୍ଚଳବାସୀ
ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ନିର୍ବାଚନ ମଣ୍ଡଳୀ ଅଞ୍ଚଳରେ କ୍ରୀଡାର ବିକାଶ ପାଇଁ ବଲାଙ୍ଗିର ବିଧାୟକ କଳିକେଶ ନାରାୟଣ ସିଂହଦେଓଙ୍କ ଉଦ୍ୟମ ଜାରିରହିଛି । ବିଧାୟକଙ୍କ ପ୍ରସ୍ତାବ କ୍ରମେ କୁତୁର୍ଲାଠାରେ ଦେଓଗାଁ ବ୍ଲକସ୍ତରୀୟ ଏକ ଉନ୍ନତ ଷ୍ଟାଡିୟମ ନିର୍ମାଣ ହେବାକୁ ଯାଉଛି । ଏଥିପାଇଁ ୧୪କୋଟି ୫୫ଲକ୍ଷ ୩୦ ହଜାର ଟଙ୍କାର ଅନୁଦାନ ଅର୍ଥରାଶି ମଞ୍ଜୁର ହୋଇଥିବା ଜଣାପଡିଛି । ଆଜି ଏହି ଖବର ପ୍ରଚାରିତ ହେବାପରେ ଦେଓଗାଁ ଅଞ୍ଚଳବାସୀ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉଚ୍ଚଶିକ୍ଷା, କ୍ରୀଡା ଓ ଯୁବ ବ୍ୟାପାରମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଓ ବଲାଙ୍ଗିର ବିଧାୟକ କଳିକେଶ ନାରାୟଣ ସିଂହଦେଓଙ୍କୁ ଧନ୍ୟବାଦ ଜ୍ଞାପନ କରାଯାଇଛି । ଦେଓଗାଁ ବ୍ଲକ ଅଞ୍ଚଳରେ ବିକାଶ କାମ ଆଗେଇ ଚାଲିଛି । ତେଣୁ ସ୍ଥାନୀୟ ବିଧାୟକ କଳିକେଶ ସିଂହଦେଓଙ୍କ ସହିତ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ପୂର୍ବ ବ୍ଲକଅଧ୍ୟକ୍ଷ ଲକ୍ଷ୍ମଣକୁମାର ମେହେର କୃତଜ୍ଞତା ଜଣାଇଛନ୍ତି । ଗତ ସେପଟେମ୍ବର ୧୧ ତାରିଖରେ କ୍ରୀଡା ଓ ଯୁବ ବ୍ୟାପାର ବିଭାଗ ପକ୍ଷରୁ ତାଙ୍କର ପତ୍ରସଂଖ୍ୟା ଏସୱାଇଏସ-ଇନଫ୍ରା-୦୦୧୫-୨୦୨୫/୨୯୯୦୭ରେ ଅର୍ଥରାଶି ଅନୁମୋଦନ ହୋଇଥିବା ନେଇ ସୂଚନା ଦେଇ ଏନେଇ ବଲାଙ୍ଗିର ଜିଲ୍ଲାପାଳ ଓ ପୂର୍ତ୍ତ ବିଭାଗର ଅଧିକ୍ଷଣ ଯନ୍ତ୍ରୀଙ୍କୁ ଏହାର ପତ୍ର ଦେଇଛନ୍ତି । ପ୍ରକାଶ ଯେ, କେବଳ ସହରାଞ୍ଚଳ ନୁହେଁ ଗ୍ରାମାଞ୍ଚଳରେ ମଧ୍ୟ କ୍ରୀଡାର ଭିତ୍ତିଭୂମୀ ବଢାଇବାକୁ ରାଜ୍ୟସରକାର ଉଦ୍ୟମ କରୁଛନ୍ତି । ସେହି କ୍ରମରେ ପୂର୍ବରୁ ବଲାଙ୍ଗିର ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଷ୍ଟାଡିୟମ ପାଇଁ ଅନୁଦାନ ଆସିଥିଲା । ଏବେ ଦେଓଗାଁ ବ୍ଲକସ୍ତରୀୟ ଷ୍ଟାଡିୟମ ପାଇଁ ଅନୁଦାନ ଆସିଛି ଯାହାକୁ ନେଇ ଜନସାଧାରଣ ଖୁସି ବ୍ୟକ୍ତ କରୁଛନ୍ତି ।