
ବଲାଙ୍ଗିର, (କେପିଏନ୍ଏସ୍) : ପୁଇଁତଲା ବ୍ଲକ୍ ଅନ୍ତର୍ଗତ ମଲମୁଣ୍ଡା ଆଞ୍ଚଳିକ ସାଧନ କେନ୍ଦ୍ର ଅନ୍ତର୍ଗତ ସମସ୍ତ ବିଦ୍ୟାଳୟ ମାନଙ୍କରେ ‘ସେବା ସଂକଳ୍ପ ଅଭିଯାନ ୨୦୨୬’ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ‘ବିକଶିତ ଭାରତ’ ଏବଂ ‘୨୫ ବର୍ଷର ସେବା’ ଶୀର୍ଷକ ବିଷୟବସ୍ତୁକୁ ନେଇ ବକ୍ତୃତା ଓ ଚିତ୍ରାଙ୍କନ ପ୍ରତିଯୋଗିତା ଆୟୋଜିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଆଞ୍ଚଳିକ ସାଧନ କେନ୍ଦ୍ର ଅଧୀନରେ ଥିବା ସମସ୍ତ ବିଦ୍ୟାଳୟର କୋମଳମତି ଛାତ୍ରଛାତ୍ରୀମାନେ ଉତ୍ସାହର ସହ ଅଂଶଗ୍ରହଣ କରିଥିଲେ । ଚିତ୍ରାଙ୍କନ ପ୍ରତିଯୋଗିତାରେ ଛାତ୍ରଛାତ୍ରୀମାନେ ନିଜର ତୁଳୀ ମାଧ୍ୟମରେ ସମୃଦ୍ଧ, ସଶକ୍ତ ଓ ବୈଷୟିକ ଜ୍ଞାନକୌଶଳରେ ଆଗେଇ ଚାଲିଥିବା ‘ବିକଶିତ ଭାରତ’ର ସୁନ୍ଦର ଚିତ୍ରାଙ୍କନ କରିଥିଲେ । ସେହିପରି ବକ୍ତୃତା ପ୍ରତିଯୋଗିତାରେ ପ୍ରତିଯୋଗୀମାନେ ଦେଶ ଓ ସମାଜ ସେବାରେ ଗତ ‘୨୫ ବର୍ଷର ସେବା’ ଏବଂ ଦେଶର ବିକାଶ ଗାଥା ଉପରେ ଓଜସ୍ୱିନୀ ବକ୍ତୃତା ପ୍ରଦାନ କରି ଶ୍ରୋତାମାନଙ୍କୁ ମନ୍ତ୍ରମୁଗ୍ଧ କରିଥିଲେ । ମଲମୁଣ୍ଡା ଆଞ୍ଚଳିକ ସାଧନ କେନ୍ଦ୍ରର ସାଧନ ସଂଯୋଜକ ପ୍ରମୋଦ କୁମାର ପଟେଲଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ବିଦ୍ୟାଳୟଗୁଡ଼ିକର ପ୍ରଧାନଶିକ୍ଷକ, ଶିକ୍ଷକ-ଶିକ୍ଷୟିତ୍ରୀଙ୍କ ଦ୍ୱାରା କୃତୀ ପ୍ରତିଯୋଗୀମାନଙ୍କୁ ଚୟନ କରାଯାଇ ପୁରସ୍କୃତ କରାଯାଇଥିଲା । ଦେଶପ୍ରେମ ଓ ସେବା ମନୋଭାବକୁ ଜାଗ୍ରତ କରିବା ସହ ‘ବିକଶିତ ଭାରତ’ ଗଠନରେ ଯୁବପିଢ଼ିଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି ପ୍ରଧାନଶିକ୍ଷକ, ଶିକ୍ଷକ-ଶିକ୍ଷୟିତ୍ରୀ ମାନେ ନିଜ ନିଜ ବକ୍ତବ୍ୟରେ ପ୍ରକାଶ କରିଥିଲେ । କୃତୀ ଛାତ୍ରଛାତ୍ରୀମାନେ ଆସନ୍ତା ୨୩.୧୦.୨୦୨୬ ହେବାକୁ ଥିବା ବ୍ଲକ ସ୍ତରୀୟ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ ।