
ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ମଦ୍ୟପାନ କରି ହାତରେ କୁରାଢ଼ି ଧରି ଘର ଆଗରେ ଗାଳିଗୁଲଜ କରିବା ଏବଂ ପରେ ପିସ୍ତଲ ଧରି ହତ୍ୟା ଧମକ ଦେବା ଅଭିଯୋଗରେ ବୀରମହାରାଜପୁର ପୁଲିସ ଜଣେ ଯୁବକଙ୍କୁ ଗିରଫ କରିଛି । ଅଭିଯୁକ୍ତ ଯୁବକ ହେଲେ ଉଲୁଣ୍ଡା ବ୍ଲକ କଳାପଥର ଗ୍ରାମପଞ୍ଚାୟତ ଅନ୍ତର୍ଗତ ବାବୁପାଲି ଗ୍ରାମର ପ୍ରକାଶ ପଧାନ । ପୁଲିସର ସୂଚନା ଅନୁଯାୟୀ, ଗତ ୧୫ ତାରିଖ ରାତି ପ୍ରାୟ ୧୦ଟା ସମୟରେ ବାବୁପାଲି ଗ୍ରାମର ଅଶୋକ କୁମାର ପଧାନ ତାଙ୍କ ପରିବାର ସଦସ୍ୟ ଓ ଭାଇ ମାନଙ୍କ ସହ ଘରେ ରାତ୍ର ଭୋଜନ କରୁଥିଲେ । ଏହି ସମୟରେ ପ୍ରକାଶ ମଦ୍ୟପାନ କରି ହାତରେ କୁରାଢ଼ି ଧରି ଅଶୋକଙ୍କ ଘର ନିକଟକୁ ଆସିବା ସହ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଥିବା ଅଭିଯୋଗ ହୋଇଛି । ଭୟରେ ପରିବାର ଲୋକେ ଘରର କବାଟ ବନ୍ଦ କରି ଭିତରେ ରହିଥିଲେ ତେବେ ଘଟଣା ଏତିକିରେ ଥମିନଥିଲା । ରାତି ପ୍ରାୟ ୧୨ଟା ୪୦ ମିନିଟ ସମୟରେ ପ୍ରକାଶ ପୁଣି ଅଶୋକଙ୍କ ଘର ନିକଟକୁ ଆସିଥିଲେ। ଏଥର ତାଙ୍କ ହାତରେ ଏକ ପିସ୍ତଲ ଥିବା ଏବଂ ଗାଳିଗୁଲଜ କରିବା ସହ ପିସ୍ତଲ ଦେଖାଇ ହତ୍ୟା ଧମକ ଦେଇଥିବା ଅଭିଯୋଗ ହୋଇଛି । ଏନେଇ ଅଶୋକ କୁମାର ପଧାନଙ୍କ ଅଭିଯୋଗ ଆଧାରରେ ବୀରମହାରାଜପୁର ଥାନାରେ କେସ୍ ନଂ-୨୩୧/ ତା,୧୬.୦୯.୨୦୨୬ରେ ବିଏନ୍ଏସ୍-୨୦୨୩ର ଧାରା ୧୨୬(୨)/୨୯୬/୩୫୧(୩) ଏବଂ ଆର୍ମସ୍ ଆକ୍ଟର ଧାରା ୨୫ ଅନୁଯାୟୀ ମାମଲା ରୁଜୁ ହୋଇଥିଲା । ଆଇଆଇସି ଯଯାତି କେଶରୀ ସାହୁଙ୍କ ନେତୃତ୍ୱରେ ଗଠିତ ପୁଲିସ ଟିମ୍ ଅଭିଯୁକ୍ତ ପ୍ରକାଶ ପଧାନଙ୍କ ନିକଟରୁ ଗୋଟିଏ ଓପୋ ମୋବାଇଲ୍, ଗୋଟିଏ ଦେଶୀ ପିସ୍ତଲ ଏବଂ ୩ ଗୋଟି ଜୀବନ୍ତ ଗୁଳି ଜବତ କରିଥିବା ଜଣାପଡ଼ିଛି । ଅଭିଯୁକ୍ତଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିବା ସୂଚନା ମିଳିଛି ।