
ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିରରେ ରେଳ ଯାତ୍ରୀଙ୍କ ସମସ୍ୟା ଓ ବିଭିନ୍ନ ଦାବିକୁ ନେଇ ତେଜିଛି ଅସନ୍ତୋଷ । ମାଲପଡ଼ାସ୍ଥିତ କାର୍ଯ୍ୟାଳୟରେ ବଲାଙ୍ଗିର ଜିଲ୍ଲା ରେଳ ଉପଭୋକ୍ତା ସଂଘର କାର୍ଯ୍ୟକାରିଣୀ ବୈଠକ ସଭାପତି ପ୍ରଫେସର ତରୁଣ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି । ବୈଠକରେ ପ୍ରଥମେ ସଂପାଦକ ବିମଲ ଚକ୍ରବର୍ତ୍ତୀ ପୂର୍ବ ବୈଠକର ବିବରଣୀ ପାଠ କରିଥିବା ବେଳେ କୋଷାଧ୍ୟକ୍ଷ ଆୟବ୍ୟୟର ହିସାବ ଉପସ୍ଥାପନ କରିଥିଲେ । ପରେ ବଲାଙ୍ଗିର ରେଳ ଷ୍ଟେସନର ବିଭିନ୍ନ ସମସ୍ୟା ଓ ଯାତ୍ରୀ ସୁବିଧାକୁ ନେଇ ବିସ୍ତୃତ ଆଲୋଚନା ହୋଇଥିଲା । ଜୁନାଗଡ଼, କଣ୍ଟାବାଞ୍ଜି ଓ ଟିଟିଲାଗଡ଼ ଭଳି ଷ୍ଟେସନରେ ପିଆଇଟି ଲାଇନ ନଥିଲେ ମଧ୍ୟ ଟ୍ରେନ ଚଳାଚଳ କରୁଥିବା ବେଳେ ବଲାଙ୍ଗିରରେ ନୂଆ ଟ୍ରେନ ଚଳାଚଳ ପାଇଁ ପିଆଇଟି ଲାଇନର ଆବଶ୍ୟକତା ଥିବା ନେଇ ରେଳ ବିଭାଗର ଉତ୍ତରକୁ ନେଇ ସଂଘ ସଦସ୍ୟମାନେ ପ୍ରଶ୍ନ ଉଠାଇଥିଲେ । ଏହା ସହ ମହିମା ଗୋସାଇଁ ଟ୍ରେନକୁ ବଲାଙ୍ଗିର ପର୍ଯ୍ୟନ୍ତ ସଂପ୍ରସାରଣ କରିବାକୁ ଦାବି ହୋଇଥିଲା । ବଲାଙ୍ଗିର ଷ୍ଟେସନ ଏନଏସଜି-୩ ଶ୍ରେଣୀରେ ଥିବା ସତ୍ତ୍ୱେ ଯାତ୍ରୀମାନଙ୍କୁ ଆବଶ୍ୟକ ସୁବିଧା ମିଳୁନଥିବା ନେଇ ମଧ୍ୟ କ୍ଷୋଭ ପ୍ରକାଶ ପାଇଥିଲା । ଟ୍ରେନ ବିଳମ୍ବ ଯୋଗୁଁ ଏସି ୱେଟିଂ ରୁମରେ ଅଧିକ ଚାର୍ଜ ଆଦାୟ, ମୋଟରସାଇକେଲ ଷ୍ଟାଣ୍ଡରେ ଛାଉଣିର ଅଭାବ ଏବଂ ଷ୍ଟେସନରେ ଯାତ୍ରୀଙ୍କ ପାଇଁ ରାମ୍ପ କିମ୍ବା ଏସ୍କାଲେଟର ସୁବିଧା ନଥିବା ନେଇ ଅସନ୍ତୋଷ ଜଣାଇଥିଲେ ସଦସ୍ୟମାନେ । ବୈଠକରେ ପ୍ରଭାକର ମିଶ୍ର, ମନୋରଂଜନ ପୁରୋହିତ, ମୋତିଲାଲ ସାହୁ, ଦିବାକର ହୋତା, ଗଣେଷ ପାଢ଼ୀ, ଗୋପବନ୍ଧୁ ପୁରୋହିତ ଓ ସୁରେନ୍ଦ୍ର ନେଗୀ ପ୍ରମୁଖ ଆଲୋଚନାରେ ଭାଗ ନେଇଥିଲେ । ଯାତ୍ରୀମାନଙ୍କ ସୁବିଧା ଓ ଦାବି ପ୍ରତି ରେଳ ବିଭାଗ ଧ୍ୟାନ ନଦେଲେ ଆଗାମୀ ଦିନରେ ସଂଘ ଆନ୍ଦୋଳନକୁ ଓହ୍ଲାଇବ ବୋଲି ସଭାପତି ପ୍ରଫେସର ତରୁଣ କୁମାର ମିଶ୍ର ଚେତାବନୀ ଦେଇଛନ୍ତି । ଶେଷରେ ଅଶୋକ କୁମାର ଚାନ୍ଦ ଧନ୍ୟବାଦ ଅର୍ପଣ କରିଥିଲେ ।