
- ଦଳମତ ଭୁଲି ମାଟିର ବିକାଶ ପାଇଁ ଚିନ୍ତା ଆବଶ୍ୟକ : ନରସିଂହ
- ଆଜି ବି ଶତାଧିକ ଗାଁ ମୌଳିକ ସୁବିଧାରୁ ବହୁ ଦୂରରେ : ନିରଞ୍ଜନ
ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିରରେ ସୁଯୋଗ ଅଛି କିନ୍ତୁ ସାଧନାର ଅଭାବ ରହିଛି । ଜିଲ୍ଲାର ବିକାଶ ପାଇଁ କାମ କରିବାକୁ ହେଲେ ଦଳମତ ନିର୍ବିଶେଷରେ କାମ କରିବାକୁ ପଡିବ । ଆକ୍ସନ୍ ବିନା ଭିଜନ କେବଳ ଏକ ସ୍ୱପ୍ନ ହୋଇ ରହିଯିବ । ତେଣୁ ଭିଜନ୍ – ୨୦୨୯ ପୁରା କରି ବଲାଙ୍ଗିରକୁ ଏକ ବିକଶିତ ଜିଲ୍ଲା କରିବାକୁ ହେଲେ ପାର୍ଟି ଛାଡି ମାଟିକୁ ପ୍ରଥମେ ଆପଣାଇବାକୁ ପଡିବ ବୋଲି ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ସ୍ଥିତ ଅଡିଟୋରିୟମ ଠାରେ ପଶ୍ଚିମ ମିଡିଆ ନେଟୱର୍କ ପ୍ରାଇଭେଟ ଲିମିଟେଡ୍ ତରଫରୁ ଆୟୋଜିତ ଭିଜନ ବଲାଙ୍ଗିର : ୨୦୨୯ କନକ୍ଲେଭରେ ଯୋଗଦେଇ ଅତିଥିମାନେ ମତବ୍ୟକ୍ତ କରିଛନ୍ତି । ପଶ୍ଚିମ ମିଡିଆ ନେଟୱର୍କର ପରିଚାଳନା ନିର୍ଦ୍ଦେଶକ ଶୁଭାଶିଷ ରଥଙ୍କ ସଭାପତିତ୍ୱରେ ଭୀମଭୋଇ ମେଡିକାଲ କଲେଜର ଅଡିଟୋରିୟମ ଠାରେ ପଶ୍ଚିମ ନ୍ୟୁଜ କନକ୍ଲେଭରେ ବଲାଙ୍ଗିର ବିକାଶ ସଂପର୍କିତ ବିଭିନ୍ନ ପ୍ରସଙ୍ଗକୁ ନେଇ ଆଲୋଚନା କରାଯାଇଥିଲା । ଏହି କନକ୍ଲେଭରେ ମୁଖ୍ୟ ଅତିଥି ଭାବରେ ଓଡିଶାର ପୂର୍ବତନ ଆଇନ ମନ୍ତ୍ରୀ ନରସିଂହ ମିଶ୍ର ଯୋଗଦେଇ କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଥିଲେ । ସମ୍ମାନିତ ଅତିଥି ଭାବରେ ପୂର୍ବତନ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି ଯୋଗଦେଇଥିଲେ । ସଭା ପ୍ରାରମ୍ଭରେ ମା’ ପାଟଣେଶ୍ୱରୀ, ମା’ ସମଲେଶ୍ୱରୀଙ୍କ ପାଖରେ ପ୍ରଦୀପ ପ୍ରଜ୍ୱଳନ କରି କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା । ମୁଖ୍ୟଅତିଥି ଶ୍ରୀ ମିଶ୍ର ନିଜର ଅଭିଭାଷଣରେ ପଶ୍ଚିମ ନ୍ୟୁଜର ଏଭଳି ଏକ କାର୍ଯ୍ୟକ୍ରମକୁ ପ୍ରଂଶସା କରିବା ସହିତ ବଲାଙ୍ଗିର ଜିଲ୍ଲାର ବିକାଶ ପାଇଁ ବୁଦ୍ଧିଜୀବୀଙ୍କୁ ନେଇ ଏଭଳି ଆଲୋଚନା କାର୍ଯ୍ୟକ୍ରମ ନିହାତି ଆବଶ୍ୟକ ବୋଲି ମତ ରଖିଥିଲେ । ଜିଲ୍ଲାର ଉନ୍ନତି ପାଇଁ ଦଳମତ ନିର୍ବିଶେଷରେ ସମସ୍ତେ ସ୍ୱର ଉତ୍ତୋଳନ କରିବାକୁ ଆହ୍ୱାନ ଦେଇଥିଲେ । ପଶ୍ଚିମ ଓଡିଶା ପ୍ରତି ସବୁବେଳେ ଅବହେଳା କରାଯାଉଛି । ଏଭଳି ବୈମାତୃକ ମନୋଭାବ ଜାରି ରହିଲେ ଆଗାମୀ ଦିନରେ ଓଡିଶା ଦୁଇ ଭାଗ ହୋଇଯିବ ବୋଲି ଚେତାଇ ଦେଇଥିଲେ । ସେହିଭଳି ପୂର୍ବତନ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି ତାଙ୍କର ବକ୍ତବ୍ୟ ରଖି ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ, କ୍ରୀଡା କ୍ଷେତ୍ରରେ ଗ୍ରାମାଞ୍ଚଳର ଏବଂ ସହରାଞ୍ଚଳର ଯୁବପିଢୀଙ୍କୁ ସମାନ ସୁଯୋଗ ଦେବାର ଆବଶ୍ୟକତା ରହିଛି ବୋଲି କହିଥିଲେ । ଏହି ଅବସରରେ ଭିଜନ୍ ବଲାଙ୍ଗିର ୨୦୨୯ରେ ବିଭିନ୍ନ ପ୍ରସଙ୍ଗ ଉପରେ ଅଲୋଚନା କରାଯାଇଥିଲା । ବଲଙ୍ଗିରେ ଶିଳ୍ପ : ପ୍ରୋସପେକ୍ଟ ଏଣ୍ଡ ରିଏଲିଟି ନେଇ ଆଲୋଚନାରେ ପେନାଲିଷ୍ଟ ଭାବେ ଯୋଗ ଦେଇ ବରିଷ୍ଠ ବିଜେପି ନେତା ଗୋପାଳଜୀ ପାଣିଗ୍ରାହୀ ଯୋଗଦେଇ ବିଜେପି ନେତୃତ୍ୱାଧୀନ ସରକାରରେ ବଲାଙ୍ଗିର ଶିଳ୍ପ ସମୃଦ୍ଧ ସହର ହେବ ବୋଲି ମତବ୍ୟକ୍ତ କରିଥିଲେ । ଗନ୍ଧମାର୍ଦ୍ଧନ : “ସଂସ୍କୃତି, ସମ୍ପଦ ଆର ସଂରକ୍ଷଣ” ସଂପର୍କିତ ଆଲୋଚନାରେ ପେନାଲିଷ୍ଟ ଭାବେ ପ୍ରଦେଶ କଂଗ୍ରେସ କମିଟି ମିଡ଼ିଆ ସେଲ ଅଧ୍ୟକ୍ଷ ତଥା ବରିଷ୍ଠ ସାମ୍ବାଦିକ ଅରବିନ୍ଦ ଦାସ ଯୋଗଦେଇ ଗନ୍ଧମାର୍ଦ୍ଧନର ସୁରକ୍ଷା ନେଇ କିଛି ଉପାଦେୟ ମନ୍ତବ୍ୟ ଦେବା ସହ ଏହାର ସୁରକ୍ଷା ପାଇଁ ସମସ୍ତଙ୍କୁ ସ୍ୱର ଉଠାଇବା ପାଇଁ ଆହ୍ୱାନ କରିଥିଲେ । କନକ୍ଲେଭର ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ସ୍ମାର୍ଟ ବଲାଙ୍ଗିର : “ଭିଜନ ଭର୍ସେସ୍ ରିଏଲିଟି”ରେ ପେନାଲିଷ୍ଟ ଭାବେ ବଲାଙ୍ଗିର ପୌରାଧ୍ୟକ୍ଷା ଲିକା ସାହୁ ଯୋଗ ଦେଇ ବଲାଙ୍ଗିରକୁ ଏକ ସ୍ମାର୍ଟ ସହର ଭାବେ ଗଢି ତୋଳିବା ପାଇଁ ଯୋଜନା ସଂପର୍କରେ ମତବ୍ୟକ୍ତ କରିଥିଲେ । ବଲାଙ୍ଗିରର ଜନସାଧାରଣଙ୍କ ସହଯୋଗ ଯୋଗୁଁ ପୌରପରିଷଦ ରାଜ୍ୟ ସରକାରଙ୍କ ଦ୍ୱାରା ପୁରସ୍କୃତ ହୋଇପାରିଛି ବୋଲି କହିଥିଲେ । ଏହି ଅବସରରେ ପଶ୍ଚିମ ଅର୍ଜିନାଲ୍ ଦ୍ୱାରା ନିର୍ମିତ ବିଭିନ୍ନ ୱେବ୍ ସିରିଜ୍ ଏବଂ ସର୍ଟ ମୁଭିର ଟିଜର ପୌରାଧ୍ୟକ୍ଷାଙ୍କ କର କମଳରେ ମୁକ୍ତିଲାଭ କରିଥିଲା । ମଞ୍ଚରେ ହକ୍ ମୁଭିର କଳାକାରମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ ପୌରାଧ୍ୟକ୍ଷା । ଏହି ଅବସରରେ ଅଭିନୟ ପାଇଁ ଜଗଦାନନ୍ଦ ଛୁରିଆ, ସାମ୍ବାଦିକତା ପାଇଁ ନବୀନ ପସାୟତ, ସ୍ୱାସ୍ଥ୍ୟ ସେବା ପାଇଁ ଡ. ଓମକାର ହୋତା, କ୍ରୀଡା ସଂଯୋଜକ ଭାବେ ହରିନାରାୟଣ ପୂଜାରୀ, ଖେଳ ପାଇଁ ମାଧୁରୀ ମେହେଟ୍ଟା ଏବଂ ଶିକ୍ଷାର ପ୍ରସାର ପାଇଁ ୟୁବୋଦୟ କଲେଜକୁ ସମ୍ବର୍ଦ୍ଧିତ କରାଯାଇଥିଲା । ପଶ୍ଚିମ ନ୍ୟୁଜ ନିର୍ଦ୍ଦେଶକ ଗଣପତି ବାଘ ଓ ଧରଣୀଧର ମିଶ୍ର, ଅର୍ଜିନାଲ ନିର୍ଦ୍ଦେଶକ ଶିବରାମ ମହାପାତ୍ର, ପଶ୍ଚିମ ଭାଇସ ପ୍ରେସିଡେଣ୍ଟ ଶ୍ରୀହର୍ଷ ପୁରୋହିତ, ବଲାଙ୍ଗିର ବ୍ୟୁରୋ ଚିଫ୍ ଶିଶିରକାନ୍ତ ଶତପଥୀ, ମନୋଜ ବାରିକ ପ୍ରମୁଖ ଏହି କାର୍ଯ୍ୟକ୍ରମକୁ ସଫଳ ଭାବରେ ପରିଚାଳନା କରିଥିଲେ । କନକ୍ଲେଭରେ ବରିଷ୍ଠ ସାମ୍ବାଦିକ ଅଭିନ୍ନ ଆଶୁତୋଷ ଶତପଥୀ, ସ୍ପେଶାଲ କରେସପଣ୍ଡେଣ୍ଟ ଦିଲ୍ଲୀପ ସାହୁ, ନ୍ୟୁଜ ଆଙ୍କର ଅଭିଜିତ ଓ ସୁମନ, ବରଗଡ ଜିଲ୍ଲା ପ୍ରତିନିଧି ଧୃବ କର୍ମୀ, କଳାହାଣ୍ଡି ଜିଲ୍ଲା ପ୍ରତିନିଧି ହିମାଦ୍ରି ମେହେର, ନୂଆପଡ଼ା ଜିଲ୍ଲା ପ୍ରତିନିଧି ବିମଳ ସିଂ ଦଳପତି, କଣ୍ଟାବାଞ୍ଜି ପ୍ରତିନିଧି ରୋହନ ମହତ୍, ପାଟଣାଗଡ଼ ପ୍ରତିନିଧି ଅଜିତ ପୁରୋହିତ, ଲୋଇସିଂହା ପ୍ରତିନିଧି ସୁଶାନ୍ତ ବାରିକ, ରୂପେଶ ବାଗ, ସିପୁନ୍ ସାଏଙ୍କ ସହ ପଶ୍ଚିମର ବିଭିନ୍ନ ବିଭାଗର ଅଧିକାରୀ ଏବଂ କର୍ମଚାରୀ ଯୋଗ ଦେଇଥିଲେ । ଏହି କନକ୍ଲେଭରେ ବଲାଙ୍ଗିର ଜିଲ୍ଲାର ବହୁ ବୁଦ୍ଧିଜୀବି, ରାଜନେତା, ଲେଖକ ଅଭିନେତା ଆଦି ଯୋଗ ଦେଇ କାର୍ଯ୍ୟକ୍ରମକୁ ସଫଳ କରିଥିଲେ ।