
ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଶିକ୍ଷା ଅଧିକାରୀ ଶାନ୍ତନୁ କୁମାର ପଢ଼ିହାରୀଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଚଳିତ ଶିକ୍ଷାବର୍ଷ ୨୦୨୬–୨୭ର ନବ ଭାରତ ସାକ୍ଷରତା କାର୍ଯ୍ୟକ୍ରମ (ଉଲ୍ଲାସ)ମାଧ୍ୟମରେ ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ ପରୀକ୍ଷା ରବିବାର ବ୍ଲକର ବିଭିନ୍ନ ପରୀକ୍ଷା କେନ୍ଦ୍ରରେ ସୁରୁଖୁରୁ, ଶୃଙ୍ଖଳିତ ଏବଂ ସ୍ୱଚ୍ଛ ପରିବେଶରେ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି । ପୂର୍ବରୁ ଏହି କାର୍ଯ୍ୟକ୍ରମ ନିମନ୍ତେ ବ୍ଲକ ଅଧିନସ୍ଥ ବିଭିନ୍ନ ଗ୍ରାମରେ ଲୋକଙ୍କୁ ସଚେତନତାର ବାର୍ତ୍ତା ନିମନ୍ତେ ଏକ ରଥ ପରିଭ୍ରମଣ କରାଇ ଲୋକଙ୍କ ମନରେ ଆଗ୍ରହର ବାର୍ତ୍ତା ଦିଆଯାଇଥିଲା । ପରୀକ୍ଷାରେ ବ୍ଲକର ବିଭିନ୍ନ ପଞ୍ଚାୟତରୁ ତଥା ଗ୍ରାମମାନଙ୍କରୁ ଚି଼ହ୍ନଟ କରି ଟ୍ୟାଗ୍ କରିଥିବା ବୟସ୍କ ଶିକ୍ଷାର୍ଥୀମାନେ ଉତ୍ସାହର ସହ ଅଂଶଗ୍ରହଣ କରିଥିଲେ । ସମସ୍ତ ପରୀକ୍ଷା କେନ୍ଦ୍ରରେ ପ୍ରଶ୍ନପତ୍ର ବଣ୍ଟନ, ପରୀକ୍ଷା ପରିଚାଳନା, ଉପସ୍ଥିତି ଯାଞ୍ଚ ଓ ମୂଲ୍ୟାଙ୍କନ ସମ୍ବନ୍ଧୀୟ ପ୍ରକ୍ରିୟା ନିର୍ଦ୍ଧାରିତ ନିୟମାବଳୀ ଅନୁଯାୟୀ ସମ୍ପନ୍ନ ହୋଇଥିଲା । ଏହି ପରୀକ୍ଷାର ସଫଳ ଆୟୋଜନରେ ବ୍ଲକ ଶିକ୍ଷା ବିଭାଗର ଅଧିକାରୀଙ୍କ ମଧ୍ୟରେ ଏବିଇଓ ତଥା ବିଆର୍ସିସି କୋଦଣ୍ଡଧର ଭୋଇ, ଏବିଇଓ କାନ୍ତାରାମ ଧରୁଆ, ସମସ୍ତ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ, ପ୍ରଧାନ ଶିକ୍ଷକ, ଶିକ୍ଷକ-ଶିକ୍ଷୟିତ୍ରୀ, ସ୍ୱେଚ୍ଛାସେବୀ ଓ ଉଲ୍ଲାସ କର୍ମୀମାନଙ୍କ ସକ୍ରିୟ ସହଯୋଗ ଉଲ୍ଲେଖନୀୟ ରହିଥିଲା । ପରୀକ୍ଷା କେନ୍ଦ୍ରଗୁଡ଼ିକରେ ଶୃଙ୍ଖଳା, ସମୟାନୁବର୍ତ୍ତିତା ଓ ସୁଚାରୁ ପରିଚାଳନା ପାଇଁ ବ୍ୟାପକ ପ୍ରସ୍ତୁତି କରାଯାଇଥିଲା ।