jayashree

ଟିକ୍ରାପଡା ଦୁର୍ଗାପୂଜା କମିଟିର ନୂଆଁଖାଇ ଭେଟଘାଟ : ଭାଇଚାରା ଓ ଏକତାର ବାର୍ତ୍ତା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ନୂଆଁଖାଇ ଅବସରରେ ଟିକ୍ରାପଡା ଦୁର୍ଗାପୂଜା କମିଟି, ପି.ପି. ଏକାଡେମୀ ଛକ ପକ୍ଷରୁ ନୂଆଁଖାଇ ଭେଟଘାଟ ଆୟୋଜିତ ହୋଇଯାଇଛି । ସ୍ଥାନୀୟ ଦୁର୍ଗାପୂଜା ମଣ୍ଡପ ପରିସରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ କମିଟିର ପ୍ରାୟ ଶତାଧିକ ସଦସ୍ୟ ଯୋଗଦେଇଥିଲେ । ବରିଷ୍ଠ ସଦସ୍ୟ ଶତୃଘ୍ନ ସିଂଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ସମସ୍ତଙ୍କୁ ନୂଆଁଖାଇର ଶୁଭେଚ୍ଛା ଜଣାଯାଇଥିଲା । ଦୀର୍ଘ ୭୮ ବର୍ଷ ଧରି ଆୟୋଜିତ ହୋଇଆସୁଥିବା ଦୁର୍ଗାପୂଜାର ଐତିହ୍ୟ, ପରମ୍ପରା ଓ ସାଂସ୍କୃତିକ ମହତ୍ତ୍ୱ ସମ୍ପର୍କରେ ଆଲୋଚନା ସହ ପୂଜାକୁ ଆହୁରି ଶୃଙ୍ଖଳିତ ଓ ଆକର୍ଷଣୀୟ ଭାବେ ପାଳନ କରିବା ନେଇ ମତ ପ୍ରକାଶ ପାଇଥିଲା । ବରିଷ୍ଠ ସଦସ୍ୟ ସୁଦାମ ସେଠ ପୂଜା ଆୟୋଜନରେ ରାଜନୀତିରୁ ଊର୍ଦ୍ଧ୍ୱରେ ରହି ସମସ୍ତଙ୍କ ସହଯୋଗରେ କାର୍ଯ୍ୟ କରିବାକୁ ଆହ୍ୱାନ ଦେଇଥିଲେ । ସେହିପରି ବିଶିଷ୍ଟ ଆରଟିଆଇ କର୍ମୀ ତଥା ପୁରୁଣା ସଦସ୍ୟ ହେମନ୍ତ କୁମାର ପଣ୍ଡା ପରସ୍ପର ମଧ୍ୟରେ ଉଚ୍ଚନୀଚ ଭାବନା ଦୂର କରି ଅଞ୍ଚଳବାସୀଙ୍କୁ ଏକଜୁଟ କରି ପୂଜା ପାଳନ କରିବା ଉପରେ ଗୁରୁତ୍ୱ ଦେଇଥିଲେ । ଯୁବ ସଂଗଠକ ବିଧୂଭୂଷଣ ତ୍ରିପାଠୀ ଅଞ୍ଚଳବାସୀଙ୍କ ସୁଖଦୁଃଖରେ ସମସ୍ତେ ସାମିଲ ହୋଇ ଭାଇଚାରାକୁ ମଜବୁତ କରିବାକୁ ଆହ୍ୱାନ ଦେଇଥିଲେ । ସଭାକୁ ବରିଷ୍ଠ ସଦସ୍ୟ ବିରେନ୍ଦ୍ର କୁମାର ବନଛୋର ସଂଯୋଜନା କରିଥିବା ବେଳେ ପୂଜା କମିଟି ସଭାପତି ପ୍ରଦୋଶ ବିଶି, ସମ୍ପାଦକ ବିଟୁନ ସ୍ୱାଇଁ ଓ କୋଷାଧ୍ୟକ୍ଷ କାଳୀରଞ୍ଜନ ମିଶ୍ର ମଞ୍ଚାସୀନ ଥିଲେ । ଶେଷରେ ପୂର୍ବତନ ସମ୍ପାଦକ ଜ୍ଞାନରଞ୍ଜନ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମରେ କମିଟିର ବହୁ ବରିଷ୍ଠ ସଦସ୍ୟଙ୍କ ସମେତ ଶତାଧିକ ସଦସ୍ୟ ଯୋଗଦେଇ ନୂଆଁଖାଇର ଶୁଭେଚ୍ଛା ବିନିମୟ କରିଥିଲେ ।

Leave A Reply

Your email address will not be published.