jayashree

ଲୋଇସିଂହା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ମାଗଣା ଡାୟାଲିସିସ ସେବାର ଶୁଭାରମ୍ଭ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ବଲାଙ୍ଗିର ଜିଲ୍ଲା ଲୋଇସିଂହା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଠାରେ ରବିବାର ଠାରୁ ମାଗଣା ଡାୟାଲିସିସ ସେବାର ଶୁଭାରମ୍ଭ ହୋଇଛି । ସ୍ଥାନୀୟ ବିଧାୟକ ତଥା ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ଆନୁଷ୍ଠାନିକ ଭାବେ ଫିତା କାଟି ଏହି ସେବାର ଶୁଭ ଉଦ୍‌ଘାଟନ କରିଛନ୍ତି । ପ୍ରାରମ୍ଭିକ ପର୍ଯ୍ୟାୟରେ ଦୁଇଟି ବେଡ ବିଶିଷ୍ଟ ମାଗଣା ଡାୟାଲିସିସ ସେବା ଆରମ୍ଭ ହୋଇଛି । ଏହାଦ୍ୱାରା ବଲାଙ୍ଗିର ସମେତ ବରଗଡ଼ ଓ ସୁବର୍ଣ୍ଣପୁର ଜିଲ୍ଲାର କିଡନୀ ରୋଗୀ ଉପକୃତ ହୋଇପାରିବା ସହିତ ଖୁବ୍‌ଶୀଘ୍ର ଲୋଇସିଂହା ଠାରେ ବ୍ଲଡ଼ ଷ୍ଟୋରେଜ ୟୁନିଟ୍‌ କାର୍ଯ୍ୟକାରୀ ହେବାକୁ ଯାଉଛି ବୋଲି ଡକ୍ଟର ମହାଲିଙ୍ଗ ସୂଚନା ଦେଇଥିଲେ । ଏଥିସହିତ ନବଗଠିତ ଲୋଇସିଂହା ଏନ୍‌ଏସିରେ ଆଜିଠାରୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ସହରୀ ୨.୦ ଆରମ୍ଭ ହୋଇଥିବା ବେଳେ ପୋର୍ଟାଲ ମାଧ୍ୟମରେ ଆବେଦନ କରିଥିବା ସମସ୍ତ ଯୋଗ୍ୟ ହିତାଧିକାରୀଙ୍କୁ ଏଥିରେ ସାମିଲ କରାଯାଇ ପ୍ରତି ହିତାଧିକାରୀଙ୍କୁ ଘର ତିଆରି ସକାଶେ ୩ ଲକ୍ଷ ଟଙ୍କା ପ୍ରଦାନ କରାଯିବା ପାଇଁ ସରକାରୀ ବ୍ୟବସ୍ଥା ରହିଥିବା ସେ ସୂଚନା ଦେଇଥିଲେ । ଏହି ଅବସରରେ ଆୟୋଜିତ ଲୋକାର୍ପଣ କାର୍ଯ୍ୟକ୍ରମରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡ. ପୁଷ୍ପାଞ୍ଜଳି ମିଶ୍ର, ବ୍ଲକ ଅଧ୍ୟକ୍ଷ ଜତୀନ୍ଦ୍ର ପଟେଲ, ଏନ୍‌ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ତଥା ବିଡ଼ିଓ ଅକ୍ଷୟ ପାଣି ଉଦୁ, ପୂର୍ବତନ ସରପଞ୍ଚ ନବକିଶୋର ନାଏକ, ସହଯୋଗୀ ସଂସ୍ଥା ସଂଜୀବନୀର ପ୍ରନେଶ ସରକାର, ଅନୁପମ ସିହ୍ନା ତଥା ଏଚ୍‌ଡିଏଫ୍‌ସି ବ୍ୟାଙ୍କର ପ୍ରତିନିଧି ଉପସ୍ଥିତ ଥିଲେ । ଲୋଇସିଂହା ସ୍ୱାସ୍ଥ୍ୟକେନ୍ଦ୍ର ଅଧିକ୍ଷକ ଡକ୍ଟର ଶେଖରଲାଲ ପଧାନ ପ୍ରାରମ୍ଭିକ ସୂଚନା ସମେତ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ନିର୍ବାହୀ ଅଧିକାରୀ ଶ୍ରୀ ଉଦୁ ଧନ୍ୟବାଦ୍ ଅର୍ପଣ କରିଥିଲେ ।

Leave A Reply

Your email address will not be published.