
ନୟାଗଡ଼, (କେପିଏନ୍ଏସ୍) : ନୟାଗଡ଼ ଜିଲ୍ଲାରେ କାର୍ଯ୍ୟରତ ବିଭିନ୍ନ ବ୍ୟାଙ୍କର ଜିଲ୍ଲାସ୍ତରୀୟ ବୈଠକ ଶନିବାର ଦିନ ଜିଲ୍ଲା ସମ୍ମିଳନୀ କକ୍ଷ, ନୟାଗଡ଼ଠାରେ ଅନୁଷ୍ଠିତ ହୋଇଯାଇଛି । ଅଗ୍ରଣୀ ବ୍ୟାଙ୍କ କାର୍ଯ୍ୟାଳୟ, ନୟାଗଡ଼ ପକ୍ଷରୁ ଆୟୋଜିତ ଏହି ବୈଠକରେ ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ୍ ଶ୍ରୀମତୀ ମଧୁମିତା ରଥ ଅଧ୍ୟକ୍ଷତା କରିଥିଲେ । ବୈଠକରେ ମୁଖ୍ୟ ଉନ୍ନୟନ ଅଧିକାରୀ ଲଗ୍ନଜିତ୍ ରାଉତ ଏବଂ ଭାରତୀୟ ରିଜର୍ଭ ବ୍ୟାଙ୍କର ଅଗ୍ରଣୀ ଜିଲ୍ଲା ଅଧିକାରୀ (ଏଲ୍ଡିଓ) ନବଘନ ରାଉତ ବିଶେଷ ଅତିଥି ଭାବେ ଯୋଗଦେଇଥିଲେ । ଅଗ୍ରଣୀ ଜିଲ୍ଲା ପ୍ରବନ୍ଧକ (ଏଲ୍ଡିଏମ୍) ମୀନକେତନ ବାରଲେବଡ଼ିଆଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ବୈଠକରେ ଜିଲ୍ଲାରେ ବ୍ୟାଙ୍କଗୁଡ଼ିକର ଋଣ ପ୍ରଦାନ ଓ ଋଣ ଆଦାୟ ସ୍ଥିତିର ସମୀକ୍ଷା କରାଯାଇଥିଲା । ଜିଲ୍ଲାର ଆର୍ଥିକ ବିକାଶକୁ ତ୍ୱରାନ୍ୱିତ କରିବା ସହ ଅଧିକରୁ ଅଧିକ ଲୋକଙ୍କୁ ବ୍ୟାଙ୍କ ଋଣ ସୁବିଧା ଯୋଗାଇଦେବା ଉପରେ ଆଲୋଚନା ହୋଇଥିଲା । ଚାଷୀ, କ୍ଷୁଦ୍ର ବ୍ୟବସାୟୀ, ଦୁର୍ବଳ ଆର୍ଥିକ ଶ୍ରେଣୀ ଏବଂ ସ୍ଥାନୀୟ କାରିଗରମାନଙ୍କୁ ଅଗ୍ରାଧିକାର ଭିତ୍ତିରେ ଋଣ ପ୍ରଦାନ କରିବାକୁ ଜିଲ୍ଲାପାଳ ବ୍ୟାଙ୍କଗୁଡ଼ିକୁ ଗୁରୁତ୍ୱାରୋପ କରିଥିଲେ । ଏଥିସହ ସ୍ୱୟଂ ସହାୟକ ଗୋଷ୍ଠୀଗୁଡ଼ିକୁ ଋଣ ସହାୟତା ପ୍ରଦାନ ସହ ଯୋଗ୍ୟ ମହିଳାମାନଙ୍କୁ ବ୍ୟକ୍ତିଗତ ଋଣ ଯୋଗାଇ ଅଧିକ ସଂଖ୍ୟାରେ ‘ଲକ୍ଷପତି ଦିଦି’ ସୃଷ୍ଟି କରିବା ଦିଗରେ ବ୍ୟାଙ୍କଗୁଡ଼ିକ ସକ୍ରିୟ ଭୂମିକା ଗ୍ରହଣ କରିବାକୁ ବୈଠକରେ ଗୁରୁତ୍ୱ ଦିଆଯାଇଥିଲା । ବୈଠକରେ ଜିଲ୍ଲାର ବିଭିନ୍ନ ବିଭାଗର ଅଧିକାରୀ ଏବଂ ବ୍ୟାଙ୍କଗୁଡ଼ିକର ପ୍ରତିନିଧିମାନେ ଉପସ୍ଥିତ ରହି ଆଲୋଚନାରେ ଭାଗ ନେଇଥିଲେ ।