
ବାଲିଗୁଡ଼ା, (ସଞ୍ଜୟ କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ଆଦିବାସୀ ମହାବିଦ୍ୟାଳୟ ପରିସରରେ ଶନିବାର “ଶକ୍ତିଶ୍ରୀ ସଚେତନତା କାର୍ଯ୍ୟକ୍ରମ” ଅଧ୍ୟକ୍ଷ ଡକ୍ଟର ବିଭୂତି ଭୂଷଣ ଆଚାର୍ଯ୍ୟଙ୍କ ଅଧ୍ୟକ୍ଷତାରେ ଆୟୋଜିତ ହୋଇଯାଇଛି । କାର୍ଯ୍ୟକ୍ରମରେ “ବ୍ୟକ୍ତିତ୍ୱ ବିକାଶ” ବିଷୟକୁ ନେଇ ଛାତ୍ରୀମାନଙ୍କୁ ସଚେତନ କରାଯିବା ସହ ଜୀବନରେ ସଫଳତା ହାସଲ ପାଇଁ ଆବଶ୍ୟକ ବିଭିନ୍ନ ଗୁଣ ସମ୍ପର୍କରେ ଆଲୋଚନା କରାଯାଇଥିଲା । ଏହି ଅବସରରେ ବିଷୟ ବିଶାରଦ ଭାବେ ଉଦ୍ୟାନ କୃଷି ଅଧିକାରୀ ନିରଞ୍ଜନ ଦ୍ୱିବେଦୀ ଏବଂ ମହାବିଦ୍ୟାଳୟ ବାଣିଜ୍ୟ ବିଭାଗର ବରିଷ୍ଠ ଅଧ୍ୟାପକ ସରୋଜ କୁମାର ପାଠୀ ଯୋଗ ଦେଇ ବ୍ୟକ୍ତିତ୍ୱ ବିକାଶର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ । ଏଥିସହ ଓଡ଼ିଆ ବିଭାଗର ଅଧ୍ୟାପିକା ସ୍ନେହଲତା ମାଝୀ ଏବଂ ରାଜନୀତି ବିଜ୍ଞାନ ବିଭାଗର ଅଧ୍ୟାପିକା ସୁଶ୍ରୀ ବର୍ଷାରାଣୀ ସୁନ୍ଦରା ମଧ୍ୟ ନିଜର ମୂଲ୍ୟବାନ ଅଭିଭାଷଣ ରଖିଥିଲେ । ଆଲୋଚକ ମାନେ କହିଥିଲେ ଯେ, କେବଳ ଶିକ୍ଷାଗତ ଯୋଗ୍ୟତା ନୁହେଁ, ବ୍ୟକ୍ତିତ୍ୱର ସାମଗ୍ରିକ ବିକାଶ ପାଇଁ ଧୈର୍ଯ୍ୟ, ବହୁପାଠୀ ହେବା, ସମୟାନୁବର୍ତ୍ତିତା, ଉତ୍ତମ ଚରିତ୍ର ଓ ଭଲ ଶ୍ରୋତା ହେବାର ଗୁଣ ଅତ୍ୟନ୍ତ ଆବଶ୍ୟକ । ଏହି ଗୁଣଗୁଡ଼ିକୁ ନିରନ୍ତର ଅଭ୍ୟାସ ଓ ପ୍ରୟାସ ମାଧ୍ୟମରେ ନିଜ ଜୀବନରେ ଅନୁସରଣ କଲେ ବ୍ୟକ୍ତିତ୍ୱର ବିକାଶ ସହ ଆତ୍ମବିଶ୍ୱାସ ମଧ୍ୟ ବୃଦ୍ଧି ପାଇଥାଏ ବୋଲି ମତ ପ୍ରକାଶ ପାଇଥିଲା । ଛାତ୍ରୀ ମାନଙ୍କ ମଧ୍ୟରେ ଆତ୍ମବିଶ୍ୱାସ, ସକାରାତ୍ମକ ଚିନ୍ତାଧାରା ଓ ନେତୃତ୍ୱ ଗୁଣ ବିକଶିତ କରିବାରେ ଏଭଳି ସଚେତନତା କାର୍ଯ୍ୟକ୍ରମ ପ୍ରେରଣାର ଉତ୍ସ ହେବ ବୋଲି ମତ ପ୍ରକାଶ ପାଇଥିଲା । କାର୍ଯ୍ୟକ୍ରମରେ ବହୁ ସଂଖ୍ୟକ ଛାତ୍ରୀ ଅଂଶଗ୍ରହଣ କରି ଆଲୋଚନାରୁ ଉପକୃତ ହୋଇଥିଲେ । ଶେଷରେ କାର୍ଯ୍ୟକ୍ରମର ଆୟୋଜିକା ଅଧ୍ୟାପିକା ଶ୍ରୀମତୀ ସୁଲୋଚନା କହଁର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

