
ବଲାଙ୍ଗିର, (କେପିଏନ୍ଏସ୍) : ଯେଉଁ ହାତରେ ସ୍ତ୍ରୀ ମଥାରେ ସାତ ଜନ୍ମର ସାଥୀ ହେବା ପାଇଁ ସିନ୍ଦୂର ଦେଇଥିଲା ସ୍ୱାମୀ । ସେହି ହାତରେ ଆଜି ସ୍ତ୍ରୀଙ୍କୁ ଟାଙ୍ଗିଆ ଚୋଟ ମାରି ହତ୍ୟା କରିଛି ନିଷ୍ଠୁର ସ୍ୱାମୀ । ଏଭଳି ଘଟଣା ବଲାଙ୍ଗିର ଜିଲ୍ଲା ସଦର ଥାନା ଅନ୍ତର୍ଗତ କର୍ଲାପିଟା ଗାଁରେ ଘଟିଛି । ସ୍ୱାମୀର ଟାଙ୍ଗିଆ ଚୋଟରେ ଜୀବନ ହାରିଥିବା ସ୍ତ୍ରୀ ହେଉଛନ୍ତି ରିଙ୍କି ସେଠ୍ । ମଦ ନିଶାରେ ସ୍ୱାମୀ ଦିବାକର ସେଠ୍ ସ୍ତ୍ରୀଙ୍କୁ ହତ୍ୟା କରିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ମୃତ ରିଙ୍କି ୪ ମାସର ଗର୍ଭବତୀ ଥିବା ମଧ୍ୟ ହତ୍ୟାକାରୀ ଦିବାକରଙ୍କ ବଡ଼ ଭାଇ ଅଭିଯୋଗ କରିଛନ୍ତି । ବେଳେ ବେଳେ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ କଳହ ଲାଗି ରହିଥିବା ବେଳେ ଆଜି ଚରମ ସୀମାରେ ପହଞ୍ଚିଥିଲା, ସ୍ୱାମୀ ଦିବାକର ମଦ ନିଶାରେ ସ୍ତ୍ରୀ ରିଙ୍କିଙ୍କୁ ଟାଙ୍ଗିଆ ଚୋଟ ମାରିଥିଲା, ଯାହା ଫଳରେ ରିଙ୍କି ଗୁରୁତର ହୋଇଥିବା ବେଳେ ଆଜି ତାଙ୍କୁ ପରିବାର ଲୋକେ ଗୁରୁତର ଅବସ୍ଥାରେ ଉଦ୍ଧାର କରି ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ଓ ହସପିଟାଲରେ ଭର୍ତ୍ତି କରିଥିଲେ । ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏପଟେ ମଦୁଆ ସ୍ୱାମୀ ସ୍ତ୍ରୀ ରିଙ୍କିଙ୍କୁ ଟାଙ୍ଗିଆ ଚୋଟ ମାରି ଫେରାର ଥିବା ଜଣାପଡ଼ିଛି । ଘଟଣାର ତଦନ୍ତ କରିବା ପାଇଁ ବଲାଙ୍ଗିର ସଦର ପୋଲିସ ଘଟଣାର ମୂଳକୁ ପହଞ୍ଚିବା ପାଇଁ ତଦନ୍ତ ଆରମ୍ଭ କରିଛି । ଏହି ଘଟଣା ବଲାଙ୍ଗିର ଜିଲ୍ଲାର ଚାଞ୍ଚଲ୍ୟ ସୃଷ୍ଟି କରିଛି ।

