
ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସୋନପୁର ବିଧାୟକ ନିରଞ୍ଜନ ପୂଜାରୀଙ୍କୁ ଅଣ୍ଡା ମାଡ଼ ଘଟଣା ସାମ୍ନାକୁ ଆସିଛି । ନିଜ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ତାଙ୍କ ଗଡ କୁହାଯାଉଥିବା ତରଭା ସହରରେ ଏହି ଘଟଣା ଘଟିଥିବା ସୂଚନା ମିଳିଛି । ତେବେ ଆସ୍ତେ ଆସ୍ତେ ବିଜେଡିର ହେଭୀ ୱେଟ୍ ନେତା ଶ୍ରୀ ପୂଜାରୀ ଜନ ଆକ୍ରୋଶର ଶିକାର ହେବାର ଚର୍ଚ୍ଚା ହେଉଛି । ତେବେ କିଏ ଅଣ୍ଡା ମାଡ଼ କରିଛି ତାହା ସ୍ପଷ୍ଟ ହୋଇନାହିଁ । ଆଜି ସେ ନିଜ ନିର୍ବାଚନ ମଣ୍ଡଳୀ ତରଭା ଗସ୍ତରେ ଥିବାବେଳେ ଏହି ଘଟଣାର ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି । ସୂଚନା ଅନୁଯାୟୀ ସୋନପୁର ବିଧାୟକ ଶ୍ରୀ ପୂଜାରୀ ତରଭା ବ୍ଲକର ରାଣୀସର୍ଡା, ଅର୍ଡ଼ା ଓ ଦେଉଲପଦର୍ ଆଦି ଗ୍ରାମର ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇ କମସରା ଗ୍ରାମକୁ ଯାଇ ଫେରିବା ବାଟରେ ତରଭା ସହର ବ୍ରିଜ୍ ଛକ ନିକଟରେ କିଛି ଯୁବକ ଅଣ୍ଡା ମାଡ଼ କରିଥିବା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହାକୁ ନେଇ ରାଜନୈତିକ ମହଲରେ ନାନା ପ୍ରକାର କଳ୍ପନା ଜଳ୍ପନା ସୃଷ୍ଟି ହୋଇଛି । ତେବେ ଏନେଇ ତରଭା ଥାନାରେ କୌଣସି ଅଭିଯୋଗ ହୋଇ ନ ଥିବା ଥାନା ଅଧିକାରୀ ଡୋଳାମଣି ନାଏକ ସୂଚନା ଦେଇଛନ୍ତି ।

