pr

ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କଲେ ଓଡ଼ିଶା ଗଣମାଧ୍ୟମ ପ୍ରତିନିଧି ଦଳ

dr. purohit
  • “ଛତିଶଗଡ଼ର ପ୍ରାକୃତିକ ସମ୍ପଦ ଜୀବିକା ଓ ଆର୍ଥିକ ସଶକ୍ତୀକରଣରେ ସହାୟକ”: ମୁଖ୍ୟମନ୍ତ୍ରୀ ଶ୍ରୀ ବିଷ୍ଣୁ ଦେଓ ସାଏ

ଭୁବନେଶ୍ୱର, (ପିଆଇବି) : ପତ୍ର ସୂଚନା କାର୍ଯ୍ୟାଳୟ (ପିଆଇବି), ଭୁବନେଶ୍ୱର ଦ୍ୱାରା ଆୟୋଜିତ ଛତିଶଗଡ଼ ଅଭିମୁଖେ ଆନ୍ତଃ-ରାଜ୍ୟ ଗଣମାଧ୍ୟମ ଅଧ୍ୟୟନ ଗସ୍ତର ଅଂଶବିଶେଷ ଭାବରେ, ଓଡ଼ିଶାର ଏକ ଗଣମାଧ୍ୟମ ପ୍ରତିନିଧି ଦଳ ଆଜି ରାୟପୁରଠାରେ ଛତିଶଗଡ଼ର ମୁଖ୍ୟମନ୍ତ୍ରୀ ଶ୍ରୀ ବିଷ୍ଣୁ ଦେଓ ସାଏଙ୍କ ସହ ଆଲୋଚନା କରିଛନ୍ତି। ଏହି ଆଲୋଚନା ସାମ୍ବାଦିକମାନଙ୍କୁ ଛତିଶଗଡ଼ର ବିକାଶ ଯାତ୍ରା, ପ୍ରାକୃତିକ ସମ୍ପଦର ସମ୍ଭାବନା, ଜଙ୍ଗଲ-ଭିତ୍ତିକ ଜୀବିକା ଏବଂ ସ୍ଥାନୀୟ ସମ୍ପ୍ରଦାୟର ଅର୍ଥନୈତିକ ସଶକ୍ତୀକରଣ ପାଇଁ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ପ୍ରତ୍ୟକ୍ଷ ଧାରଣା ଲାଭ କରିବାର ସୁଯୋଗ ପ୍ରଦାନ କରିଥିଲା।
ଓଡ଼ିଶାର ଗଣମାଧ୍ୟମ ପ୍ରତିନିଧି ଦଳକୁ ଛତିଶଗଡ଼ରେ ସ୍ୱାଗତ ଜଣାଇ ଶ୍ରୀ ସାଏ କହିଥିଲେ ଯେ ଓଡ଼ିଶାର ସାମ୍ବାଦିକମାନେ ଛତିଶଗଡ଼ ଗସ୍ତ କରିବା ରାଜ୍ୟ ପାଇଁ ଏକ ସୌଭାଗ୍ୟର ବିଷୟ। ସେ ଏହି ପ୍ରତିନିଧି ଦଳକୁ ସ୍ୱାଗତ ଜଣାଇବା ସହ ବିକାଶମୂଳକ ପଦକ୍ଷେପ ଏବଂ ସରକାରୀ କାର୍ଯ୍ୟକ୍ରମଗୁଡ଼ିକୁ ଲୋକଙ୍କ ନିକଟରେ ପହଞ୍ଚାଇବାରେ ଗଣମାଧ୍ୟମର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ।
ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଜନସେବାର ୨୫ ବର୍ଷ ପୂର୍ତ୍ତି ଉପଲକ୍ଷେ ସେପ୍ଟେମ୍ବର ୧୭ ରୁ ଅକ୍ଟୋବର ୧୭ ପର୍ଯ୍ୟନ୍ତ ପାଳନ କରାଯାଉଥିବା ‘ସେବା ସଂକଳ୍ପ ଅଭିଯାନ’ ବିଷୟରେ ମଧ୍ୟ ମୁଖ୍ୟମନ୍ତ୍ରୀ ଆଲୋଚନା କରିଥିଲେ। ସେ କହିଥିଲେ ଯେ ଏହି ମାସବ୍ୟାପୀ ଅଭିଯାନ ଅଧୀନରେ ୧୩ଟି ଭିନ୍ନ ଭିନ୍ନ କାର୍ଯ୍ୟକ୍ରମର ଯୋଜନା କରାଯାଇଛି ଯେଉଁଥିରେ ମହିଳା, କୃଷକ, ଶ୍ରମିକ, ବ୍ୟବସାୟୀ, ଡାକ୍ତର ଏବଂ ଇଞ୍ଜିନିୟରଙ୍କ ସମେତ ସମାଜର ବିଭିନ୍ନ ବର୍ଗର ଲୋକମାନେ ଅଂଶଗ୍ରହଣ କରିବେ।
ଶ୍ରୀ ସାଏ ଲୌହ, କୋଇଲା, ବକ୍ସାଇଟ୍, ହୀରା, ସୁନା ଏବଂ ଲିଥିୟମ୍ ସମେତ ଶିଳ୍ପ, ବାଣିଜ୍ୟ ଓ ପ୍ରାକୃତିକ ସମ୍ପଦ କ୍ଷେତ୍ରରେ ଛତିଶଗଡ଼ର ଥିବା ପ୍ରଚୁର ସମ୍ଭାବନା ଉପରେ ଆଲୋକପାତ କରିଥିଲେ। ସ୍ଥାନୀୟ ଲୋକଙ୍କ ଜୀବିକା ନିର୍ବାହରେ ରାଜ୍ୟର ସମୃଦ୍ଧ ଜଙ୍ଗଲ ସମ୍ପଦର ଭୂମିକା ଉପରେ ମଧ୍ୟ ସେ ଗୁରୁତ୍ୱାରୋପ କରିଥିଲେ। ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଛତିଶଗଡ଼ର ପ୍ରାୟ ୪୪ ପ୍ରତିଶତ ଭୂଭାଗ ଜଙ୍ଗଲ ଦ୍ୱାରା ଆଚ୍ଛାଦିତ ହୋଇ ରହିଛି ଏବଂ ସେ ‘ଏକ ପେଡ୍ ମା କେ ନାମ୍’ ଭଳି ବୃକ୍ଷରୋପଣ କାର୍ଯ୍ୟକ୍ରମ ତଥା କାମ୍ପା ପାଣ୍ଠି ମାଧ୍ୟମରେ ସମର୍ଥିତ ପ୍ରୟାସଗୁଡ଼ିକ ବିଷୟରେ ଉଲ୍ଲେଖ କରିଥିଲେ।
ଗ୍ରାମୀଣ ଓ ଆଦିବାସୀ ଅର୍ଥନୀତିରେ ଜଙ୍ଗଲଜାତ ଦ୍ରବ୍ୟର ଅବଦାନ ଉପରେ ଗୁରୁତ୍ୱାରୋପ କରି ଶ୍ରୀ ସାଇ କହିଲେ ଯେ ପ୍ରାୟ ୧୩ ଲକ୍ଷ ପରିବାର କେନ୍ଦୁ ପତ୍ର ସଂଗ୍ରହ କାର୍ଯ୍ୟ ସହ ଜଡ଼ିତ ଅଛନ୍ତି। ସେ କହିଲେ ଯେ ସରକାର ସଂଗ୍ରହକାରୀମାନଙ୍କୁ ପ୍ରତି ‘ଷ୍ଟାଣ୍ଡାର୍ଡ ବ୍ୟାଗ୍’ ପିଛା ୫,୫୦୦ ଟଙ୍କା ପ୍ରଦାନ କରିବା ସହ ଏହି କାର୍ଯ୍ୟରେ ନିୟୋଜିତ ବ୍ୟକ୍ତିଙ୍କୁ ଜୋତା ମଧ୍ୟ ଯୋଗାଇ ଦେଉଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ କେନ୍ଦୁ ପତ୍ର ବିକ୍ରିରୁ ମିଳୁଥିବା ଲାଭ ବୋନସ୍ କିମ୍ବା ଲାଭାଂଶ (ଡିଭିଡେଣ୍ଡ) ହିତାଧିକାରୀମାନଙ୍କ ସହ ବଣ୍ଟନ କରାଯାଇଥାଏ।
ମୂଲ୍ୟଯୁକ୍ତ ଉତ୍ପାଦନ (ଭାଲ୍ୟୁ ଆଡିସନ୍)ର ଗୁରୁତ୍ୱ ଉପରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ ମହୁଲ, ତେନ୍ତୁଳି ଏବଂ ଆତ ସମ୍ବନ୍ଧୀୟ ବିଭିନ୍ନ ପଦକ୍ଷେପ ବିଷୟରେ ଉଲ୍ଲେଖ କଲେ। ସେ କହିଥିଲେ ଯେ ଜଙ୍ଗଲଜାତ ଦ୍ରବ୍ୟର ପ୍ରକ୍ରିୟାକରଣ, ପ୍ୟାକେଜିଂ ଏବଂ ବିପଣନ ଦ୍ୱାରା ନିଯୁକ୍ତି ସୁଯୋଗ ସୃଷ୍ଟି ହେଉଛି ଏବଂ ଏହା ସ୍ଥାନୀୟ ସମ୍ପ୍ରଦାୟର ଅର୍ଥନୈତିକ ସଶକ୍ତୀକରଣରେ ସହାୟକ ହେଉଛି।
ଓଡ଼ିଶାର ଗଣମାଧ୍ୟମ ପ୍ରତିନିଧି ଦଳ ଚାଲିଥିବା ଏହି ‘ଏକ୍ସପୋଜର୍ ଟୁର୍’ ରୁ ପାଇଥିବା ଅନୁଭୂତି ମଧ୍ୟ ବାଣ୍ଟିଥିଲେ। ଏହି ଗସ୍ତ ମାଧ୍ୟମରେ ସେମାନେ ସିରପୁର, ଏସଇସିଏଲ୍ର ଗେଭ୍ରା ଖଣି, ଏନଟିପିସି କୋର୍ବା ଏବଂ ବାଲକୋ ପରିଦର୍ଶନ କରି ଛତିଶଗଡ଼ର ପ୍ରତ୍ନତାତ୍ତ୍ୱିକ ଐତିହ୍ୟ, ଖଣି ଉତ୍ତୋଳନ, ଶକ୍ତି, ଶିଳ୍ପ ଏବଂ ସାମୁଦାୟିକ ବିକାଶ କାର୍ଯ୍ୟକ୍ରମ ସମ୍ପର୍କରେ ପ୍ରତ୍ୟକ୍ଷ ଜ୍ଞାନ ଲାଭ କରିଥିଲେ।
ଏହି ଆଲୋଚନା ଓ ପରିଦର୍ଶନ ସାମ୍ବାଦିକମାନଙ୍କୁ ସେମାନଙ୍କର କ୍ଷେତ୍ରସ୍ତରୀୟ ଅନୁଭୂତିକୁ ଛତିଶଗଡ଼ର ବ୍ୟାପକ ବିକାଶ ଦୃଷ୍ଟିକୋଣ ସହିତ ଯୋଡ଼ିବାରେ ସହାୟକ ହୋଇଥିଲା। ଏହା ସହିତ, ଜୀବିକା ନିର୍ବାହ ଓ ଅର୍ଥନୈତିକ ବିକାଶ ପାଇଁ ରାଜ୍ୟର ପ୍ରାକୃତିକ ସମ୍ପଦର ଉପଯୋଗ କରିବା ଦିଗରେ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ସେମାନେ ଗଭୀର ଧାରଣା ଲାଭ କରିଥିଲେ।
ସମ୍ବଲପୁରସ୍ଥିତ କେନ୍ଦ୍ରୀୟ. ସଞ୍ଚାର ବ୍ୟୁରୋ (ସିବିସି)ର ସହକାରୀ ନିର୍ଦ୍ଦେଶକ ଶ୍ରୀ ମନମୋହନ ପାଢ଼ୀ ଏବଂ ଭୁବନେଶ୍ୱରସ୍ଥିତ ପତ୍ର ସୂଚନା କାର୍ଯ୍ୟାଳୟ (ପିଆଇବି)ର ସୂଚନା ସହାୟକ ଶ୍ରୀ ବିକାଶ ରଞ୍ଜନ ଦଳାଇ ଏହି ଗସ୍ତର ପରିଚାଳନା କରିଥିଲେ। ସେମାନେ ସମ୍ପୂର୍ଣ୍ଣ ଗସ୍ତ ସମୟରେ ଗଣମାଧ୍ୟମ ପ୍ରତିନିଧି ଦଳ ସହିତ ରହି ସେମାନଙ୍କୁ ସହଯୋଗ ଓ ସୁବିଧା ପ୍ରଦାନ କରିଥିଲେ ।

nrusinghnath
Leave A Reply

Your email address will not be published.