
ଟିଟିଲାଗଡ଼, (ସନ୍ତୋଷ କୁମାର ନାୟକ) : ଟିଟିଲାଗଡ଼ରେ ଏବେ ମାଙ୍କଡ଼ ଆତଙ୍କ । ହାତୀପଲ ପରେ ସହରମୁହାଁ ହୋଇଛନ୍ତି ପ୍ରାୟ ୩୦ଟି ମାଙ୍କଡ଼ । ଗତ ୩ ଦିନ ହେଲା ସହରର ବିଭିନ୍ନ ଅଞ୍ଚଳରେ ମାଙ୍କଡ଼ଙ୍କ ଉତ୍ପାତ ଯୋଗୁଁ ଲୋକେ ଭୟଭୀତ ହୋଇପଡ଼ିଛନ୍ତି । ଘରଦ୍ୱାର ଓ ବିଭିନ୍ନ ସ୍ଥାନରେ କ୍ଷୟକ୍ଷତି କରିବା ସହ ମାଙ୍କଡ଼ ଆକ୍ରମଣରେ ୬ ଜଣ ଆହତ ହୋଇଥିବା ଜଣାପଡ଼ିଛି । ସହର ସମେତ ଆଖପାଖ ଗ୍ରାମାଞ୍ଚଳରେ ମଧ୍ୟ ଲୋକେ ଦୁର୍ଦ୍ଦଶା ଭୋଗୁଛନ୍ତି । ଏପଟେ ଘଟଣା ବନ ବିଭାଗର ଗୋଚରରେ ଥିଲେ ମଧ୍ୟ ତୁରନ୍ତ ପଦକ୍ଷେପ ନିଆଯାଉନଥିବା ଅଭିଯୋଗ ହୋଇଛି । ଜଙ୍ଗଲରେ ନିଆଁ ଲଗାଇ କୋଇଲା ସଂଗ୍ରହ ଯୋଗୁଁ ବନ୍ୟଜନ୍ତୁ ସହରମୁହାଁ ହେଉଥିବା ଅଭିଯୋଗ ମଧ୍ୟ ଉଠିଛି । ତେଣୁ ମାଙ୍କଡ଼ଙ୍କୁ ନିୟନ୍ତ୍ରଣ ସହ ଜଙ୍ଗଲ ସୁରକ୍ଷା ପାଇଁ ତୁରନ୍ତ ଦୃଢ଼ ପଦକ୍ଷେପ ଦାବି ହୋଇଛି ।

