jayashree

ମାଣ୍ଡୋସିଲ ପିଏମଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟରେ ଜୋନ୍‌ସ୍ତରୀୟ କବାଡି ଚୟନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ମାଣ୍ଡୋସିଲ ସ୍ଥିତ ପିଏମ୍‌ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ପ୍ରଧାନ ଶିକ୍ଷୟିତ୍ରୀ ପୋର୍ଟା ମିନତୀ ଟେଟେଙ୍କ ନେତୃତ୍ୱରେ ମାଣ୍ଡୋସିଲ ଜୋନ୍‌ସ୍ତରୀୟ କବାଡି ଚୟନ ଶିବିର ଅନୁଷ୍ଠିତ ହୋଇଯାଇଛି । ଜୋନ୍‌ ଅଧୀନ ବିଭିନ୍ନ ବିଦ୍ୟାଳୟରୁ ଛାତ୍ରଛାତ୍ରୀ ଏହି ଚୟନ ଶିବିରରେ ଯୋଗଦେଇ ନିଜର କ୍ରୀଡ଼ା ପ୍ରତିଭା ପ୍ରଦର୍ଶନ କରିଥିଲେ । ଏହି ଅବସରରେ ଅବସର ପ୍ରାପ୍ତ ଶିକ୍ଷକ ଧନ ସିଂ ପଟେଲ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ସ୍ୱତନ୍ତ୍ର ଅତିଥି ଭାବେ ସମାଜସେବୀ ମହେନ୍ଦ୍ର ଖୁଣ୍ଟିଆ ଚୟନ ଶିବିରକୁ ଉଦ୍‌ଘାଟନ କରିଥିଲେ । ସେ ଛାତ୍ରଛାତ୍ରୀଙ୍କୁ ଖେଳକୁଦ ସହ ପାଠପଢ଼ାରେ ମଧ୍ୟ ମନୋନିବେଶ କରିବାକୁ ପରାମର୍ଶ ଦେଇଥିଲେ । କ୍ରୀଡ଼ା ଦ୍ୱାରା ଶାରୀରିକ ସୁସ୍ଥତା ସହ ଶୃଙ୍ଖଳା, ଦଳଗତ ମନୋଭାବ ଓ ଆତ୍ମବିଶ୍ୱାସ ବୃଦ୍ଧି ପାଇଥାଏ ବୋଲି ସେ କହିଥିଲେ । ଚୟନ ଶିବିରରେ ବିଭିନ୍ନ ବିଦ୍ୟାଳୟରୁ ଆସିଥିବା ଖେଳାଳିମାନେ କବାଡି ଖେଳରେ ନିଜର ଦକ୍ଷତା ପ୍ରଦର୍ଶନ କରିଥିଲେ । ଖେଳାଳିଙ୍କ ଖେଳ ପ୍ରଦର୍ଶନ, ଶାରୀରିକ ଦକ୍ଷତା ଓ କ୍ରୀଡ଼ା ନିୟମ ପାଳନ ଆଦି ବିଭିନ୍ନ ଦିଗକୁ ଆଧାର କରି ଚୟନ ପ୍ରକ୍ରିୟା କରାଯାଇଥିଲା । ଏହି ଚୟନ ଶିବିରକୁ ଖେଳ ଶିକ୍ଷକ ସୁଦର୍ଶନ ମହାକୁଡ଼, ହେମସାଗର ସାହୁ, ବୈବସୁତ ପ୍ରଧାନ, ଅଜିତ ପ୍ରଧାନ, ପଦ୍ମଲୋଚନ ମାଝୀ, ସ୍ୱତନ୍ତ୍ର ସାହୁ, ମାନସ ବେହେରା ଓ ବେରିନାଥ ବାଗ ପ୍ରମୁଖ ପରିଚାଳନା କରିଥିଲେ ।। ବିଦ୍ୟାଳୟର ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀ ଚୟନ ଶିବିରର ସୂଚାରୁ ପରିଚାଳନାରେ ସହଯୋଗ କରିଥିଲେ । ଜୋନ୍‌ସ୍ତରୀୟ ଏହି କବାଡି ଚୟନ ଶିବିର ମାଧ୍ୟମରେ ଗ୍ରାମାଞ୍ଚଳର ଛାତ୍ରଛାତ୍ରୀଙ୍କ କ୍ରୀଡ଼ା ପ୍ରତିଭାକୁ ଚିହ୍ନଟ କରି ଆଗାମୀ ସ୍ତରରେ ସୁଯୋଗ ପ୍ରଦାନ କରିବାର ଏକ ପ୍ରୟାସ କରାଯାଇଛି ।

Leave A Reply

Your email address will not be published.