
ବଲାଙ୍ଗିର, (କେପିଏନ୍ଏସ୍) ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ବିଧାନସଭା କ୍ଷେତ୍ର । ଏହି ଅଞ୍ଚଳକୁ ଦାଦନ ପ୍ରବଣ ଅଞ୍ଚଳ ଭାବେ ଜଣାଯାଏ । ପେଟପାଟଣା ପାଇଁ ପ୍ରତିବର୍ଷ ଅନେକ ଶ୍ରମିକ ବାହାର ରାଜ୍ୟକୁ ଯାଇଥାନ୍ତି । ହେଲେ ଏବେ ଏହି ଅଞ୍ଚଳର ଜଣେ ଯୁବ ଚାଷୀ ନିଜ ଅଞ୍ଚଳରେ ରୋଜଗାରର ରାସ୍ତା ଖୋଲିଛନ୍ତି । ବଙ୍ଗୋମୁଣ୍ଡା ବ୍ଲକର ବେଲପଡ଼ା ଗ୍ରାମ ପଞ୍ଚାୟତ ଅଧୀନ ବରକାନି ଗାଁରେ ମାଛ ଯାଆଁଳା ଚାଷ କରି ସଫଳ ହୋଇଛନ୍ତି ଭାଲୁମୁଣ୍ଡା ଗାଁର ଫକୀର ମେହେର । ନିଜେ ସ୍ୱାବଲମ୍ବୀ ହେବା ସହ ପ୍ରାୟ ୧୦ ଜଣ ଶ୍ରମିକଙ୍କୁ ମଧ୍ୟ ଦେଇଛନ୍ତି ରୋଜଗାର । କେବେ ଫକୀରଙ୍କ ଥିଲା ୱେଲଡିଂ ଗ୍ୟାରେଜ । ସେଠାରେ ୧୦ ଜଣ ଲୋକ କାମ କରୁଥିଲେ । ହେଲେ ଖର୍ଚ୍ଚ ଓ ପରିଶ୍ରମ ଅନୁପାତରେ ଲାଭ ମିଳୁନଥିଲା । ଏହି ସମୟରେ ଜଣେ ମାଛ ବ୍ୟବସାୟୀ ତାଙ୍କୁ ଦେଇଥିଲେ ନୂଆ ପରାମର୍ଶ । ଜମିରେ ଥିବା କଳା ମାଟିକୁ ଦେଖି ପୋଖରୀ ଖୋଳି ମାଛ ଚାଷ କରିବାକୁ ସେ ଫକୀରଙ୍କୁ ପରାମର୍ଶ ଦେଇଥିଲେ । ଆଉ ସେହି ପରାମର୍ଶ ହିଁ ବଦଳାଇଦେଲା ଫକୀରଙ୍କ ଜୀବନର ଦିଗ । ନିଜ ଜେସିବି ମେସିନ୍ ସାହାଯ୍ୟରେ ପ୍ରାୟ ୨୨ ଏକର ଜମିରେ ଖୋଳିଲେ ଛୋଟ ଛୋଟ ପୋଖରୀ । ସେଥିରେ ଛାଡ଼ିଲେ ଜଳଙ୍ଗ ମାଛର ଯାଆଁଳା । କିଛି ଦିନ ପରେ ଅମଳ ହେଲା ପ୍ରାୟ ୧୫ କ୍ୱିଣ୍ଟାଲ ମାଛ । ଏତେ ପରିମାଣର ମାଛ କେଉଁଠି ବିକ୍ରି ହେବ, ସେନେଇ ଚିନ୍ତାରେ ପଡ଼ିଥିଲେ ଫକୀର । ତାଙ୍କ ଦୁଇ ପୁଅ ଟ୍ରାକ୍ଟରରେ ମାଛ ଲୋଡ୍ କରି ବଙ୍ଗୋମୁଣ୍ଡା ବଜାରକୁ ବିକ୍ରି ପାଇଁ ନେଇଗଲେ । ସେହି ସମୟରେ ରାସ୍ତାରେ ଯାଉଥିଲେ ବଙ୍ଗୋମୁଣ୍ଡା ବ୍ଲକର ସହକାରୀ ମତ୍ସ୍ୟ ଅଧିକାରୀ ଆଲୋକ କୁମାର ଜେନା । ଏତେ ପରିମାଣର ଜଳଙ୍ଗ ମାଛ ଦେଖି ସେ ଅଟକିଥିଲେ । ଫକୀରଙ୍କ ଠିକଣା ନେଇ ପରେ ତାଙ୍କ ଫାର୍ମରେ ପହଞ୍ଚିଥିଲେ । ତା’ପରେ ଫକୀରଙ୍କ ମତ୍ସ୍ୟ ଚାଷକୁ ମିଳିଲା ସରକାରୀ ପ୍ରୋତ୍ସାହନ, ରିହାତି ଏବଂ ବୈଷୟିକ ପରାମର୍ଶ । ପରିବାର ସହ ମିଶି ମତ୍ସ୍ୟ ଚାଷରେ ମନ ନିବେଶ କଲେ ଫକୀର । ଆଜି ମାଛ ଯାଆଁଳା ଉତ୍ପାଦନ ତାଙ୍କର ମୁଖ୍ୟ ଜୀବିକା । ବାର୍ଷିକ ପ୍ରାୟ ୧୦ରୁ ୧୨ ଲକ୍ଷ ଟଙ୍କା ଆୟ କରୁଛନ୍ତି । ଜିଲ୍ଲା ତଥା ଜିଲ୍ଲା ବାହାରୁ ଗ୍ରାହକମାନେ ବରକାନି ଗାଁକୁ ଆସି ସୁଲଭ ମୂଲ୍ୟରେ ଯାଆଁଳା କିଣି ନେଉଛନ୍ତି । ସବୁଠାରୁ ବଡ଼ କଥା ହେଉଛି, ଯେଉଁ ଅଞ୍ଚଳର ଶ୍ରମିକ ଦିନେ ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯାଉଥିଲେ, ସେମାନଙ୍କ ମଧ୍ୟରୁ ୧୦ ଜଣଙ୍କୁ ଏବେ ନିଜ ଅଞ୍ଚଳରେ ମିଳିଛି କାମ । ମାଛଙ୍କ ଯତ୍ନ ନେବା, ଖାଦ୍ୟ ଦେବା ଏବଂ ଫାର୍ମର ତଦାରଖ କରିବାରେ ସେମାନେ ନିୟୋଜିତ ଅଛନ୍ତି । ଫକୀର ମେହେରଙ୍କ ଏହି ସଫଳତାକୁ ମିଳିଛି ସ୍ୱୀକୃତି । ଜଣେ ସଫଳ ମତ୍ସ୍ୟ ଚାଷୀ ଭାବେ ତାଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଠାରୁ ପୁରସ୍କାର ମଧ୍ୟ ମିଳିଛି । ବଙ୍ଗୋମୁଣ୍ଡା ବିଡିଓ ନିତୁଶ୍ରୀ ମେହେରଙ୍କ କହିବା ଅନୁସାରେ, ଫକୀରଙ୍କୁ ସରକାରଙ୍କ ପକ୍ଷରୁ ଆବଶ୍ୟକ ସୁବିଧା ସୁଯୋଗ ଓ ସହଯୋଗ ଯୋଗାଇ ଦିଆଯାଇଛି । ଦାଦନ ପାଇଁ ପରିଚିତ ବଲାଙ୍ଗିରର ଏହି ଅଞ୍ଚଳରେ ଫକୀର ମେହେରଙ୍କ ସଫଳତା ଏବେ ଏକ ନୂଆ ବାର୍ତ୍ତା ଦେଉଛି । ଚାକିରି ପଛରେ ନ ଦୌଡ଼ି, ନିଜ ଜମି ଓ ନିଜ ଅଞ୍ଚଳରେ ଉଦ୍ୟୋଗ ଆରମ୍ଭ କରି ମଧ୍ୟ ସ୍ୱାବଲମ୍ବୀ ହୋଇପାରିବେ ଯୁବପିଢ଼ି । ଫକୀର ମେହେର ଏବେ କେବଳ ଜଣେ ସଫଳ ମତ୍ସ୍ୟ ଚାଷୀ ନୁହନ୍ତି, ସ୍ଥାନୀୟ ଯୁବଗୋଷ୍ଠୀଙ୍କ ପାଇଁ ପାଲଟିଛନ୍ତି ଆତ୍ମନିର୍ଭରତାର ଏକ ଅନନ୍ୟ ଉଦାହରଣ ।
