
ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା କ୍ରୀଡ଼ା ସଂସଦ ଆନୁକୂଲ୍ୟରେ ଗାନ୍ଧୀ ଷ୍ଟାଡିୟମରେ ଚାଲିଥିବା ଫୁଟବଲ ପ୍ରତିଯୋଗିତାରେ ଆରମ୍ଭ ହୋଇଛି କ୍ୱାଟର ଫାଇନାଲ ପର୍ଯ୍ୟାୟ । ପ୍ରଥମ କ୍ୱାଟର ଫାଇନାଲ ମ୍ୟାଚ୍ରେ ଦମଦାର ବିଜୟ ସହ ସେମିଫାଇନାଲରେ ପ୍ରଥମ ଦଳ ଭାବେ ପ୍ରବେଶ କରିଛି ଜିୱାଇଡିସି ନକଟାସ । ଗାନ୍ଧୀ ଷ୍ଟାଡିୟମରେ ଅନୁଷ୍ଠିତ ମ୍ୟାଚ୍ରେ ଜିୱାଇଡିସି ନକଟାସ ୫-୧ ଗୋଲରେ ରାଇଜିଂ ଷ୍ଟାର ଟିଟିଲାଗଡ଼କୁ ପରାସ୍ତ କରିଛି । ନକଟାସ ପକ୍ଷରୁ ଶଙ୍କର ଭୁଏ ଚମତ୍କାର ପ୍ରଦର୍ଶନ କରି ୩ଟି ଗୋଲ୍ ସ୍କୋର କରିଥିବା ବେଳେ ବିକାଶ ଧରୁଆ ୨ଟି ଗୋଲ୍ ଦେଇଥିଲେ । ରାଇଜିଂ ଷ୍ଟାର ଟିଟିଲାଗଡ଼ ପକ୍ଷରୁ ଅଜୟ ସରାଫ ଗୋଟିଏ ଗୋଲ୍ ପରିଶୋଧ କରିଥିଲେ । ମ୍ୟାଚ୍ ଅବସରରେ ଓଡ଼ିଶା ଫୁଟବଲ ଆସୋସିଏସନ୍ ତଥା ଜିଲ୍ଲା କ୍ରୀଡ଼ା ସଂସଦର କାର୍ଯ୍ୟକାରୀ ସଭାପତି ଡ. ଶ୍ରୀକର ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ । ସମ୍ମାନିତ ଅତିଥି ଭାବେ କ୍ରୀଡ଼ା ସଂସଦର ଉପସଭାପତି କୃଷ୍ଣ ଚନ୍ଦ୍ର ମିଶ୍ର, ଯୁଗ୍ମ ସମ୍ପାଦକ ଶତୃଘନ ସିଂ, କ୍ରୀଡ଼ା ସମ୍ପାଦକ ବିଭୂତି ଭୂଷଣ ପଣ୍ଡା, ବରିଷ୍ଠ ସଦସ୍ୟ ଜୟରାମ ମିଶ୍ର, ଶିଶିର କୁମାର ବହିଦାର ଓ ଡା. ସିଦ୍ଧେଶ୍ୱର ମିଶ୍ର ଉପସ୍ଥିତ ଥିଲେ । ଜିଲ୍ଲା କ୍ରୀଡ଼ାଧିକାରୀ ପରାଶର ବାଗ ଓ ଶ୍ରୀକାନ୍ତ ରାଉତ ମଧ୍ୟ ମଞ୍ଚାସୀନ ଥିଲେ । କ୍ରୀଡ଼ା ସଂସଦର ସାଧାରଣ ସମ୍ପାଦକ ହରିନାରାୟଣ ପୂଜାରୀଙ୍କ ତତ୍ତ୍ୱାବଧାନରେ ଖେଳ ଅନୁଷ୍ଠିତ ହୋଇଥିଲା । କୋଷାଧ୍ୟକ୍ଷ ତଥା ଟୁର୍ଣ୍ଣାମେଣ୍ଟ କମିଟି ଅଧ୍ୟକ୍ଷ ହେମନ୍ତ କୁମାର ବେହେରା କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । ଫୁଟବଲ ସମ୍ପାଦକ ଶରତ କୁମାର ନନ୍ଦ ମ୍ୟାଚ୍ କମିଶନର ଦାୟିତ୍ୱ ତୁଲାଇଥିଲେ । ଆସନ୍ତା ବୁଧବାର ଆର୍.ଏନ୍. ସିଂହଦେଓ ସ୍ପୋର୍ଟସ କମ୍ପ୍ଲେକ୍ସରେ ସ୍ପୋର୍ଟସ ହଷ୍ଟେଲ ବନାମ ରିଜର୍ଭ ପୋଲିସ ଏବଂ ଗାନ୍ଧୀ ଷ୍ଟାଡିୟମରେ ବିକେସି ୟୁନାଇଟେଡ୍ ବନାମ ଜରାସିଂହା ମଧ୍ୟରେ କ୍ୱାଟର ଫାଇନାଲ ମ୍ୟାଚ୍ ଖେଳାଯିବ ବୋଲି କ୍ରୀଡ଼ା ସଂସଦ ପକ୍ଷରୁ ସୂଚନା ଦିଆଯାଇଛି ।